ଠିକାରେ ଚାଲିଛି ପାଠପଢା ! ସାମ୍ନାକୁ ଆସିଲା ଆଦର୍ଶ ବିଦ୍ୟାଳୟର ଅସଲ ଚିତ୍ର

52

କନକ ବ୍ୟୁରୋ : ମାଓ ଅଧ୍ୟୁଷିତ ମାଲକାନଗିରି ଜିଲା । ଏଠି ବିକାଶ ଅପେକ୍ଷା ସମସ୍ୟାର ଅନେକ ଚିତ୍ର ଦେଖିବାକୁ ମିଳେ । ଆଉ ଏବେ ଏହି ଜିଲାରେ ଥିବା ଆଦର୍ଶ ବିଦ୍ୟାଳୟର ବାସ୍ତବିକ ଚିତ୍ର ଶିକ୍ଷାର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି । ଜିଲାରେ ଥିବା ଆଦର୍ଶ ବିଦ୍ୟାଳୟର ଠିକାରେ ଚାଲିଛି ପାଠ ପଢା । ସମସ୍ତ ଠିକା ଶିକ୍ଷକଙ୍କ ହାତରେ ଟେକି ଦିଆଯାଇଛି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ । ଆଉ ଏହାକୁ ବିରୋଧ କରି ବାଧ୍ୟ ହୋଇ ଆଜି ଆବାସିକ ବିଦ୍ୟାଳୟର ପିଲାମାନେ ପାଠ ଛାଡି ନିଜ ଦାବୀ ପୁରଣ ଲାଗି ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଆଦିବାସୀ ପିଲାଙ୍କୁ ସି.ବି.ଏସ.ଇ ପାଠ୍ୟକ୍ରମ ଅନୁଯାଇ ଶିକ୍ଷାଦାନ ଲାଗି ଏକଲବ୍ୟ ଆଦର୍ଶ ଆବାସୀକ ବିଦ୍ୟାଳୟ ଖୋଲାଯାଇଥିଲା । କିନ୍ତୁ ବିଦ୍ୟାଳୟର ପ୍ରିନ୍ସିପାଲଙ୍କଠାରୁ ଆରମ୍ଭ କରି କିରାଣି ସମସ୍ତେ ଏଠାରେ ଠିକା କର୍ମଚାରୀ । ସତେ ଯେମିତି ପିଲାଙ୍କ ଭବିଷ୍ୟତକୁ ଏଠାରେ ଠିକାରେ ଦେଇ ଦେଇଛନ୍ତି ରାଜ୍ୟ ସରକାର ।

କେବଳ ଶିକ୍ଷକ ସମସ୍ୟା ନୁହଁ, ନାହିଁ ନାହିଁ ରେ ଚାଲିଛି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ । ଲ୍ୟାବରେ କମ୍ପ୍ୟୁଟର ଅଛି କିନ୍ତୁ ଇଣ୍ଟରନେଟ୍ ସେବା ମିଳି ନାହିଁ । ତେବେ ଏ ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ମାଲକାନଗିରି ପ୍ରିନ୍ସିପାଲ ।

କେବଳ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନୁହଁ ବରଂ ବ୍ଲକ ସ୍ତରରେ ଖୋଲା ଯାଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ମଧ୍ୟ ଏକା ଅବସ୍ଥା । ଯାହା ପ୍ରମାଣିତ କରୁଛି ରାଜ୍ୟ ରେ ଆଦିବାସୀଙ୍କ ଶିକ୍ଷାର ବିକାଶ ସରକାର କେତେ ଚିନ୍ତିତ ।