ଦୁଇ ମାସ ପରେ ବି ନିୟନ୍ତ୍ରଣକୁ ଆସିଲାନି ଜାପାନୀ ଜ୍ୱର : ମୃତ୍ୟୁର କାରଣ ଖୋଜିବାକୁ ପହଚିଂଲେ ଶିଶୁ ବିଶେଷଜ୍ଞ ଜାକବ ଜେମ୍ସ

33

ମାଲକାନଗିରି : ଦୁଇ ମାସ ଭିତରେ ମାଲକାନଗିରିରେ ଶିଶୁ ମୃତ୍ୟୁ ସଂଖ୍ୟା ଶହେ ଟପିଗଲା । ମାଲକାନଗିରି ଆଦିବାସୀ ଅଂଚଳରେ ମାଆ କୋଳ ଖାଲିହେଲା । ହେଲେ ବିଡମ୍ବନା, ଏପର୍ଯ୍ୟନ୍ତ ମୃତ୍ୟୁର କାରଣ କ’ଣ ସ୍ପଷ୍ଟ ହୋଇପାରିନି । ରାଜ୍ୟ ଓ ରାଜ୍ୟ ବାହାରୁ ଡାକ୍ତରୀ ଦଳ, ବିଶେଷଜ୍ଞ ମାନେ ଅନୁଧ୍ୟାନ କରୁଛନ୍ତି ହେଲେ ମୂଳ କାରଣ ଖୋଜି ପାଉନାହାନ୍ତି ।

ଶିଶୁ ବିଶେଷଜ୍ଞ ଗଡଫାଦର କୁହାଯାଉଥିବା ଡାକ୍ତର ଜାକବ ଜେମ୍ସ ରୋଗର କାରଣ ଖୋଜିବା ପାଇଁ ପହଞ୍ଚିଛନ୍ତି ଭୁବନେଶ୍ୱର । ଆଶା କରାଯାଉଛି, ମାଲକାନଗିରିର ଶିଶୁ ମୃତ୍ୟୁର ରହସ୍ୟ ଖୋଜି ବାହାର କରିବାରେ ସେ ସମର୍ଥ ହେବେ । ଦୁଇ ମାସ ହେଲା ଅନ୍ଧାରରେ ବାଡି ବୁଲାଉଥିବା ସ୍ୱାସ୍ଥ୍ୟ ବିଭାଗ ବାସ୍ତବ କାରଣ ପାଇପାରିବ । ରୋଗର କାରଣ ପ୍ରଥମେ ଜାପାନୀଜ ଏନସେଫାଲାଇଟିସ୍ କୁହାଗଲା ।

ପରେ ଏଇଏସ ବା ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ, ଏବେ ଅନ୍ୟ କାରଣ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରାଯାଉଛି । ମହାମାରୀ ପାଇଁ ସନ୍ତସନ୍ତିଆ ପାଗ ଓ ଘୁଷୁରୀକୁ ଦାୟୀ କରି ଆଦିବାସୀଙ୍କ ରୋଜଗାରର ମୁଖ୍ୟ ସମ୍ବଳ ଘୁଷୁରୀ ବଂଶ ଲୋପ କରାଗଲା । କେନ୍ଦ୍ର ସରକାରଙ୍କ ଏକ ସ୍ୱତନ୍ତ୍ର ଦଳ ଅଜଣା ରୋଗ ଚିହ୍ନିବାକୁ ତନାଘନା କଲେ ।

ମୃତ୍ୟୁ ସଂଖ୍ୟା ବଢିବା ପରେ ଏଇଏସ ଓ ଜେଇ ମଧ୍ୟରେ ସଂଖ୍ୟା ଭାଗ ଭାଗ କଲେ ରାଜ୍ୟ ସରକାର । ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଏପର୍ଯ୍ୟନ୍ତ ରୋଗର କାରଣ ଚିହ୍ନି ପାରିନାହାନ୍ତି ବିଶେଷଜ୍ଞ । ଆଜି ନାଁ କରା ଶିଶୁ ବିଶେଷଜ୍ଞ ଡାକ୍ତର ଜାକବ ଜେମ୍ସ ଭୁବନେଶ୍ୱର ପହଞ୍ଚିଛନ୍ତି । ସ୍ୱାସ୍ଥ୍ୟ ସଚିବ ଓ ବିଶେଷଜ୍ଞଙ୍କ ସହ ବୈଠକ ପରେ ହୁଏତ ଜଣାପଡିବ ଶିଶୁ ମଡ଼କ ପଛରେ କାରଣ ।