ଭାରତକୁ ଝଟକା ଦେଲା ମାଲେସିଆ ! ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକଙ୍କୁ ପ୍ରତ୍ୟାର୍ପଣ କରିବାକୁ ମନାକଲା

39

ଭାରତକୁ ଜବରଦସ୍ତ ଝଟକା ଦେଲା ମାଲେସିଆ । ଭାରତରୁ ଫେରାର ହୋଇଯାଇଥିବା ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ମନା କରିଛି ମାଲେସିଆ ।ଖୋଦ ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଶୁକ୍ରବାର କହିଛନ୍ତି ଯେ, ଜାକିର ନାଏକଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇ ପାରିବ ନାହିଁ । ଏହାଦ୍ୱାରା ଜାକିରଙ୍କୁ ଭାରତ ଆଣିବାକୁ ଚାଲିଥିବା ଯୋଜନା ଫସର ଫାଟି ଯାଇଛି । ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ପର୍ଯ୍ୟନ୍ତ ଜାକିର ତାଙ୍କ ଦେଶରେ କୌଣସି ଅସୁବିଧା ସୃଷ୍ଟି କରୁ ନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯିବ ନାହିଁ । କାରଣ ଜାକିରଙ୍କୁ ମାଲେସିଆ ନାଗରିକତା ପ୍ରଦାନ କରାଯାଇଛି ।

ବିଭେଦ ଓ ଧାର୍ମୀକ ହିଂସା ଉଦ୍ରେକକାରୀ ଭାଷଣ ଦେବା ଅଭିଯୋଗରେ ଜାକିର ନାଏକ ବିରୋଧରେ ଭାରତରେ ମାମଲା ରୁଜ୍ଜୁ ହୋଇଥିବାବେଳେ ସେ ୨୦୧୬ରୁ ଭାରତରୁ ପଳାଇ ଇସ୍ଲାମିକ ଦେଶ ମାଲେସିଆରେ ରହୁଛି । ଜାକିରର ପ୍ରତ୍ୟାର୍ପଣ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତିନି ମାସ ତଳେ ମାଲେସିଆ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏ ସଂପର୍କରେ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରେ ଏହି ଆବେଦନ କରାଯାଇଥିଲା।

ଗତ ମାର୍ଚ୍ଚମାସରେ ମାଲେସିଆର ଏକ କୋର୍ଟ କହିଥିଲେ ଯେ ଭାରତ ସରକାର ଜାକିର ନାଏକ ପ୍ରତ୍ୟାର୍ପଣ ମାମଲାରେ ଆବେଦନ କଲେ ତାହାର ଶୁଣାଣୀ କରାଯିବ । ମାଲେସିଆ ସରକାର ମଧ୍ୟ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ଥିବା ପୂର୍ବରୁ ସଂକେତ ଦେଇଥିଲେ । ଗତ ନଭେମ୍ବର ମାସରେ ମାଲେସିଆର ଉପ-ପ୍ରଧାନମନ୍ତ୍ରୀ ମହମ୍ମଦ ଜାହିଦ କହିଥିଲେ ଯେ ଭାରତ-ମାଲେସିଆ ମଧ୍ୟରେ ସ୍ୱାକ୍ଷରିତ ପାରସ୍ପରିକ ଆଇନ ସହାୟତା ଚୁକ୍ତି ଅଧିନରେ ଭାରତ ସରକାର ଏକ ଅନୁରୋଧ ପଠେଇଲେ ପ୍ରତ୍ୟାର୍ପଣ କରାଯିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଏବେ ମାଲେସିଆ ସରକାରଙ୍କ ନିଷ୍ପତି ଭାରତକୁ ନିରାଶ କରିଛି ।