ମିଶନ ଶକ୍ତି ସଦସ୍ୟାଙ୍କୁ ସରକାର ଦେବେ ସ୍ମାର୍ଟ ଫୋନ: ମେକ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନବୀନ କହିଲେ,ମହିଳାଙ୍କୁ ଲୋନ ଦେବା ପାଇଁ ବ୍ୟାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

190

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମହିଳା । ମିଶନ ଶକ୍ତି ସଦସ୍ୟାଙ୍କୁ ସରକାର ଦେବେ ସ୍ମାର୍ଟ ଫୋନ । ମେକ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି । ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଲାଇଫ ଏକ୍ସପେଟେନ୍ସି ବା ବଂଚିବାର ସମୟ ସୀମା ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମାତୃ ମୃତ୍ୟୁ ହାର କମିବା ସହ ମହିଳା ସଶକ୍ତିକରଣ ଯୋଗୁ ମହିଳାଙ୍କ ବଂଚିବାର ସମୟସୀମା ବୃଦ୍ଧି ପାଇଛି ବୋଲି ନବୀନ କହିଛନ୍ତି । ମିଶନ ଶକ୍ତି ପର୍ଯ୍ୟାୟକ୍ରମେ ସଫଳ ହେବାରେ ଲାଗିଛି । ଯେଉଁଥିପାଇଁ ମହିଳାଙ୍କୁ ଲୋନ ଦେବା ପାଇଁ ବ୍ୟାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।

ଅନ୍ୟପକ୍ଷେ ମେକ ଇନ ଓଡିଶାର ତୃତୀୟ ସଂସ୍କରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଚଳିତ ବର୍ଷର କନକ୍ଲେଭ ରେକର୍ଡ କରିଛି । ଏଥିରେ ମୋଟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଂଜି ନିବେଶର ପ୍ରସ୍ତାବ ଆସିଛି । ବିଭିନ୍ନ କ୍ଷେତ୍ରରେ ଏହି ନିବେଶ ଫଳରେ ୫ ଲକ୍ଷ ୯୧ ହଜାର ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଦେଶର ବଡ ବଡ ଶିଳ୍ପପତି ଏବଂ ୧୯ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ ।

ଅନ୍ୟପଟେ ଜାପାନ କାର୍ଯ୍ୟକ୍ରମର ସହଯୋଗୀ ରାଷ୍ଟ୍ର ଭାବେ ସାମିଲ ହୋଇଥିବାରୁ ନବୀନ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ଦକ୍ଷତା ବିକାଶ ହେଉଥିବା ବେଳେ ଆଗାମୀ ଦିନରେ ଏହା ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ଆସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ବୋଲି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ଚଳିତ କନକ୍ଲେଭରେ ଶ୍ରେଷ୍ଠ ନିବେଶକାରୀ ହେଉଛି, ହଲଦିଆ ପେଟ୍ରୋ କେମିକାଲ । ଏହି ସଂସ୍ଥା ୭୦ ହଜାର କୋଟି ନିବେଶ କରିବା ସମ୍ଭାବନା ରହିଛି । ଜେଏସପିଏଲ ମୋଟ ୬୦ ହଜାର ୯୫୦ କୋଟି ଟଙ୍କା, ମହାନଦୀ କୋଲଡ ଫିଲ୍ଡ ଲିମିଟେଡ ୫୮ହଜାର ୯୯୭ କୋଟି ଟଙ୍କା ଓଡିଶାରେ ପୁଂଜି ନିବେଶ କରିବା ପାଇଁ ଘୋଷଣା କରିଛନ୍ତି । ତାଇୱାନ୍ର ଏକ କମ୍ପାନୀ ୪୩ ହଜାର କୋଟି ଏବଂ ସେଲ୍ ୪୧ ହଜାର ୪୦୦ କୋଟି ଟଙ୍କା ନିବେଶ କରିବା ନେଇ ପ୍ରସ୍ତାବ ଦେଇଥିବା ଜଣାପଡିଛି ।