ମନ କିଣିନେଲେ ଜିଲ୍ଲାପାଳ : ୬ ଦିନ ଧରି ମୋଟୁରେ ପଡି ରହିବା ପରେ ବି ଶ୍ରମିକଙ୍କୁ ଫେରାଇ ନେବାକୁ ଶୁଣିଲାନି ପଶ୍ଚିମବଙ୍ଗ । ଶୁଖିଲା ଖାଦ୍ୟ , ହାତଖର୍ଚ୍ଚ ଦେଇ ବସରେ ପ୍ରବାସୀଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କଲେ ମାଲକାନଗିରି ଜିଲ୍ଲାପାଳ ।

461

କନକ ବ୍ୟୁରୋ : ମାନବିକତା ଦେଖାଇଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ୪୦୦ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ ଓଡିଶା ସୀମାକୁ ଆସି ଥିବା ୫୮ ଜଣ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲେ ମାଲକାନଗିରି ଜିଲ୍ଲାପାଳ । ଖାଇବା ପିଇବା ବ୍ୟବସ୍ଥା ସହ ହାତ ଖର୍ଚ ଦେଇ ଏକ ବସ୍ ଯୋଗେ ଅସହାୟ ବଙ୍ଗାଳି ଶ୍ରମିକଙ୍କୁ ଘରକୁ ପଠାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଆଉ ମାଲକାନଗିରି ଜିଲ୍ଲା ଓ ଓଡିଶା ସରକାର ପ୍ରଶାସନ ର ଏପରି ପଦକ୍ଷେପକୁ ଆଜୀବନ ମନେ ରଖିବେ ବୋଲି କହିଛନ୍ତି ବଙ୍ଗୀୟ ଶ୍ରମିକ ।

୬ ଦିନ ଓଡିଶା ସୀମାରେ ପଡି ରହିବା ପରେ ଶେଷରେ ଘରକୁ ଫେରୁଛନ୍ତି ପଶ୍ଚିମବଙ୍ଗର ୫୮ ଜଣ ଶ୍ରମିକ ।  ଆଉ ବସ୍ ରେ ଘରକୁ ଫେରିବା ସମୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏମାନେ ଜଣାଇଛନ୍ତି ଧନ୍ୟବାଦ । ହାଇଦ୍ରାବାଦ ଠାରେ ଫସି ଥିଲେ ୮୬ ପଶ୍ଚିମବଙ୍ଗ ଶ୍ରମିକ । ଟୋଲ ଫ୍ରି ନଂରେ ବାରମ୍ବାର ଫୋନ କରି ପଶ୍ଚିମ ବଙ୍ଗ ସରକାରଙ୍କୁ ଜଣାଇବା ପରେ ବି ଶୁଣିଲେନି ସରକାର । ଶେଷରେ ବିପଦ ପୁର୍ଣ ଘର ବାହୁଡା ଆରମ୍ଭ କରି ଥିଲେ ୫୮ ଶ୍ରମିକ । ୬ ଦିନ ଧରି ଚାଲିବା ପରେ ପହଁଚିଥିଲେ ଓଡିଶା ମୋଟୁ ସୀମାରେ । ପଶ୍ଚିମବଙ୍ଗ ସରକାର ଏମାନଙ୍କ ଫେରିବା ନେଇ କୌଣସି ବ୍ୟବସ୍ଥା ନକରିବାରୁ ଶେଷରେ ମାଲକାନଗିରି ଜିଲ୍ଲାପାଳ ବସ୍ ଯୋଗାଡ କରି ସମସ୍ତ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ପଠାଇବା ବ୍ୟବସ୍ଥା କରିଛନ୍ତି ।

୫୮ ଜଣ ବଙ୍ଗୀୟ ଶ୍ରମିକଙ୍କୁ ସୁଖିଲା ଖାଦ୍ୟ ସହ ଜଣ ପିଛା ୫୦୦ ଟଙ୍କା ଲେଖାଏଁ ହାତ ଖର୍ଚ ମଧ୍ୟ ଦିଆ ଯାଇଛି । ଆଉ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ସମସ୍ତ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ  । କେବଳ ପ୍ରବାସୀ ଓଡିଆ ନୁହଁ ବରଂ ଦକ୍ଷୀଣ ଭାରତରେ କାମ କରୁ ଥିବା ଅନ୍ୟ ରାଜ୍ୟର ଶ୍ରମିକମାନେ ଏବେ ଫେରିବାରେ ଲାଗିଛନ୍ତି । ଏପରି ସମୟରେ ଶ୍ରମିକଙ୍କୁ କ୍ୱାରେଣ୍ଟିନରେ ରଖିବା ସହ ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ପଠାଇବାର ଦାୟୀତ୍ୱ ବହନ କରୁଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ ।