ଉଦଘାଟନ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୧୮ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ନୂଆ ଓଡିଶାକୁ ସମସ୍ତଙ୍କୁ ସ୍ୱାଗତ

138

କନକ ବ୍ୟୁରୋ : ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡିଶା କନକ୍ଲେଭ । ୫ ଦିନ ଧରି ଚାଲିବାକୁ ଥିବା ଏହି ମେଗା ଇନଭେଷ୍ଟର୍ସ ମିଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ମେକ୍ ଇନ୍ ଓଡିଶା କନକ୍ଲେଭ । ଅତିଥି ମାନଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି, ସେ ନୂଆ ଓଡିଶାକୁ ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି । ଏହି ଶିଳ୍ପ ସମ୍ମିଳନୀକୁ ଭବିଷ୍ୟତ ପିଢୀଙ୍କ ପାଇଁ ଉତ୍ସର୍ଗ କରି ନବୀନ କହିଛନ୍ତି, ସ୍ମାର୍ଟ ସିଟି ଚ୍ୟାଲେଂଜ କ୍ଷେତ୍ରରେ ଏବଂ ସବୁଠାରୁ ଅଧିକ ସଂଖ୍ୟାରେ ଗରିବ ସୀମାରେଖାରୁ ଲୋକଙ୍କୁ ବାହାର କରିବା କ୍ଷେତ୍ରରେ ଓଡିଶା ବେଶ୍ ଆଗରେ ରହିଛି ।

ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି, ମେକ୍ ଇନ ଓଡିଶା କନକ୍ଲେଭ ରାଜ୍ୟ ଶିଳ୍ୱ ବୃଦ୍ଧିରେ ସହାୟକ ହେବ ଏବଂ ଏହା ରାଜ୍ୟର ଶିଳ୍ପାୟନ ଅଭିବୃଦ୍ଧି ଉପରେ ଫୋକସ କରୁଛି । ତେଣୁ ସମସ୍ତ ଶିଳ୍ପପତି ଓ ରାଜ୍ୟର ଅର୍ଥବ୍ୟବସ୍ଥା ପାଇଁ ଅବଦାନ ଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେଶର ବିକାଶରେ କଳା, ହସ୍ତଶିଳ୍ପ ରାଜ୍ୟ ଓଡିଶାର ଯଥେଷ୍ଟ ଅବଦାନ ରହିଛି । ଶିଳ୍ପ କେନ୍ଦ୍ର ଭାବେ ଏବେ ଓଡିଶା ଆଗକୁ ବଢୁଛି ବୋଲି ଏହି ଶିଳ୍ପ ମହାକୁମ୍ଭ ଇନଭେଷ୍ଟର୍ସ ମିଟରେ କହିଛନ୍ତି ନବୀନ ।

ରାଜଧାନୀର ଜନତା ମୈଦାନରେ ଅନୁଷ୍ଠିତ ହେଉଥିବା ଏହି ଶିଳ୍ପ ସମ୍ମିଳନୀ ଓଡିଶାର ଶିଳ୍ପ କ୍ଷେତ୍ରରେ ଏକ ବଡ ପରିବର୍ତନ ଆଣିବ ବୋଲି ଚର୍ଚା ହେଉଛି । ଦେଶର ସବୁଠାରୁ ବଡ ଶିଳ୍ପପତିଙ୍କ ସମେତ ବିଦେଶର ଶିଳ୍ପପତି ମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି । ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ନେଇ ଆଶା ରଖିଛନ୍ତି ରାଜ୍ୟ ସରକାର । ସବୁଠାରୁ ବଡ କଥା ହେଉଛି ଏଥର, ଖଣିଜ ଶିଳ୍ପକୁ ବାଦ ୍ଦେଇ ଅନ୍ୟକ୍ଷେତ୍ରରେ ପୁଂଜି ନିବେଶ ପାଇଁ ଓଡିଶା ସରକାର ସବୁଠାର ବଡ ଉଦ୍ୟମ କରିଛନ୍ତି । ରିଲାଏନ୍ସ, ଟାଟା, ଜିନ୍ଦଲ, ବିର୍ଲା ଭଳି ବଡ ବଡ ଶିଳ୍ପ ସଂସ୍ଥା ଓଡିଶାରେ ପ୍ରକଳ୍ପ କରିବା ସମ୍ଭାବନା ରହିଛି । ଶିଳ୍ପ ସମ୍ମିଳନୀ ସମୟରେ ସେମାନେ ଏନେଇ ଘୋଷଣା କରିପାରନ୍ତି ।