ମେକ୍ ଇନ୍ ଓଡି଼ଶାରେ ‘ନଦୀ’ କନେକସନ୍ ! ଶିଳ୍ପପତି ଦେଖିବେ ସମୃଦ୍ଧିର ଗାଥା ।

117

କନକ ବ୍ୟୁରୋ : ଆସନ୍ତା ନଭେମ୍ବର ୧୧ରୁ ୧୫ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡି଼ଶା କନକ୍ଲେଭ ୨୦୧୮ । ଓଡି଼ଶାର ଶିଳ୍ପାୟନ ଯାତ୍ରାରେ ଏହି କନକ୍ଲେଭ ଏକ ଅଭୁଲା ସ୍ମୃତି ହେବ । ଚଳିତ ଥର କନକ୍ଲେଭରେ ଅନେକ କିଛି ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଓଡି଼ଶା ନିର୍ମାଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ପାଇଁ କନକ୍ଲେଭକୁ ଏକ ଅନନ୍ୟ ପ୍ଲାଟଫର୍ମ ଭାବେ ଡିଜାଇନ୍ କରାଯାଇଛି । ରାଜ୍ୟ ସରକାରଙ୍କ ୧୫ଟି ବିଭାଗ, ବହୁ ସଂଖ୍ୟକ ନିବେଶକ, ସରକାରୀ ଅଧିକାରୀ ଏବଂ ସାଧାରଣ ଜନତାଙ୍କ ସମାଗମ ଏହାକୁ ରାଜ୍ୟର ସର୍ବବୃହତ ବ୍ୟବସାୟିକ କାର୍ଯ୍ୟକ୍ରମରେ ପରିଣତ କରିବ ।

ଏହି ଅବସରରେ ଆୟୋଜିତ ହେବାକୁ ଥିବା ବିଜନେସ ଲିଡରସିପ ସମିଟରେ ମୁକେଶ ଅମ୍ବାନୀ ଷ୍ଟାର ବକ୍ତା ଭାବେ ଯୋଗ ଦେବେ । ଏଥିରେ ସ୍ଥାନୀୟ ଶିଳ୍ପପତି ଓ ଉଦ୍ୟୋଗପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ଓ ସ୍ଥାନୀୟ ଶିଳ୍ପ ମୁଖ୍ୟ ଉପସ୍ଥିତ ରହିବେ । ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶକମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ନଭେମ୍ବର ୧୧ରେ କୋଷ୍ଟାଲ ଫନ୍ ରନ୍, ହେରିଟେଜ୍ ୱାକ୍, ଗଲ୍ଫ ଟୁର୍ଣ୍ଣାମେଣ୍ଟ ଏବଂ ଆଦିବାସୀ ସଂଗ୍ରହାଳୟ ଏବଂ କଳାଭୂମି ପରିଦର୍ଶନ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯୋଜନା କରାଯାଇଛି । ଏହା ସହ ଏକ ଫ୍ୟାସନ ସୋ’ ମଧ୍ୟ ହେବ, ଯେଉଁଥିରେ ଓଡି଼ଶାଭିତ୍ତିକ ହସ୍ତତନ୍ତ କାମକୁ ଶାଢି ଓ ଅନ୍ୟ ସ୍ଥାନୀୟ ପୋଷାକ ମାଧ୍ୟମରେ ପ୍ରଦର୍ଶନ କରାଯିବ ।

ଏହି କନକ୍ଲେଭର ମୁଖ୍ୟ ଆକର୍ଷଣ ହେବ ‘ଦେଓମାଳୀ’ ନାମକ ଓଡି଼ଶା ଥିମ୍ ପାଭିଲିୟନ, ଯେଉଁଥିରେ ଗମ୍ବୁଜରେ ବିଭିନ୍ନ ସମ୍ଭାବନାକୁ ପ୍ରଦର୍ଶନ କରାଯିବ । ଭାରତରେ ପ୍ରଥମ ଥର ପାଇଁ ଏହି ଗମ୍ବୁଜ ନିର୍ମାଣ କରାଯାଉଛି । କନକ୍ଲେଭ ଅବସରରେ ପ୍ରଥମ ଥର ପାଇଁ ରାଜ୍ୟରେ ଓଡି଼ଶା ସିଏସଆର ପୁରସ୍କାର ପ୍ରଦାନ କରାଯିବା ସହ ସ୍ମାର୍ଟ ଓଡି଼ଶା ହାକାଥନ୍ ଆୟୋଜନ ହେବ । ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୧୮କୁ ସଫଳତାର ସହ ପରିଚାଳନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ।

ସବୁଠାରୁ ବଡ କଥା ହେଉଛି, ଓଡି଼ଶାର ବିଭିନ୍ନ ନଦୀର ନାଁ ଅନୁଯାୟୀ, ମେକ୍ ଇନ୍ ଓଡି଼ଶା ପ୍ୟାଭିଲିୟନ୍ ଗୁଡିକର ନାମକରଣ କରାଯାଇଛି । ପ୍ୟାଭିଲିୟନ ଗୁଡିକୁ ମହାନଦୀ, ରୁଷିକୂଲ୍ୟା, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ ଆଦି ନଦୀ ନାମରେ ନାମିତ କରାଯାଇଛି । ଏହି ପ୍ୟାଭିଲିୟନ ଗୁଡିକରେ ମେକ୍ ଇନ୍ ଓଡି଼ଶାର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡି଼ଶାର ଶିଳ୍ପାୟନ ଯାତ୍ରାରେ ଏହି କନକ୍ଲେଭ ଏକ ଅଭୁଲା ସ୍ମୃତି ହେବ ଏବଂ ଏହା ରାଜ୍ୟରେ ପୂର୍ବରୁ ଦେଖିନଥିବା ଭଳି ଆକାରରେ ହେବ । ଆସନ୍ତା ନଭେମ୍ବର ୧୧ରୁ ୧୫ ଯାଏଁ ହେବାକୁ ଥିବା ମେକ୍ ଇନ୍ ଓଡି଼ଶା କନକ୍ଲେଭରେ ବହୁ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।