ମାଲକାନଗିରି : ରାତି ତମାମ ମା ଓ ଛୁଆ ଭାଲୁ କୂଅରେ ପଡି ହେଲେ ଛଟପଟ,ବନ ବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଧ୍ୟମରେ ହେଲେ ଉଦ୍ଧାର

33

କନକ ବ୍ୟୁରୋ : କୂଅ ଭିତରେ ୩ ଭାଲୁ । ରାତି ତମାମ କୂଅ ଭିତରେ ପଡି ଛଟପଟ ହେଲେ ମାଆ ଓ ଦୁଇ ଛୁଆ ଭାଲୁ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ରେଂଜ ସୋମନାଥପୁର ପଂଚାୟତର କଣ୍ଡେଲ ଗାଁରେ । ଗାଁ ଭିତରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ମାଆ ଭାଲୁ ଓ ତାର ୨ ଛୁଆ ରାତିରେ ପଡି ଯାଇଥିଲେ । ସକାଳେ କିଛି ଗ୍ରାମବାସୀ ବିଲକୁ ଯାଉଥିବା ବେଳେ ଶବ୍ଦ ଶୁଣି କୂଅ ଭିତରେ ଭାଲୁ ଦେଖିଥିଲେ ।

୧୫ ଫୁଟ କୂଅ ଭିତରେ ଏକ ବିରାଟ ମାଈ ଭାଲୁ ଓ ତାର ଦୁଇ ଛୁଆଙ୍କୁ ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ସୋମନାଥପୁର ଫରେଷ୍ଟରଙ୍କ ଉଦ୍ୟମରେ ପ୍ରଥମେ ଏକ ନିଶୁଣି ଯୋଗେ ଭାଲୁକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ତେବେ ବିଫଳ ହେବା ପରେ ଅଗ୍ନିଶମ ବିଭାଗର ସାହାଯ୍ୟ ଲୋଡିଥିଲେ ବନ କର୍ମଚାରୀ । ଆଉ କୁଡୁମୁଲୁଗୁମା ବ୍ଲକର ଅଗ୍ନିଶମ କର୍ମଚାରୀ ପହଂଚିବା ପରେ ଭାଲୁ ତିନୋଟିକୁ ଉଦ୍ଧାର କରାଯାଇଥିଲା । କୂଅ ଭିତରୁ ବାହାରିବା ମାତ୍ରେ ଭାଲୁ ତିନିଟି ଜଂଗଲ ଭିତରୁ ଦୌଡି ପଳାଇଥିଲେ ।