ପାଠ ପଢିବା ପାଇଁ ସଂଘର୍ଷ । ଜୀବନ ଜିଇଁବାକୁ ଅର୍ଥ ସାଜିଛି ବାଧକ, କୁକୁଡା ବିକିଲେ ପାଠ ପଢିବେ ଆଦିବାସୀ ଧାବକ ରାମଚନ୍ଦ୍ର ।

498

କନକ ବ୍ୟୁରୋ : ପାଠ ପଢିବା ପାଇଁ ସଂଘର୍ଷ । ଆର୍ଥିକ ଅନଟନରେ ପଡି ଦେଶି କୁକୁଡା ଚାଷ କରୁଛନ୍ତି ଆଦିବାସୀ ଧାବକ । ମାଲକାନଗିରିର ଆଦିବାସୀ ଧାବକ ରାମଚନ୍ଦ୍ର ଦୋରା । ଦିନେ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ରାଜ୍ୟ, ଜାତୀୟ ସ୍ତରରେ ବେଶ କୃତିତ୍ୱ ଓ ସଫଳତା ଆଣିଥିଲେ । କିନ୍ତୁ ଅର୍ଥ ଏବେ ତାଙ୍କ ପାଦରେ ବେଡି ପକାଇ ଦେଇଛି । ପାଠପଢା ଏବଂ କ୍ରୀଡା କ୍ଷେତ୍ରରେ ବାଧକ ସାଜିଛି ଅର୍ଥ । ଦିନେ ଜିଲ୍ଲା ପାଇଁ ଗୌରବ ପାଲଟିଥିବା ରାମଚନ୍ଦ୍ର ଏବେ ଅଲୋଡା । ମାଲକାନଗିରି ମାଥିଲି ଅଂଚଳର ଆଦିବାସୀ ଧାବକ ରାମଚନ୍ଦ୍ରଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣଙ୍କ ଆଖି ବି ଓଦା ଓଦା ହୋଇଯିବ, ଛାତି ଭାରି ଭାରି ହୋଇଯିବ ।

ପାଠ ପାଇଁ ସଂଘର୍ଷ । କୁକୁଡା ବିକିଲେ ପଢିବ ‘ରାମ’ । ଆଦିବାସୀ ଗାଁର ସୁନା ପୁଅ । କ୍ରୀଡା କ୍ଷେତ୍ରରେ ଗାଁ ପାଇଁ ଗୌରବ । ନାଁ ରାମଚନ୍ଦ୍ର ଦୋରା । ଯୁକ୍ତ ୩ ପଢିବା ସହ କ୍ରୀଡାରେ ଆଗକୁ ବଢିବା ପାଇଁ ସଂଘର୍ଷ କରୁଛନ୍ତି ରାମଚନ୍ଦ୍ର । ପଛୁଆ ଜିଲ୍ଲାରେ ରାମଚନ୍ଦ୍ର ଜଣେ ଆଗୁଆ ଧାବକ । ୧୦୦ ଓ ୨୦୦ ମିଟର ଦୌଡରେ ରାମଚନ୍ଦ୍ରଙ୍କ ସଫଳତା ପାଇଁ ସାରା ଗାଁ ଆଜି ଗର୍ବ କରୁଛି । ଅଭାବୀ ପରିବାରରେ ତାଙ୍କୁ ବାଧକ ହେଉଛି ଅର୍ଥ । ଦେଶି କୁକୁଡା ଚାଷ କରି ସେଥିରୁ ଯାହା ଅର୍ଥ ମିଳେ ସେଥିରେ ପାଠ ପଢୁଛନ୍ତି ।

କୋରାପୁଟ ଜିଲ୍ଲା ଡି.ଏ.ଭି ବିଜ୍ଞାନ ମହାବିଦ୍ୟାଳୟରେ ରାମଚନ୍ଦ୍ର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର । ବର୍ଷେ ହେବ ଏକ ସ୍ୱେଚ୍ଛାସେବୀ ସଂସ୍ଥା, ତାଙ୍କୁ କୁକୁଡା ଚାଷ ପାଇଁ ସହାୟତା ଦେଇଛି । କୁକୁଡା ଚାଷରୁ ଆୟ ହେଉଥିବା ଅର୍ଥରେ ବହି କିଣିବା ସହ କଲେଜ ଫି ଦେଉଛନ୍ତି ରାମଚନ୍ଦ୍ର । ମାଲକାନଗିରି ମାଥିଲି ବ୍ଲକ ଡାଇଗୁଡା ଗାଁର ଡମୁ ଦୋରାଙ୍କ ମଝିଆ ପୁଅ ରାମଚନ୍ଦ୍ର । ଗରିବ ପରିବାରରେ ଓଳିଏ ଖାଇଲେ ଓଳିଏ ଉପାସ । ଏହାରି ଭିତରେ ସଫଳ ଆଥଲେଟ୍ ହେବାର ସ୍ୱପ୍ନକୁ ଧରି ଆଗକୁ ବଢୁଛନ୍ତି ରାମଚନ୍ଦ୍ର । ତେବେ ରାଜ୍ୟ ତଥା ଜାତୀୟସ୍ତରରେ ପ୍ରତିଯୋଗିତା ପାଇଁ କେଉଁଠୁ ଆଣିବେ ଅର୍ଥ ଏହା ତାଙ୍କ ପାଇଁ ସବୁଠାରୁ ବଡ ପ୍ରଶ୍ନ ।

ମଉଳି ଯାଉଛି ଆଶା । ଦୂରେଇ ଯାଉଛି ସ୍ୱପ୍ନ । ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜିତ ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି ରାମଚନ୍ଦ୍ର । କିନ୍ତୁ ଏବେ ଅର୍ଥ ସମସ୍ୟା ତାଙ୍କ ମୁହଁରୁ ସଫଳତାର ହସ ଛଡେଇ ନେଇଛି । ପୂରଣ ହେବାକୁ ଥିବା ସବୁ ସ୍ୱପ୍ନ ଧିରେ ଧିରେ ଦୂରେଇ ଯାଉଛି । ବଣ ମଲ୍ଲି ବଣରେ ଫୁଟି ମଉଳି ଯିବା ଭଳି ଆଦିବାସୀ ଗାଁର ଉଜ୍ଜଳ ଧାବକ ରାମଚନ୍ଦ୍ର ମଉଳି ଯାଉଛନ୍ତି । ଆଗକୁ ବଢିବାକୁ ମନରେ ସିନା ସ୍ୱପ୍ନ ଅଛି, କିନ୍ତୁ ସ୍ୱପ୍ନ ସାକାରା କରିବାକୁ ଅର୍ଥ ସାଜିଛି ବାଧକ । ତେବେ ରାମଚନ୍ଦ୍ରଙ୍କୁ ସରକାରୀ ସହାୟତା ମିଳିପାରିଲେ, ସେ ନିଜ ସ୍ୱପ୍ନ ସାକାର କରିବା ସହ ରାଜ୍ୟର ନାଁ ରଖିପାରିବେ ।