ମାଓ ଇଲାକାରେ ଶିକ୍ଷା ବ୍ୟବସ୍ଥାର ଅସଲ ଚେହେରା ! ଚିତ୍ରକୋଣ୍ଡାରେ ସ୍କୁଲ ଘରେ ବର୍ଷା ପାଣି ଗଳୁଥିବାରୁ ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

32

କନକ ବ୍ୟୁରୋ : ସ୍କୁଲ ଘର ଅଛି, ହେଲେ ତା’ର ଅବସ୍ଥା ଏତେ ଖରାପ ଯେ, ପିଲାଏ ବର୍ଷା ଦିନେ ବାରଣ୍ଡାରେ ବସି ପଢୁଛନ୍ତି । ଏପରି କିଛି ଅବ୍ୟବସ୍ଥା ଦେଖିବାକୁ ମିଳିଛି ମାଓ ଅଂଚଳ ଭାବେ ପରିଚିତ ମାଲାକନଗିରି ଜିଲ୍ଲା ବିଚ୍ଛିନ୍ନାଂଚଳ ଚିତ୍ରକୋଣ୍ଡା ପଣସଗୋନ୍ଧୀ ବିଦ୍ୟାଳୟର । ବର୍ଷା ଦିନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । କାରଣ ବାରଣ୍ଡା ଅପେକ୍ଷା ଶ୍ରେଣୀଗୃହରେ ଅଧିକ ବର୍ଷା ପାଣି ଗଳୁଛି । ଉପରେ ଫଟା ଆଜବେଷ୍ଟ ତଳେ ବସିଛନ୍ତି ଛାତ୍ରଛାତ୍ରୀ, ଆଉ ସେଠାରେ ବି ଚାଲିଛି ମଧ୍ୟାନ୍ନ ଭୋଜନ ରୋଷେଇ ।

ପଣସଗୋନ୍ଧୀ ପ୍ରାଥମିକ ବିଦ୍ୟାଳୟଟି ୧୯୮୨ରୁ ଚାଲିଛି । ବିଚ୍ଛିନ୍ନାଂଚଳରେ ୩୫ ବର୍ଷର ପୁରୁଣା ସ୍କୁଲରେ ୭୦ ପିଲାଙ୍କ ପାଇଁ ରହିଛି ଦୁଇଟି ଶ୍ରେଣୀଗୃହ ଓ ୨ ଜଣ ଶିକ୍ଷକ । ଶ୍ରେଣୀଗୃହର ଅବସ୍ଥା ଏତେ ସଂଗୀନ ଯେ, ବର୍ଷା ହେଲେ ପିଲାମାନେ ବାରଣ୍ଡାରେ ବସି ପଢିନ୍ତି । ବର୍ଷା ପରିମାଣ ଅଧିକ ହେଲେ ବିଦ୍ୟାଳୟ ବନ୍ଦ କରିବାକୁ ବାଧ୍ୟ ହୋଉଛନ୍ତି ଶିକ୍ଷକ । ସ୍କୁଲର ଅବସ୍ଥା ବାବଦରେ ସ୍ଥାନୀସ ବାସିନ୍ଦା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବ ଶିକ୍ଷା ଅଭିଯାନର ଅଧିକାରୀ ଓ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ପୁରା ମାଲକାନଗିରି ଜିଲ୍ଲା କଥା ଛାଡନ୍ତୁ କେବଳ ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀର ୩୨ ସ୍କୁଲ ଏମିତି ଅବସ୍ଥାରେ ରହିଛି । କେଉଁଠି ଆଦୌ ଶ୍ରେଣୀ ଗୃହ ନ ଥିବାରୁ ପିଲାଏ ଗଛ ତଳେ କିମ୍ବା ଖୋଲା ଆକାଶ ତଳେ ପାଠ ପଢୁଛନ୍ତି । ଏପରି ସ୍ଥଳେ ରୋଷେଇଘର, ଶୌଚାଳୟ, ପାଚେରୀ, ପାନୀୟ ଜଳ କଥା ପଚାରେ କିଏ ।