ଏଣିକି ପୁରୁଷ ଡ୍ରାଇଭରମାନେ ରାତିରେ ମହିଳା ଯାତ୍ରୀଙ୍କୁ ନେଇପାରିବେନି ଟ୍ୟାକ୍ସିରେ : ଜାଣନ୍ତୁ କେଉଁଠି ଓ କାହିଁକି

31

ରାତି ୧୦ଟା ପରେ ବେଜିଙ୍ଗରେ ଟ୍ୟାକ୍ସି ଚଳାଉଥିବା ପୁରୁଷ ଡ୍ରାଇଭରମାନେ ଆଉ ମହିଳାମାନଙ୍କୁ ଟ୍ୟାକ୍ସିରେ ବସାଇ ନେଇ ପାରିବେ ନାହିଁ। ଟ୍ୟାକ୍ସିରେ ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବାର ରିପୋର୍ଟ ମିଳିବା ପରେ ଏଭଳି ନିୟମ ପ୍ରଚଳନ କରାଯାଇଛି। ବେଜିଙ୍ଗରେ ଯଥେଷ୍ଟ ମହିଳା ଡ୍ରାଇଭର୍ ଥିବାରୁ ନୂତନ ନିୟମ ପ୍ରଚଳନ କରାଇବା ସମ୍ଭବ ହୋଇପାରିଛି। ଆଞ୍ଚଳିକ ସରକାର ପ୍ରଥମେ ‘ଡିଡି’ ନାମକ କାର୍ ସେବା କମ୍ପାନିକୁ ବନ୍ଦ କରାଇଥିଲେ। କିନ୍ତୁ, ଏବେ ସେ କମ୍ପାନିକୁ ପୁଣି କାର୍ ଚଳାଇବାକୁ ଅନୁମତି ମିଳିଛି ସତ, କିନ୍ତୁ ସେମ୍-ସେକ୍ସ ରୁଲରେ ତାହାର ସେବାକୁ ସୀମିତ କରାଯାଇଛି। ଏହାଛଡ଼ା ମଧ୍ୟ ରାତ୍ରୀରୁ ସକାଳ ୬ଟା ଯାଏଁ କମ୍ପାନିକୁ ଗାଡ଼ି ଚଳାଇବାକୁ ଅନୁମତି ମିଳିନାହିଁ।

ଜଣେ ୨୧ ବର୍ଷୀୟ ବିମାନ ପରିଚାରିକାଙ୍କୁ ଜଣେ ଟ୍ୟାକ୍ସି ଡ୍ରାଇଭର୍ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ସେ ଡ୍ରାଇଭରଜଣକ ନିଜ ବାପାଙ୍କ ଟ୍ୟାକ୍ସି ଓ ଆକାଉଣ୍ଟ ବ୍ୟବହାର କରିଥିଲେ। ଅନ୍ୟ ଏକ ମାମଲାରେ, ପୁଲିସ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା। ସେ ବ୍ୟକ୍ତି ଜଣକ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ବେଜିଙ୍ଗରୁ ସହର ଉପକଣ୍ଠରେ ଥିବା ଏକ ଗାଆଁକୁ ନେବା ବେଳେ ଏକ ନିକାଞ୍ଚନ ସ୍ଥାନରେ ଅଟକି ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ, ସେ ଯୁବତୀ ଜଣକ ଘଟନା ପୂର୍ବରୁ ଡ୍ରାଇଭରଙ୍କ ସନ୍ଦିଗ୍ଧ ହାବଭାବ ଦେଖି ନିଜର ପିତାମାତାଙ୍କୁ ସୂଚନା ଦେଇ ଦେଇଥିଲେ। ବାଟରେ ଗାଡ଼ି ଅଟକାଇ ଡ୍ରାଇଭର୍ ଯୁବତୀଙ୍କୁ ପଛ ସିଟକୁ ଟେକି ନେବାବେଳେ ଯୁବତୀଙ୍କ ପରିବାର ସେଠାରେ ହାଜର ହୋଇ ଯାଇଥିଲେ। ଫଳରେ ଡ୍ରାଇଭର୍ ବିନା ପ୍ୟାଣ୍ଟରେ ସେଠାରୁ ଚମ୍ପଟ୍ ମାରିଥିଲେ ବୋଲି ଆଞ୍ଚଳିକ ଖବରକାଗଜରେ ପ୍ରକାଶ ପାଇଥିଲା। ପରଦିନ ତାଙ୍କୁ ଗିରଫ କରାଯାଇଥିଲା।