ନିୟମ ମାନୁନାହାନ୍ତି କର୍ମଚାରୀ ! ମାଲକାନଗିରି ମୁଦୁଲିପଡା ସ୍ଥିତ ଏକମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା

38

କନକ ବ୍ୟୁରୋ: କଥାରେ ଅଛି, ଥାନା, ଡାକ୍ତରଖାନା ଓ ପାଇଖାନା ରେ କେବେ ବି ତାଲା ପଡେ ନାହିଁ । ତେବେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା । ମୁଦୁଲିପଡାସ୍ଥିତ ଏକମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମିତି ଚିତ୍ର ନିତିଦିନିଆ ଚିତ୍ର ଦେଖିବାକୁ ମିଳୁଛି ।

ଆଦିମ ବଣ୍ଡା ଜନଜାତିଙ୍କୁ ଉଚିତ ସ୍ୱାସ୍ଥ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ହାତରେ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ଟେକି ଦେଇଛନ୍ତି । ତେବେ ଔଷଧ ନାଁ ରେ ରୋଗୀଙ୍କୁ ମିଳୁଛି ଏକ୍ସପାଇରି ମେଡିସିନ । କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅସଲ ଚିତ୍ର ।

ଡାକ୍ତରଖାନାରେ ମେଡିକାଲ ଅଫିସରଙ୍କୁ ନେଇ ମୋଟ ୬ ଜଣ କର୍ମଚାରୀ ରହି ଥିଲେ ହେଁ, ପ୍ରତିଦିନ ମାତ୍ର ୪ ରୁ ୬ ଘଂଟା ଡାକ୍ତରଖାନା ଖୋଲା ରହୁ ଥିବା ଜଣା ପଡିଛି । ଦେଖନ୍ତୁ ଡାକ୍ତରଖାନା ଭିତରେ ଥିବା ଏହି ଫଳକକୁ ସକାଳ ୮ ରୁ ୧୨ ଟା ଯାଏଁ ଓ ୩ ରୁ ୫ ଟା ଯାଏଁ ଡାକ୍ତରଖାନା ଖୋଲା ରହିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏପରି ସ୍ଥିତିରେ ଦୁର ଦୁରାନ୍ତ ରୁ ଆସୁ ଥିବା ବଣ୍ଡା ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ବଣ୍ଡା ଜନଜାତିର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଫଳ କିନ୍ତୁ ଶୁନ । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ରେ ଥିବା ଦୁଇଟି ଗ୍ରାମ ପଂଚାୟତର ୩୨ ଗାଁର ୮ ହଜାର ଲୋକଙ୍କ ଲାଗି ରହିଛି ଏହି ଏକ ମାତ୍ର ଡାକ୍ତରଖାନା ।