ସ୍ୱାବଲମ୍ବୀ ହେବାର ନିଶା ! ପିପିଲିର ବଲଭରପୁର ଗାଁରେ ମହିଳାମାନେ ତିଆରି କରୁଛନ୍ତି ବେତ ମାଳି ଓ ପାରମ୍ପାରିକ ଅଳଙ୍କାର

38

କନକ ବ୍ୟୁରୋ : ସ୍ୱାବଲମ୍ବୀ ହେବାର ନିଶା । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇଛି ସ୍ୱୟଂ ସଂହାୟକ ଗୋଷ୍ଠୀ । ପିପିଲିର ବଲଭରପୁର ଗାଁରେ ମହିଳାମାନେ ତିଆରି କରୁଛନ୍ତି ବେତ ମାଳି ଓ ପାରମ୍ପାରିକ ଅଳଙ୍କାର । କିନ୍ତୁ ଏହାକୁ ବିକ୍ରି କରିବା ପାଇଁ ବଜାର ଅଭାବ ଥିବାରୁ ଏମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେତ ମଂଜିରେ ତିଆରି ହେଉଛି ଅଳଙ୍କାର । ପରିବାର ପ୍ରତିପୋଷଣରେ ସାହାଯ୍ୟ କରିବା ପାଇଁ ଅଳଙ୍କାର ତିଆରି କରୁଛନ୍ତି ପିପିଲି ବଲଭରପୁର ଗାଁର ମହିଳାମାନେ । ବେତକୋଳି ଗଛର ମଂଜିକୁ ସଂଗ୍ରହ କରି ଏଥିରେ ରଙ୍ଗ ଦେଇ ବେତ ମାଳି ଓ ସୁନ୍ଦର ସୁନ୍ଦର ହାର, କାନ ଫୁଲ ଆଦି ତିଆରି କରୁଛନ୍ତି । ଗାଁର ୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଥିରୁ ପ୍ରାୟ ମାସିକ ୩ରୁ ୪ହଜାର ଟଙ୍କା ରୋଜଗାର କରୁଛନ୍ତି ।

ବେତ ମଂଜିରୁ ତିଆରି ଏହି ସାମଗ୍ରୀକୁ ବିକ୍ରି କରିବା ପାଇଁ ଏବେ ବଜାରର ଅଭାବ ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ପହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ । ସେପଟେ ବେତମଂଜିର ଅଭାବ ଯୋଗୁଁ କେଜିପ୍ରତି ୨ଶହ ଟଙ୍କାରେ କିଣିବାକୁ ପଡୁଥିବା ମଧ୍ୟ ଚିନ୍ତା ବଢାଇ ଦେଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ଯୋଗାଉ ଦିଆଯାଉଥିବା ବେଳେ ବଜାର ପାଇଁ ବ୍ୟବସ୍ଥା କରାଯିବ ବୋଲି ପିପିଲି ସିଡିପିଓ କହିଛନ୍ତି । ଏହି ମହିଳାମାନଙ୍କୁ ଉପଯୁକ୍ତ ବଜାରର ସୁବିଧା ଯୋଗାଇ ଦେଲେ ଏମାନେ ଦୁଇ ପଇସା ରୋଜଗାର କରିପାରିବା ସହ ପାରମ୍ପରିକ ଅଳଙ୍କାରର ମଧ୍ୟ ପ୍ରଚାର ପ୍ରସାର ବଢିବ ।