ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି : ପୋଟେରୁ ନଦୀରେ ପ୍ରବଳ ବନ୍ୟା

97

କନକ ବ୍ୟୁରୋ : ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୋଟେରୁ ପୋଲ ଉପରେ ୨ଫୁଟ ଉଚ୍ଚ ବନ୍ୟା ପାଣଇ ଚାଲୁଛି । ପୋଟେରୁ ସମେତ କାଙ୍ଗୋରୁକୁଣ୍ଡା, କନ୍ୟାଶ୍ରମ ଆଦି ସ୍ଥାନରେ ପୋଲ ଉପରେ ବନ୍ୟା ପାଣି ଚାଲୁଛି । ମାଲକାନଗିରି – କାଲିମେଳା ଯୋଗାଯୋଗ ବିିଚ୍ଛିନ୍ନ ହୋଇଛି ।

କିଛିଦିନ ପୂର୍ବରୁ ରାଜ୍ୟରେ ବନ୍ୟା ସ୍ଥିତି ସାମାନ୍ୟ ହୋଇଥିବା ସୂଚନା ଦେଇଥିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ନଦୀ ଗୁଡିକରେ ଜଳସ୍ତର କମିଥିଲା । ତେବେ ନବରଙ୍ଗପୁର ଓ ମାଲକାନଗିରିରେ ସତର୍କ ବଜାୟ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଥିଲେ । ନବରଙ୍ଗପୁରର ୩ଟି ଗାଁ ପାଣି ଘେରରେ ଥିଲାବେଳେ ସେଠାରୁ ପ୍ରାୟ ୨ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା କହିଥିଲେ ଏସଆରସି । ସେପଟେ ନିୟମଗିରିରେ ଥିବା ଡଙ୍ଗରିଆ କନ୍ଧଙ୍କୁ ହେଲିକପ୍ଟର ଯୋଗେ ରିଲିଫ ସାମଗ୍ରୀ ବଂଟାଯାଇଥିଲା ।