ମାଲକାନଗିରି ଗୌଡଗୁଡା ପଂଚାୟତରେ ଭୁତ ଖାଉଛି ଚାଉଳ: ମୃତ ବ୍ୟକ୍ତିଙ୍କ ନାଁରେ ହଡପ ପିଡିଏସ ଚାଉଳ ଚଳୁ କରୁଛନ୍ତି ପଂଚାୟତ କର୍ତ୍ତୃପକ୍ଷ

76

କନକ ବ୍ୟୁରୋ: ଭୁତ ଖାଉଛି ପି.ଡି.ଏସ ଚାଉଳ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଅନେକ ଭୁତ ହିତାଧୀକାରୀଙ୍କ ନାଁରେ ବର୍ଷ ବର୍ଷ ଧରି ହଡପ ହେଉଛି ପି.ଡି.ଏସ ଚାଉଳ । ଆଉ ଏହି କାମ ଚଳାଇଛନ୍ତି ପଂଚାୟତ କତୃର୍ପକ୍ଷ । ସେହିପରି ହିତାଧୀକାରୀଙ୍କୁ ନିର୍ଧାରିତ ପରିମାଣରୁ କମ ଚାଉଳ ଦେଉଥିବା ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଗୌଡଗୁଡା ପଂଚାୟତରୁ । ସାଧାରଣ ବଂଟନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଇ-ରାଶନ କାର୍ଡ ଓ ବାୟୋମାଟ୍ରିକ୍ସ ବ୍ୟବସ୍ଥା କରାଯାଇଥିଲେ ହେଁ ପଂଚାୟତ ଓ ଯୋଗାଣ ବିଭାଗର ଅସାଧୁ କାମ କିନ୍ତୁ କମିବାର ନାହିଁ । ପଢନ୍ତୁ କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ ।

ଭୂତ ଖାଉଛି ରାସନ । ପିଡିଏସ ଚାଉଳ ନେଉଛନ୍ତି ମୃତ ବ୍ୟକ୍ତି । ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଂଚାୟତର । ଯୋଗାଣ ବିଭାଗ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୌଡଗୁଡା ପଂଚାୟତରେ ମୋଟ ୧୯୦୩ ଜଣ ହିତାଧୀକାରୀଙ୍କ ପାଇଁ ପ୍ରତି ମାସରେ ୩୮୧ କ୍ୟୁଂଟାଲ ଚାଉଳ ଆସୁଛି । ହେଲେ କ୍ୟୁଂଟାଲ କ୍ୟୁଂଟାଲ ଚାଉଳ ହରିଲୁଟ ହୋଉଥିବା ପ୍ରମାଣ ମିଳିଛି । ତାଲିକାର କ୍ରମିକ ସଂଖ୍ୟା ୧୨୯୭ରେ ଥିବା ହିତାଧୀକାରୀ ଅନିତା ବଲ୍ଲଭଙ୍କ ସ୍ୱାମୀ କାଳିପଦ ବଲ୍ଲଭଙ୍କ ମୃତ୍ୟୁ ଫେବୃଆରୀ ମାସରୁ ହୋଇସାରିଲାଣି ।

ହେଲେ ଆଜି ଯାଏଁ ତାଙ୍କ ନାଁରେ ପି.ଡି.ଏସ ଚାଉଳ ଉଠାଯାଉଛି । ତାଲିକା ଅନୁଯାଇ ଅନିତାଙ୍କ ପରିବାରର ୫ ଜଣ ସଦସ୍ୟ ଲାଗି ୫୦ କେ.ଜି ଚାଉଳ ଦିଆଯିବାର ବ୍ୟବସ୍ଥା ଥିବା ବେଳେ ପଂଚାୟତ ରେଜିଷ୍ଟରରେ ମଧ୍ୟ ପ୍ରତିମାସ ୫୦ କିଲୋଗ୍ରାମ ଚାଉଳ ଦିଆଯାଉ ଥିବା ଦର୍ଶାଯାଇଛି । ହେଲେ ପ୍ରକୃତରେ ହିତାଧୀକାରୀଙ୍କୁ ୪୦ କେ.ଜି ଚାଉଳ ଦିଆଯାଉଛି । ସେହିପରି ୧୩୭୧ କ୍ରମିକ ସଂଖାରେ ଥିବା ସୋନାମଣି ମଣ୍ଡଳଙ୍କ ସ୍ୱାମୀ ଗତ ମାର୍ଚ ମାସରେ ପ୍ରାଣ ହରାଇ ଥିବା ବେଳେ ଏ ଯାଏଁ ତାଙ୍କ ନାଁ ରେ ସରକାରୀ ଖାତାରେ ଚାଉଳ ଉଠୁଥିବା କନକ ନ୍ୟୁଜ ଅନୁସନ୍ଧାନରୁ ଜଣା ପଡିଛି ।

କେବଳ ଭୁତ ହିତାଧୀକାରୀ ନୁହେଁ ବରଂ ବାହା ହୋଇ ଚାଲି ଯାଇ ଥିବା କନ୍ୟାଙ୍କ ନାଁରେ ମଧ୍ୟ ଉଠୁଛି ରାସନ ସମାଗ୍ରୀ । ଗାଁର ତାରା ଦାସଙ୍କ ଦୁଇ ଝିଅ ବାହା ହୋଇ ସାରିଲେଣି, କିନ୍ତୁ ସେମାନଙ୍କ ନାଁରେ ପିଡିଏସ ଚାଉଲ ଉଠୁଛି । ହେଲେ ଯୋଗାଣ ବିଭାଗର ୱେସାଇଟ ସହ ଯୋଗାଣ ସହାୟକଙ୍କ ରେଜିଷ୍ଟର ଓ ହିତାଧୀକାରୀଙ୍କ ରାସନ ଖାତ ସହ କୌଣସି ତାଳମେଳ ରହୁନାହିଁ । ତେବେ ଘଟଣାରେ ତଦନ୍ତ କରାଯିବ ବୋଲି କହିଛନ୍ତି ବରିଷ୍ଠ ଅଧୀକାରୀ ।