ସତ ଅପହରଣ ମିଛ ନାଟକ ! ଭୋଟ୍ ବର୍ଜନର ସନ୍ଦେଶ ଦେଇ ୫ସରକାରୀ କର୍ମଚାରୀଙ୍କୁ ମୁକ୍ତ କଲେ ମାଓବାଦୀ

58

କନକ ବ୍ୟୁରୋ : ମାଓବାଦୀଙ୍କ ହାଇଭୋଲଟେଜ୍ ଅପହରଣ ଡ୍ରାମାରେ ପଡିଲା ଯବନିକା । କନକ ନ୍ୟୁଜର ରିପୋର୍ଟ ଉପରେ ମୋହର ମାରିଲା ପୋଲିସ । ବିଚ୍ଛିନାଚଂଳରୁ ଜୀବନ ବଂଚାଇ ଜିଲ୍ଲା ହେଡକ୍ୱାଟରକୁ ଫେରି ଆସିଛନ୍ତି ଦୁଇ ସରକାରୀ କର୍ମଚାରୀ । ଆଉ ଅପହୃତ ସରକାରୀ କର୍ମଚାରୀ କହିଛନ୍ତି ସେହି ଛାତିଥରା କାହାଣୀ ।କେମିତି ରଚାହୋଇଥିଲା ଅପହରଣର ପ୍ଲଟ୍ ।

ଯେଉଁଠି ପାଦେ ପାଦେ ଥିଲା ବିପଦ । ଯେଉଁଠି ପ୍ରତି ମୁହୂର୍ତ୍ତରେ ଲାଲ୍ କମାଣ୍ଡର୍ ଦେଉଥିଲେ ହତ୍ୟାର ଧମକ । ହେଲେ ପ୍ରଜାକୋର୍ଟରେ ଫୈସଲା ପରେ ସରକାରଙ୍କୁ ସନ୍ଦେଶ ଦେଇ ଏହି ଦୁଇ କର୍ମଚାରୀଙ୍କୁ ସର୍ତ୍ତମୂଳକ ମୁକ୍ତି ଦେଇଛନ୍ତି ମାଓବାଦୀ ।

କେମିତି, କେତେବେଳେ ଓ କାହିଁକି ହୋଇଥିଲା ଅପହରଣ । ମାଓବାଦୀଙ୍କ ଭୋଟ୍ ବର୍ଜନ ଧମକକୁ ଖାତିର୍ ନକରି ବିଚ୍ଛିନାଂଚଳରେ ନିର୍ବାଚନ ପ୍ରକ୍ରିୟାକୁ ଜାରି ରଖିଥିଲେ ସରକାରୀ କର୍ମଚାରୀ । ସେମାନଙ୍କ ମଧ୍ୟରେ ଥିଲେ ପ୍ରବୀଣ ସୁରିନ୍, କାମିନାକାନ୍ତ ସି, ପଦ୍ମନାଭ ଭାଲା, ଏସପି ରାଜଗୁରୁ ଓ ବାବୁ ।

ଜାନୁଆରୀ ୧୩ ତାରିଖ ସକାଳ ୭.୩୦ ସମୟରେ ଜୋଡାମ୍ବ ପଂଚାୟତରେ ପହଂଚିଥିଲେ ଜଣେ ମହିଳା ମାଓବାଦୀ ।ଆଉ ପ୍ରବୀଣ ଓ କାମିନୀକାନ୍ତଙ୍କୁ ବନ୍ଧୁକ ମୁନରେ ଉଠାଇ ନେଇଥିଲେ । ମାତ୍ର କିଛି ଘଂଟା ଓ କିଛି ବାଟ ପରେ ସଶସ୍ତ୍ର ମାଓବାଦୀଙ୍କ କବଜାକୁ ଆସିଯାଇଥିଲେ ଏହି ଦୁଇ ଅଧକାରୀ । ହେଲେ ସେତେବେଳକୁ ଅନ୍ୟ ତିନି ଜଣ ସରକାରୀ କର୍ମଚାରୀ ବି ଅପହୃତ ହୋଇ ସାରିଥିଲେ ।

ମାଓବାଦୀଙ୍କ ଗୋଟିଏ ଦାବି ।ବିଚ୍ଛିନାଂଚଳରେ ହୋଇ ପାରିବନି ପଂଚାୟତ ନିର୍ବାଚନ । ତେଣୁ ପ୍ରଜାକୋର୍ଟରେ ଅପହୃତଙ୍କୁ ଦିଆଯାଇଥିଲା ଧମକ୍ । ନାମାଙ୍କନ କାଗଜପତ୍ର ଦାଖଲ କରିବା ପରେ ମିଳିଥିଲା ୫ ଅପହୃତଙ୍କୁ ମୁକ୍ତି ।