ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଲମ୍ବୀ କରିବ ମାଛ । ଜୀବିକା ଯୋଗାଇବାକୁ ସରକାର ଛାଡିବେ ଯାଆଁଳା, ଧରିବେ ବିକିବେ ଆଦିବାସୀ ।

205

କନକ ବ୍ୟୁରୋ : ମାଲକାନଗିରିର ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଲମ୍ବୀ କରିବ ମାଛ ଚାଷ । ସ୍ୱାଭିମାନ ଅଂଚଳର ଆଦିବାସୀଙ୍କୁ ଜୀବିକା ଯୋଗାଇବାକୁ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଯାଆଁଳ ଛାଡିଛି ଜିଲ୍ଲା ପ୍ରଶାସନ । ଆଉ ଏବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୨୦ କୋଟି ଟଙ୍କା ।

ଜଳଭଣ୍ଡାର ଯୋଗାଇବ ଜୀବିକା । ସରକାର ଛାଡିବେ ଯାଆଁଳ, ଧରିବେ ବିକିବେ ଆଦିବାସୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବ ମାଛ ଚାଷ । ଯେଉଁଠି ଦିନେ ବିକାଶ ଅପହଂଚ ଥିଲା, ସେଠାରେ ଏବେ ଅବିରତ ବିକାଶର ଧାରା ବହୁଛି । ଗୁରୁପ୍ରିୟା ସେତୁ ଡେଇଁ ବିକାଶର ଗାଡି ସ୍ୱାଭିମାନ ଅଂଚଳରେ ପହଂଚିବା ପରେ ଏଠାକାର ଆଦିବାସୀଙ୍କୁ ସ୍ୱାବଲମ୍ବି କରିବାକୁ ଅଂଟା ଭିଡିଛି ପ୍ରଶାସନ । ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଂଚଳ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିବା ବେଳେ ସେହି ପ୍ୟାକେଜରେ ରହିଛି ମତ୍ସ୍ୟ ଚାଷ ।

୧. ବାଲିମେଳା ଜଳଭଣ୍ଡାରରେ ୫ କୋଟି ମାଛ ଯାଆଁଳ ଛାଡିବା ପାଇଁ ଘୋଷଣା ହୋଇଥିଲା ।
୨. ୨୦୧୮-୧୯ ଆର୍ଥିକ ବର୍ଷରେ ୪୦ ଲକ୍ଷ ମାଛ ଯାଆଁଳ ଛଡା ଯାଇଥିଲା ।
୩. ୨୦୧୯-୨୦ ଆର୍ଥିକ ବର୍ଷରେ ୧ କୋଟି ୨୦ ଲକ୍ଷ ଯାଆଁଳ ଛାଡିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
୪. ଜଳଭଣ୍ଡାରରେ ମାଛ ଚାଷ ପାଇଁ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରାଯାଉଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ନିଜେ ଜିଲ୍ଲାପାଳ ଗୁରୁପ୍ରିୟା ସେତୁ ନିକଟରେ ମାଛ ଯାଆଁଳ ଛାଡିଛନ୍ତି । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କେବଳ ମାଛ ଯାଆଁଳ ଛଡାଯାଉଛି ତା ନୁହେଁ, ମାଛ ଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର । କାଲିମେଳାରୁ ମାଛ ମାରି ସ୍ୱାଭିମାନ ଅଂଚଳର ବହୁ ମତ୍ସ୍ୟଜୀବୀ ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ସରକାରଙ୍କ ଏଭଳି ପ୍ରୟାସ ଅଂଚଳବାସୀଙ୍କୁ ସ୍ୱାବଲମ୍ବି କରିବ ।