ସଂଗ୍ରହାଳୟ ବୁଲିଲେ ମେକ୍ ଇନ୍ ଓଡ଼ିଶା ପ୍ରତିନିଧି : ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରୀ ଦେଖି ହେଲେ ଚମତ୍କୃତ

ସଦସ୍ୟମାନଙ୍କୁ ୨ଟି ଦଳରେ ଭାଗ କରି କଳାଭୂମିକୁ ଭ୍ରମଣ ପାଇଁ ନିଆଯାଇଥିଲା।

108

କନକ ବ୍ୟୁରୋ : ମେକ୍ ଇନ୍ ଓଡ଼ିଶାରେ ଅଂଶଗ୍ରହଣ ପାଇଁ ଆସିଥିବା ସଦସ୍ୟମାନେ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କାରିଗରୀ ଚମତ୍କୃତ କରିଥିବା ଅନେକ ସ୍ୱୀକାର କରିଥିଲେ। ସଦସ୍ୟମାନଙ୍କୁ ୨ଟି ଦଳରେ ଭାଗ କରି କଳାଭୂମିକୁ ଭ୍ରମଣ ପାଇଁ ନିଆଯାଇଥିଲା। ସେଠାରେ ଏହି ସଦସ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ପଂଜୀକରଣ ବ୍ୟବସ୍ଥା ହୋଇଥିଲା। ଏଥିସହ ସେମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ବନ୍ଧୀୟ ସୂଚନା ପୁସ୍ତିକା ଓ ଗାଇଡ୍ ମ୍ୟାପ୍ ପ୍ରଦାନ କରାଯାଇଥିଲା। ପ୍ରତି ଗ୍ୟାଲେରିରେ କ୍ୟୁରେଟର୍ ନିୟୋଜିତ ହୋଇଥିଲେ। ଏଥିସହ ସେଠାରେ ଟେରାକୋଟା କର୍ମଶାଳା ଏବଂ ବାଦ୍ୟ ସଂଗୀତ ପରିବେଷଣ କରାଯାଇଥିଲା। ସେହିପରି ସିଆର୍ପି ଛକ ନିକଟରେ ଥିବା ଜନଜାତି ସଂଗ୍ରହାଳୟକୁ ମଧ୍ୟ ଏକ ଗ୍ରୁପ୍ ବୁଲିବାକୁ ଯାଇଥିଲେ।

ସୂଚନାଯୋଗ୍ୟ, ୫ ଦିନ ଧରି ଚାଲିବାକୁ ଥିବା ଏହି ମେଗା ଇନଭେଷ୍ଟର୍ସ ମିଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ମେକ୍ ଇନ୍ ଓଡିଶା କନକ୍ଲେଭ । ଅତିଥି ମାନଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି, ସେ ନୂଆ ଓଡିଶାକୁ ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି । ଏହି ଶିଳ୍ପ ସମ୍ମିଳନୀକୁ ଭବିଷ୍ୟତ ପିଢିଙ୍କ ପାଇଁ ଉତ୍ସର୍ଗ କରି ନବୀନ କହିଥିଲେ, ସ୍ମାର୍ଟ ସିଟି ଚ୍ୟାଲେଂଜ କ୍ଷେତ୍ରରେ ଏବଂ ସବୁଠାରୁ ଅଧିକ ସଂଖ୍ୟାରେ ଗରିବ ସୀମାରେଖାରୁ ଲୋକଙ୍କୁ ବାହାର କରିବା କ୍ଷେତ୍ରରେ ଓଡିଶା ବେଶ୍ ଆଗରେ ରହିଛି ।

ରାଜଧାନୀର ଜନତା ମୈଦାନରେ ଅନୁଷ୍ଠିତ ହେଉଥିବା ଏହି ଶିଳ୍ପ ସମ୍ମିଳନୀ ଓଡିଶାର ଶିଳ୍ପ କ୍ଷେତ୍ରରେ ଏକ ବଡ ପରିବର୍ତନ ଆଣିବ ବୋଲି ଚର୍ଚା ହେଉଛି । ଦେଶର ସବୁଠାରୁ ବଡ ଶିଳ୍ପପତିଙ୍କ ସମେତ ବିଦେଶର ଶିଳ୍ପପତି ମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି । ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ନେଇ ଆଶା ରଖିଛନ୍ତି ରାଜ୍ୟ ସରକାର । ସବୁଠାରୁ ବଡ କଥା ହେଉଛି ଏଥର, ଖଣିଜ ଶିଳ୍ପକୁ ବାଦ ଦେଇ ଅନ୍ୟକ୍ଷେତ୍ରରେ ପୁଂଜି ନିବେଶ ପାଇଁ ଓଡିଶା ସରକାର ସବୁଠାର ବଡ ଉଦ୍ୟମ କରିଛନ୍ତି । ରିଲାଏନ୍ସ, ଟାଟା, ଜିନ୍ଦଲ, ବିର୍ଲା ଭଳି ବଡ ବଡ ଶିଳ୍ପ ସଂସ୍ଥା ଓଡିଶାରେ ପ୍ରକଳ୍ପ କରିବା ସମ୍ଭାବନା ରହିଛି । ଶିଳ୍ପ ସମ୍ମିଳନୀ ସମୟରେ ସେମାନେ ଏନେଇ ଘୋଷଣା କରିପାରନ୍ତି ।