ବିଚ୍ଛିନ୍ନାଂଚଳ ରୁ ବାଂଲାଦେଶ । ଚାକିରୀ ନାଁରେ ଆଦିବାସୀ ଯୁବତୀଙ୍କୁ କରାଯାଉଛି ବିଦେଶ ଚାଲାଣ

30

କନକ ବ୍ୟୁରୋ : ବିଚ୍ଛିନ୍ନାଂଚଳ ରୁ ବାଂଲାଦେଶ । ଚାକିରି ଆଳରେ ଆଦିବାସୀ ଯୁବତୀଙ୍କୁ ବାଂଲାଦେଶ ଚାଲାଣ କରାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଂଚଳ ମାଳିଗୁଡା ଗାଁର ଡମ୍ବରୁ ମାଟାମଙ୍କ ଝିଅ ଲକ୍ଷ୍ମୀ ମାଟାମ ବାଙ୍ଗାଲୁରୁରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଗତ ୨୦୧୬ ଅକ୍ଟୋବରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ନିଯୁକ୍ତି ମେଳାରେ ଯୋଗ ଦେଇ ବାଙ୍ଗାଲୁରୁ ଏକ କମ୍ପାନୀରେ ଚାକିରି ପାଇଥିଲେ ଲକ୍ଷ୍ମୀ । ତେବେ ବାଙ୍ଗାଲୁରୁରେ ମାସେ ଯାଏଁ ସବୁ ଠିକ ଠାକ ଚାଲିଥିଲା । ମାସକ ପରେ ଘର ସହ ଆଉ ଯୋଗାଯୋଗ କରିନଥିଲେ ଲକ୍ଷ୍ମୀ । କିଛି ମାସ ପରେ ସେ ବାଂଲାଦେଶରେ ଅତି ଦୁଖ କଷ୍ଟରେ ଦିନ ବିତାଉଥିବା ନେଇ ବାପା ମାଁ ଙ୍କୁ ଫୋନ ଯୋଗେ ଜଣାଇ ଥିଲେ । ତାଙ୍କୁ ଉଦ୍ଧାର କରିବା ଲାଗି ଚିତ୍ରକୋଣ୍ଡା ଥାନା ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ଥିଲେ ପରିବାର ଲୋକେ । ତେବେ ଘଟଣା କୁ ୨ ବର୍ଷ ବିତି ଯାଇ ଥିଲେ ହେଁ ଝିଅର ଖୋଜ ଖବର ପାଉ ନାହାନ୍ତି ବାପା ମାଁ । ଲକ୍ଷ୍ମୀକୁ ଖୋଜି ଆଣିବା ପାଇଁ ସହାୟତା ଦେବାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୁର୍ବତନ ସାଂସଦ ପ୍ରଦୀପ ମାଝୀ ।

ଆଗାମୀ ୧୫ ଦିନ ମଧ୍ୟରେ ତାଙ୍କୁ ଉଦ୍ଧାର କରା ନ ଗଲେ ସଚିବାଳୟ ଘେରାଉ କରିବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମାଝୀଙ୍କ ସହ ସାମିଲ ହୋଇଛନ୍ତି ପଡୋଶୀ ସୁକୁମା ବିଧାୟକ ଲଖମା କାୱାସୀ ।