‘ସନ୍ଧ୍ୟା’ଙ୍କ ଆଗମନରେ ଝୁମିଲା ଲାଲଗଡ : ଓଏଏସ ପାଇଥିବା ସନ୍ଧ୍ୟା ସମରଥ ଜନ୍ମମାଟିକୁ ଫେରିବା ପରେ ଫୁଲମାଳ ଦେଇ ସ୍ୱାଗତ କଲେ ଗ୍ରାମବାସୀ

154

କନକ ବ୍ୟୁରୋ : ଲାଲଗଡର ସନ୍ଧ୍ୟା । ସେଇ ଉଜ୍ୱଳ ସନ୍ଧ୍ୟା ଏବେ ଲାଲଗଡରେ ଆଲୋକର ବାର୍ତ୍ତା ଦେଉଛି । ମାଲକାନଗିରି ଜିଲ୍ଲା ସାଲିମି ଗାଁର ଆଦିବାସୀ ଝିଅ ସନ୍ଧ୍ୟା ସମରଥ । ଯିଏ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାଓ ଗଡରେ ଶିକ୍ଷାର ମଶାଳ ଧରି ଛିଡା ହୋଇ ପାରିଛନ୍ତି । ଓ.ଏ.ଏସ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସନ୍ଧ୍ୟା ନିଜ ଗାଁକୁ ଫେରିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଖୁସିରେ ବିଭୋର ପୁରା ଲାଲଗଡ । ସନ୍ଧ୍ୟାଙ୍କ ଏହି ଖୁସିର ମୁହୁର୍ତ୍ତରେ ସାମିଲ ହୋଇଥିଲା କନକ ନ୍ୟୁଜ ।

ଲାଲବାହିନୀର ନାଲି ଆଖିରେ ଥରହର ହେଉଥିବା ମାଲକାନଗିରି ସାଲିମି ଗାଁରେ ଖୁସିର ମାହୋଲ । ଲାଲଗଡର ସୁନା ଝିଅ ସନ୍ଧ୍ୟା ସମରଥ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ଗାଁକୁ ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନାର ଭଳି ମାହୋଲ ବନିଥିଲା । ଲାଲଗଡର ଉଜ୍ଜଳ ସନ୍ଧ୍ୟାକୁ ପାଖରେ ପାଇ ଖୁସିରେ ମସଗୁଲ ଗ୍ରାମବାସୀ । ସାଲିମି ପ୍ରାଥମିକ ବିଦ୍ୟାଳୟରୁ ପାଠ ଆରମ୍ଭ କରିଥିବା ହଲବୀ ସମ୍ପ୍ରଦାୟର ଆଦିବାସୀ ଝିଅ ସନ୍ଧ୍ୟା ମାଲକାନଗିରିର ନବୋଦୟ ବିଦ୍ୟାଳୟରେ ପାଠ ପଢିବା ପାଇଁ ଚୟନ ହେବା ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ଝିକର ଓ ଆଜବେଷ୍ଟସ ଘରେ ରହୁଥିବା ୫ ପୁଅ ଝିଅର ପରିବାର ମୁହଁରେ ଆହାର ଦେବା ପାଇଁ ବାପା ରାମଦେବ ସମରଥ ଚାଷ କରନ୍ତି । ଆଉ ସନ୍ଧ୍ୟାଙ୍କ ହାତରେ ମାତ୍ର ୧୫୦ ଟଙ୍କା ଦେଇ ନବୋଦେୟ ସ୍କୁଲରେ ଛାଡିଥିଲେ ରାମଦେବ । ଏପରି ସ୍ଥିତିରେ ସନ୍ଧ୍ୟାଙ୍କ ସଫଳତା ସୁଖିଲା ନଇରେ ପଦ୍ମ ଫୁଟିଲା ପରି ବୋଲି କହିଛନ୍ତି ସନ୍ଧ୍ୟାଙ୍କ ବାପା ମାଆ ।

ନବୋଦୟ ବିଦ୍ୟାଳୟରୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଏ’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସଂଧ୍ୟା । ପରେ ଭୁବନେଶ୍ୱର ବି.ଜେ.ବି କଲେଜରେ ସ୍ନାତକ ପାସ କରିଛନ୍ତି । ବର୍ତମାନ ସନ୍ଧ୍ୟା ଆଦିବାସୀ ସଂସ୍କୃତିରେ ଏମ.ଫିଲ କରୁଛନ୍ତି । ଏ ବାବଦକୁ ତାଙ୍କୁ ମାସିକ ୩୦ ହଜାର ଟଙ୍କାର ବୃତ୍ତି ମିଳୁଛି । ବୃତ୍ତି ପଇସାରେ ସଂଧ୍ୟା ନିଜେ ପଢିବା ସହ ଅନ୍ୟ ୪ ଭାଇ ଭଉଣୀଙ୍କ ପଢ଼ା ଖର୍ଚ୍ଚ ବହନ କରୁଛନ୍ତି । ପି.ଏଚ.ଡିର ଗବେଷଣା କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଓଡିଶା ପ୍ରାଶାସନିକ ପରୀକ୍ଷା ପାଇଁ ବିଶେଷ ପ୍ରସ୍ତୁତି କରିପାରିନଥିଲେ ସନ୍ଧ୍ୟା । ତଥାପି ଓଏଏସ ପାଇଥିବା ସଂଧ୍ୟା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲକ୍ଷ୍ୟ ରଖିଛନ୍ତି ।