ଝୁଲି ରହିଛି ମାଲକାନଗିରି ଜିଲ୍ଲା ପରିଷଦ ଗଠନ ! ୨ଟି ଜୋନରେ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା

31

କନକ ବ୍ୟୁରୋ : ମାଓବାଦୀଙ୍କ ଧମକ ପରେ ଅଧାରେ ଲଟକି ରହିଛି ମାଲାକନଗିରିର ଜିଲ୍ଲା ପରିଷଦ ଗଠନ । ସେପଟେ ହାଇକୋର୍ଟଙ୍କ ରହିତାଦେଶ ପରେ ପରିସ୍ଥିତି ଆହୁରି ଗୋଳିଆ ହୋଇ ପଡିଛି । ଚିତ୍ରକୋଣ୍ଡାର ଦୁଇଟି ଜୋନକୁ ବାଦ ଦେଇ ପରିଷଦ ଗଠନ ହେବ ନା ନିର୍ବାଚନ ପରେ ପରିଷଦ ଗଠନ ହେବ ତାହା କୋର୍ଟଙ୍କ ନିଷ୍ପତି ଉପରେ ନିର୍ଭର କରୁଛି । ମାଓବାଦୀଙ୍କ ଧମକ ଓ ହାଇକୋର୍ଟଙ୍କ ହସ୍ତକ୍ଷେପ ଭିତରେ ବିଚ୍ଛିନ୍ନାଂଚଳରେ ନିର୍ବାଚନ କରାଇବା ଏବେ ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ହାରିଗଲା ଲୋକତନ୍ତ୍ର । ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓବାଦୀଙ୍କ ବୁଲେଟ ଆଗରେ ହାର ମାନିଲା ବ୍ୟାଲଟ । ମାଓବାଦୀ ଧମକ ଯୋଗୁଁ ମାଲକାନଗିରିରେ ହୋଇ ପାରିଲା ନାହିଁ ଜିଲ୍ଲା ପରିଷଦ ଗଠନ । ଏପରିକି ଦୁଇଟି ଜୋନରେ ଭୋଟ୍ ମଧ୍ୟ ପଡିନି । ନାମାଙ୍କନ ପତ୍ର ଗ୍ରହଣ କରିବାକୁ ଯାଇଥିବା ୫ଜଣ ନିର୍ବାଚନ ଅଧିକାରୀଙ୍କ ଅପହରଣ ପରେ ଚିତ୍ରକୋଣ୍ଡାର ଦୁଇଟି ବ୍ଲକରେ ନିର୍ବାଚନ ସ୍ଥଗିତ ରଖିଥିଲେ କମିସନ । ହାଇକୋର୍ଟରେ ମାମଲା ରୁଜୁ ପରେ ଚିତ୍ରକୋଣ୍ଡାର ଦୁଇ ଜୋନରେ ନିର୍ବାଚନ ପରେ ପରିଷଦ ଗଠନ ହବ ନା କେବଳ ୧୩ଟି ଜିଲ୍ଲା ପରିଷଦ ସଦସ୍ୟକୁ ନେଇ ଗଠନ ହେବ ମାଲକାନଗିରି ଜିଲ୍ଲା ପରିଷଦ । ଏହାକୁ ନେଇ ସସପେନ୍ସ ଜାରି ରହିଛି ।

ମାଓ ଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ୧୯ଟି ଗ୍ରାମ ପଂଚାୟତରେ ଅବାଧ ନିର୍ବାଚନ କରାଇବା ଏବେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପାଇଁ ଏକ ବଡ ଚ୍ୟାଲେଂଜ । କାରଣ ଏବେ ବି ବିଚ୍ଛିନ୍ନାଂଚଳରେ ମାଓବାଦୀଙ୍କ ନିର୍ବାଚନ ବିରୋଧୀ ଫତୁଆ ବଳବତର ରହିଛି ।

ମୋଟ ୧୫ଟି ଜିଲ୍ଲା ପରିଷଦ ଯୋନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୦ଟି ଜୋନରେ ବିଜୟ ଲାଭ କରି ମ୍ୟାଜିକ ନମ୍ବର ହାତେଇ ସାରି ଥିବା ସତ୍ୱେ ଜିଲ୍ଲା ପରିଷଦ ଗଠନ ହୋଇ ପାରିନାହିଁ । କାରଣ ଚିତ୍ରକୋଣ୍ଡା ଯୋନର ବି.ଜେ.ପି ପ୍ରାର୍ଥୀ ଟିବୁରାମ ଟାଙ୍ଗୁଲୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ମାମଲା ଏବେ ବିଚାରାଧୀନ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-