ଗରିବୀ ପରୀକ୍ଷାରେ ନବୀନ ପାଶ୍ : ମେକ୍ ଇନ୍ ଓଡିଶାରେ ନବୀନଙ୍କୁ ତାରିଫ୍ କଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

26

କନକ ବ୍ୟୁରୋ : ୬ଦିନ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସି ନବୀନଙ୍କୁ ସୁଧୁରିଯିବାକୁ ପରାମର୍ଶ ଦେଇଥିଲେ । ଆଉ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଲେ ଓଡିଶାରେ କମିଛି ଗରିିବୀ । ଦୁଇ ଦଶନ୍ଧି ଭିତରେ ଓଡିଶା ଦାରିଦ୍ର୍ୟ ଠାରୁ ଦୂରେଇ ଯିବାକୁ କରିଥିବା ଚେଷ୍ଟାରେ ସଫଳ ହୋଇଛନ୍ତି । କେବଳ ସେତିକି ନୁହଁ ଓଡିଶାରେ ଶିଳ୍ପାୟନର ବାତାବରଣକୁ ଖୁବ ତାରିଫ କରିଛନ୍ତି ଜେଟଲୀ । କହିଛନ୍ତି ପଶ୍ଚିମ , ଉତ୍ତର ଓ ଦକ୍ଷିଣ ଅପେକ୍ଷା ଟିକେ ପଛୁଆ ରହିଛି । ତେବେ ସେ ଆଶାବାଦୀ ବିକାଶ କ୍ଷେତ୍ରରେ ଓଡିଶା ଆଗାମୀ ଦିନରେ ସାଜିବ ଗେଟ ୱେ ।

ଜିଏସଟି ଓ ବିମୁଦ୍ରକରଣରେ କେନ୍ଦ୍ରକୁ ଓଡିଶା ସରକାରଙ୍କ ସମର୍ଥନକୁ ନେଇ ଖୁସି ଜାହିର କରିଥିଲେ ଅର୍ଥମନ୍ତ୍ରୀ । ନୋଟ ବ୍ୟାନ୍ ନିଷ୍ପତି ହୁଏତ ସାମୟିକ ଭାବେ ଅର୍ଥନୀତିକୁ ପ୍ରଭାବିତ କରିଛି । ହେଲେ ପରବର୍ତ୍ତି ସମୟରେ ଏହାର ସୁଫଳ ମିଳିବ ବୋଲି ଜେଟଲୀ କହିଛନ୍ତି ।

ଏହି ଅବସରରେ ନବୀନ ଖୋଲିଥିଲେ ଭିଜନ ୨୦୧୫ର ଇସ୍ତାହାର । କହିଥିଲେ ୨୫ ସୁଦ୍ଧା ରାଜ୍ୟରେ ନିବେଶ ହେବ ୨.୨୫ ଲକ୍ଷ କୋଟି ଟଙ୍କା । ଯାହା ୩୦ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେବଳ ସେତିକି ନୁହଁ ଶିଳ୍ପାୟନ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଓଡିଶା ସରକାର ଯୋଜନା କରୁଥିବା ନବୀନ କହିଛନ୍ତି ।

ପୁଞ୍ଜି ଡାକରାର ଏହି ବିରାଟ ଉତ୍ସବର ଦ୍ୱିତୀୟ ଦିନରେ ସାମିଲ ହୋଇଥିଲେ ଓଡିଶାରେ ପୁଞ୍ଜି ଖଟାଇ ଲାଭବାନ ହୋଇଥିବା ବିଶିଷ୍ଟ ଶିଳ୍ପପତିମାନେ । କହିଥିଲେ ଶିଳ୍ପାୟନକୁ ସମୃଦ୍ଧ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅକୁଣ୍ଠ ସହଯୋଗର କଥା । ଆଉ ଆଗାମୀ ଦିନରେ ଓଡିଶାରେ ନିବେଶର ସ୍ୱପ୍ନ ଦେଖୁଥିବା ଉଦ୍ୟୋଗୀଙ୍କୁ ପୁଞ୍ଜି ଖଟରଇବାକୁ ଆହ୍ୱାନ ବି କରିଥିଲେ ।

ଖଣିଜ ଶିଳ୍ପକୁ ବାଦ ଦେଲେ ୮ ଟି କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶର ଆଶା ରଖିଛନ୍ତି ରାଜ୍ୟ ସରକାର । ତେବେ ଆଜି ନିବେଶକାରୀଙ୍କ ସହ ୪ଟି ନୀତି ନେଇ ସିଧାସଳଖ ଆଲୋଚନା କରଛନ୍ତି ।