ଏଠି ଚାଲିବ ନକ୍ସଲରାଜ୍ ! ଲାଲ କମାଣ୍ଡରଙ୍କ ଭୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହର କଲେ ନେତା

33

କନକ ବ୍ୟୁରୋ : ବିଚ୍ଛିନ୍ନାଂଚଳରେ ପଂଚାୟତ ନିର୍ବାଚନକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ନାମାଙ୍କନ ଦାଖଲ ଅବଧି ଆଉ ମାତ୍ର ୨୪ ଘଂଟା ଥିବା ବେଳେ ଏଯାଏଁ ଏହି ଅଂଚଳରେ ନିର୍ବାଚନ ଲଢିବା ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଆସନ୍ତା ୨୨ ତାରିଖରେ ଏନେଇ କମିଶନ ନିଷ୍ପତି ନେବେ । ମାଓବାଦୀଙ୍କ ଅପହରଣ ଘଟଣା ପରେ ନିର୍ବାଚନ ଲଢିବାକୁ ପ୍ରାର୍ଥୀମାନେ ଭୟଭୀତ ହୋଇଯାଇଛନ୍ତି ।

ମାଲକାନଗିରି ଜିଲ୍ଲାର ବିଛିନ୍ନାଂଚଳ । ଦୁଇଟି ହାଇଡ୍ରୋଇଲେକଟ୍ରିକ ପ୍ରକଳ୍ପ ପାଇଁ ଜଳବନ୍ଦୀ ହୋଇ ରହିଛି ପ୍ରାୟ ୧୫୧ ଗାଁ । ପାଖାପାଖି ୨୦ ହଜାର ପରିବାର ଅନେକ ଦିନରୁ ସମାଜର ମୁଖ୍ୟ ଶ୍ରୋତରୁ ବିଚ୍ଛିନ ହୋଇ ରହିଛନ୍ତି । ଆଉ ଏହି ଅନ୍ଧାରୀ ମୂଲକରେ ମାଓବାଦୀଙ୍କ କବଜା । ପଂଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ସରକାର ଓ ପ୍ରଶାସନକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ ।

ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲ ଅବଧି ଆସନ୍ତାକାଲି ଶେଷ ହେଉଛି । ହେଲେ ପାଖାପାଖି ୯ଟି ପଂଚାୟତରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଯିଏ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନକ୍ସଲ ଭୟରେ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛନ୍ତି ।

ପ୍ରଜାମେଳି କରି ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଥିଲା ଲାଲ ବାହିନୀ । ବିଚ୍ଛିନାଂଚଳକୁ କୌଣସି ସରକାରୀ ଅଧିକାରୀ ନଆସିବାକୁ ବାରଣ କରିଥିଲା । ହେଲେ ଲାଲ ବାହିନୀର ଫତୁଆକୁ ବେଖାତିର କରିଥିବାରୁ ୫ ନିର୍ବାଚନ ଅଧିକାରୀଙ୍କୁ ଉଠାଇ ନେଲେ ମାଓବାଦୀ । ଆଉ ନକ୍ସଲଙ୍କ ନାଲି ଆଖିକୁ ଦେଖି ଛାନିଆ ପ୍ରଶାସନ ।

ମାଲକାନଗିରିରେ ମାଓବାଦୀଙ୍କ ମୂଳପୋଛ ହୋଇସାରିଥିବା ଡଣ୍ଡିମ ପିଟୁଥିବା ପୋଲିସ ଓ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ପଂଚାୟତ ନିର୍ବାଚନ ଭଣ୍ଡୁର ପାଇଁ ମୁଣ୍ଡ ଟେକିଛନ୍ତି ମାଓବାଦୀ । ତେଣୁ ଏବେ ପ୍ରଶ୍ନ ବିଚ୍ଛିନ୍ନାଂଚଳରେ ନିର୍ବାଚନ ସମ୍ଭବ ତ ?

ଲାଲ ବାହିନୀର ଫତୁଆ ନମାନିଲେ ପ୍ରଜାକୋର୍ଟରେ ମିଳିବ ଦଣ୍ଡ । ବିଚ୍ଛିନ୍ନାଂଚଳରେ ଏକପ୍ରକାର ସମାନ୍ତରାଳ ଶାସନ ଚଳାଇଛି ଲାଲ ବାହିନୀ । ୨୦୧୨ ପଂଚାୟତ ଭୋଟ ସମୟରେ ଅନେକ ପଂଚାୟତରେ ମାଓ ସମର୍ଥକ ମାନଙ୍କୁ ଛିଡା କରାଯାଇଥିବା ଅଭିଯୋଗ ହୁଏ । କାଲିମେଳା ବ୍ଲକର ୫ଟି ପଂଚାୟତ ସମିତିରେ ନିର୍ବିବାଦରେ ବିଜୟୀ ହୋଇଥିଲେ ଚାଷୀ ମୂଲିଆ ଆଦିବାସୀ ସଂଘର ପ୍ରାର୍ଥୀ । ତେଣୁ ପୁଣିଥରେ ବିଚ୍ଛିନ୍ନାଂଚଳକୁ କବଜାକୁ ନେଇ ନିଜର ଦବଦବା ଜାହିର କରିବାକୁ ଉଦ୍ୟମ କରୁଛନ୍ତି ନକ୍ସଲ ।