ବଦଳୁଛି ମାଓ ରଣନୀତି ! ମାଓ ସଂଗଠନରେ ଯୋଗଦେବାକୁ ଫତୱା

35

କନକ ବ୍ୟୁରୋ : ଭୁଷୁଡି ପଡି ଥିବା ମାଓ ସଙ୍ଗଠନକୁ ସୁଦୃଢ କରିବା ଲାଗି ଲାଲ ବାହିନୀଙ୍କ ଫତୱା । ଦଳ ଛାଡି ଥିବା ସମସ୍ତ ମିଲିଶିଆ ଓ ପି.ଏଲ.ଜି.ଏ ସଦସ୍ୟଙ୍କୁ ଆସନ୍ତା ୨୫ ତାରିଖ ସୁଧା ଦଳରେ ଯୋଗ ଦେବାକୁ ଚେତାବନୀ ଦେଇଛି ଲାଲ ସଙ୍ଗଠନ । ମାଲକାନଗିରି ଜିଲ୍ଲାର କାଲିମେଳା ଅଂଚଳର ପ୍ରତି ଟି ଗାଁରୁ ୧୦ ଜଣ ସଦସ୍ୟ ପି.ଏଲ.ଜି.ଏରେ ଯୋଗ ଦେବା ଲାଗି ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛି ମାଓ ସଂଗଠନ । ଦୀର୍ଘ ଦିନର ନିରବତା ପରେ ମାଓବାଦୀଙ୍କ ଏଭଳି ଫତୱା ପରେ ମାଓ ଉପଦୃତ ଅଂଚଳ ରେ ଭୟର ବାତାବରଣ । ପ୍ରଶ୍ନ ଉଠୁଛି ଦିର୍ଘ ଦିନ ଧରି ବ୍ୟାକ ଫୁଟରେ ଥିବା ମାଓବାଦୀ ଏବେ ମାଲକାନଗିରି ଜିଲ୍ଲାରେ ସକ୍ରିୟ ହେବାରେ ଲାଗିଛନ୍ତି କି ?

ଦୁର୍ବଳ ହୋଇ ପଡିଥିବା ମାଓ ସଙ୍ଗଠକୁ ସୁଦୃଢ କରିବା ଲାଗି ଲାଲ ବାହିନୀଙ୍କ ସଜବାଜ । ଗତ କିଛି ବର୍ଷ ଧରି ସଙ୍ଗଠନ ଛାଡି ଥିବା ମାଓନେତା, ତଥା ମିଲିସିଆ ସଦସ୍ୟ ଓ ପି.ଏଲ.ଜି.ଏ ବାହିନୀର ସଦସ୍ୟଙ୍କୁ ପୁଣି ଦଳରେ ସାମିଲ ହବାକୁ ଚେତାବନି ଦେଇଛି ଲାଲ ସଙ୍ଗଠନ । ଏ ନେଇ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡ ଟେକଗୁଡା ଗାଁରେ ପୋଷ୍ଟର ମାରିଛି ଲାଲ ବାହିନୀ । ଆଗାମି ୨୫ ତାରିଖରେ ଏଲକାନୁର ପାହାଡ ନିକଟରେ ସମସ୍ତେ ଏକତ୍ରୀତ ହୋଇ ପୁଣି ଦଳରେ ଯୋଗ ଦେବା ଲାଗି ଫତୱା ଜାରି କରିଛି ମାଲାକାନଗିରି ସି.ପି.ଆ.ଇ ମାଓବାଦୀ ପାର୍ଟି । ନଚେତ ହାତ ଗୋଡ କାଟି ଦେବାକୁ ଧମକ ଦେଇଛନ୍ତି ଲାଲ ବ୍ରିଗେଡ । ନୀରବ ପଡି ଥିବା ଲାଲ ଗଡରେ ଏହି ପୋଷ୍ଟର ପରେ ଲୋକେ ଆତଙ୍କିତ ।

ଗତ ୨୦୧୫ ମସିହାରେ ୨୬ ଜଣ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ କରି ଥିବା ବେଳେ ୨୦୧୬ ମସିହାରେ ଟପ ମାଓ ନେତା ସୁଖଦବ, କୁମାରି, ରାଧା, ରାହୁଲ କୁ ନେଇ ୮ ଜଣ କ୍ୟାଡର ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସେହି ପରି କେବଳ କାଲିମେଳା ବ୍ଲକରେ ୧୬୫, ପୋଡିଆ ବ୍ଲକରେ ୧୦୭ ଓ ମାଥିଲି ବ୍ଲକରେ ୬୦ ମଲିସିିଆ ସଦସ୍ୟ ଓ ଗାଁ କମିଟି ସଦସ୍ୟ ଓ ଚେତନା ନାଟ୍ୟ ମଣ୍ଡଳି ସଦସ୍ୟ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ୨ ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପ୍ରାୟ ୨୫୦୦ ରୁ ଉର୍ଧ ମାଓ ସମର୍ଥକ ମାଓବାଦୀଙ୍କ ହାତ ଛାଡି ପୋଲିସକୁ ସମର୍ଥନ ଜଣାଇଛନ୍ତି । ତେବେ ଏବେ ସଙ୍ଗଠନକୁ ପୁନରୁଦ୍ଧାର କରି ଗଢି ତୋଳିବାକୁ ସଙ୍ଗଠନ ଅଂଟା ଭିଡିଥିବା ଜଣା ପଡିଛି । ଏଥିପାଇଁ ୨୫ ରୁ ୩୦ ଛତିଶଗଡି କ୍ୟାଡର କାଲିମେଳା ଅଂଚଳରେ ଠୁଳ ହୋଇ ଥିବା ଜଣା ପଡିଛି ।

ଗତ କିଛି ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ପୋଲିସର ଦମନ ଯୋଗୁଁ ବ୍ୟାକଫୁଟରେ ରହି ଆସିଛି ଲାଲ ବାହିନୀ । ତେବେ ଏବେ ସଙ୍ଗଠନକୁ ପୁନରୁଦ୍ଧାର ଲାଗି ମାଓ ଗଡରେ ଫତୱା ଜାରି କରିଛି ମାଓବାଦୀ । ଏପରି ସ୍ଥିତିରେ ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି ନଜର ।