ଶିଶୁ ମୃତ୍ୟୁର ଉପତ୍ୟକା ପାଲଟିଛି ମାଲକାନଗିରି : କ୍ୟାମେରା ଆଗରେ ଗଲା ଶିଶୁର ଜୀବନ

36

ମାଲକାନଗିରି : ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ କରୁଣ ଚିତ୍ର । ଯେଉଁ ଚିତ୍ର ଦେଖିଲେ ଛାତି ଫାଟି ପଡିବ, ଯେକୌଣସି ଲୋକର ହୃଦୟ ବିଚଳିତ ହୋଇ ପଡିବ । ସତେ ଯେପରି ମୃତ୍ୟୁର ଦାନବ ଘର କରିନେଇଛି ଏହି ଡାକ୍ତରଖାନାରେ । ଆଇସିୟୁକୁ ଯାଉଛନ୍ତି ରୋଗଗ୍ରସ୍ତ ଶିଶୁ, ଫେରୁଛି ସେମାନଙ୍କ ମୃତଦେହ । ଦିନକୁ ଦିନ ସାଂଘାତିକ ହେଉଛି ପରିସ୍ଥିତି ।

ଆଇସିୟୁକୁ ନେବା ପାଇଁ ଡାକ୍ତରମାନେ ନିଷ୍ପତି ନେଲାବେଳେକୁ ୱାର୍ଡରେ ଜୀବନ ଯାଉଛି ଶିଶୁଙ୍କର । ରିପୋର୍ଟ ସଂଗ୍ରହ ବେଳେ ଏପରି ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯାହାକୁ ଦେଖିଲେ ଯେକୌଣସି ଲୋକ ଦୁଃଖରେ ଭାଙ୍ଗି ପଡିବ । କ୍ୟାମେରା ସାମନାରେ ଏକ ଶିଶୁପୁତ୍ର ଜୀବନ ମରଣ ସଂଘର୍ଷରେ ହାରି ଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଗତ ଦୁଇ ମାସ ମଧ୍ୟରେ ୯୩ ଜଣ ଶିଶୁଙ୍କ ଜୀବନ ଗଲାଣି । ଯେଉଁଆଡକୁ ଚାହିଁବ, ଖାଲି କାନ୍ଦ ବୋବାଳି । ଜାପାନୀ ଏନସେଫାଲାଇଟିସକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଫେଲ ମାରିଛି ସ୍ୱାସ୍ଥ୍ୟ ବିଭାଗ । ଯଦି ଏପରି ଅବସ୍ଥା ଜାରି ରହେ, ତେବେ ମାଲକାନଗିରି ଆଦିବାସୀ ମାଆର କୋଳ ଶୂନ୍ୟ ହୋଇଯିବା ଆଶଙ୍କା ପ୍ରକାଶ ପାଇଲାଣି । ପାଖାପାଖି ୧୦୦ ଶିଶୁଙ୍କ ମୃତ୍ୟୁପରେ ବି ସ୍ୱାସ୍ଥ୍ୟ ବିଭାଗ ଏପର୍ଯନ୍ତ କାରଣ ଖୋଜି ପାଇବାରେ ସମର୍ଥ ହୋଇନି ।

ମାଲକାନଗିରି ଏବେ ପାଲଟିଛି ଶିଶୁ ମୃତ୍ୟୁର ଉପତ୍ୟକା । ସରକାରଙ୍କ ଉଦାସୀନତା ଓ ସ୍ୱାସ୍ଥ୍ୟ ବିଭାଗର ବିଫଳତା ବିରୋଧରେ ଏକାଠି ହେଉଛନ୍ତି ଜନସାଧାରଣଠାରୁ ଆରମ୍ଭ କରି ସମାଜସେବୀ । ସମାଜସେବୀ ଋତୁପର୍ଣ୍ଣା ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । କେମିତି ଥିଲା ସେହି ହୃଦୟ ବିଦାରକ ଦୃଶ୍ୟ ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :