ପାୱାର କରିଡରରେ ହଲଚଲ ! ବଦଳିଲେ ପୋଲିସ ଡିଜି, ହେଲେ କାହିଁକି? ସଚ୍ଚୋଟତାର ପୁରସ୍କାର ପାଇଲେ ରାଜେନ୍ଦ୍ର ଶର୍ମା

176

ରାଜ୍ୟ ପୋଲିସର ନୁଆ ମୁଖିଆ ହୋଇଛନ୍ତି ରାଜେନ୍ଦ୍ର ପ୍ରସାଦ ଶର୍ମା । କେବି ସିଂଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ । ଭିଜିଲାନସ ଡିଜି ଭାବେ ସେ ବର୍ତ୍ତମାନ ଦାୟିତ୍ୱ ତୁଲାଉଥିଲେ । ୧୯୮୬ ବ୍ୟାଚର ଏହି ଆଇପିଏସ ଅଫିସର ନବୀନଙ୍କ ବିଶ୍ୱାସ ଜିତିଛନ୍ତି । ୨୦୧୬ରୁ ଡାକ୍ତର ଶର୍ମା ଭିଜିଲାନସ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ରାଜେନ୍ଦ୍ର ଶର୍ମା । ଅଗଷ୍ଟ ୨୦୧୩ରୁ ଜାନୁୟାରୀ ୨୦୧୬ ଯାଏଁ ଡାକ୍ତର ଶର୍ମା ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଥିବା ବେଳେ, ଏହାପରେ ସେ ହୋଇଥିଲେ ଭିଜିଲାନସ ଡିଜି ।

ଆର. ପି. ଶର୍ମାଙ୍କୁ ପୁରସ୍କାର
r p sharmaଭିଜିଲାନସ ଡିଜି ଭାବେ ଦାୟିତ୍ୱ ନେବାପରେ ଏକାଧିକ ପଦକ୍ଷେପ ନେଇ ବେଶ ଚର୍ଚ୍ଚାରେ ଥିଲେ ଆର. ପି. ଶର୍ମା । ଖାସ କରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ରେଡ କରିବା ଏବଂ ଲାଂଚୁଆ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏପରିକି ତାଙ୍କ ସମୟରେ ଭିଜିଲାନସ ଅଧିକ କ୍ରିୟାଶୀଳ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେ, ଜଣେ ସଚ୍ଚୋଟ ଓ ଦକ୍ଷ ପୋଲିସ ଭାବେ ସେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ ।

ପିସି କାରବାର ବିରୋଧରେ ମୁହିମ ଆରମ୍ଭ କରିଥିଲେ ଡାକ୍ତର ଶର୍ମା । ପିସି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ଭିଜିଲାନସ ବେଶ କ୍ରିୟାଶୀଳ ହୋଇଥିଲା । ବିଭିନ୍ନ ସ୍ଥାନରେ ରେଡ କରିବା ସହ ଅନେକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆଗକୁ ବଢାଇଥିଲେ । ଏହାପରେ ଅନେକ ସ୍ଥାନରେ ପିସି କାରବାର ବନ୍ଦ ହୋଇଥିଲା । ଏହାର ଶ୍ରେୟ ଯାଇଥିଲା ଡାକ୍ତର ଶର୍ମାଙ୍କ ପାଖକୁ । ଏପରିକି ପିସି ମାଗିଲେ ଘଂଟି ବଜାଇବାକୁ ଅଭିଯାନ ସେ ଆରମ୍ଭ କରିଥିଲେ । ଦୁର୍ନୀତିକୁ ବରଦାସ୍ତ କରାଯିବନି ବାର୍ତ୍ତା ନେଇ କାର୍ଯ୍ୟ କରିଥିବା ଆର. ପି. ଶର୍ମାଙ୍କୁ ଶେଷରେ ନବୀନ ପୁରସ୍କୃତ କରିଛନ୍ତି ।

ଆର. ପି. ଶର୍ମାଙ୍କ କ୍ୟାରିୟର
୧୯୮୬ ବ୍ୟାଚର ଆଇପିଏସ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏସଡିପିଓ ରାୟଗଡା, ଏସଡିପିଓ ନବରଙ୍ଗପୁର, ଆଡିସନାଲ ଏସପି ଭୁବନେଶ୍ୱର, ଏସପି କଳାହାଣ୍ଡି, ଏସପି ବ୍ରହ୍ମପୁର ଭାବେ ଦାୟିତ୍ୱ ତୁଲାଇବା ପରେ ୧୯୯୭ରେ ହାଇତିକୁ ୟୁଏନ ସପର୍ଟ ମିଶନରେ ଯାଇଥିଲେ । ୯ ମାସ ପରେ ଡେପୁଟସେନରୁ ଫେରିବା ପରେ ଏସପି ଢେଙ୍କାନାଳ, ଏସପି ବାଲେଶ୍ୱର, କ୍ରାଇମବ୍ରାଂଚ ଡିଆଇଜି ଓ ଅନ୍ୟ କିଛି ବିଭାଗରେ ଦାୟିତ୍ୱ ତୁଲାଇ ୨୦୦୪ରେ ଯାଇଥିଲେ କେନ୍ଦ୍ରୀୟ ଡେପୁଟସେନରେ । ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ଡିଆଇଜି ଓ ଆଇଜି ଭାବେ ଦାୟିତ୍ୱ ତୁଲାଇବା ପରେ ୨୦୧୩ରେ ଫେରିଥିଲେ ଓଡିଶା । ଆଡିସନାଲ ଡିଜି ଭାବେ କଟକ-ଭୁବନେଶ୍ୱର କମିଶନରେଟର ସେ ହୋଇଥିଲେ ପୋଲିସ କମିଶନର । ୧୨ ଅଗଷ୍ଟ ୨୦୧୩ରୁ ୨୭ ଜାନୁୟାରୀ ୨୦୧୬ ଯାଏଁ ଡାକ୍ତର ଶର୍ମା ଏହି ଦାୟିତ୍ୱରେ ଥିଲେ । ଏହାପରେ ତାଙ୍କର ପଦୋନ୍ନତି ଡିଜି ରାଙ୍କକୁ ହୋଇଥିଲା । ୨୭ ଜାନୁୟାରୀ ୨୦୧୬ରୁ ସେ ଭିଜିଲାନସ ଡିଜି ଭାବେ ଦାୟିତ୍ୱ ତୁଲାଇଥିଲେ ।

କେ. ବି. ସିଂଙ୍କୁ ଅପମାନ
kbsinghବ୍ୟବସ୍ଥା ଭିତ୍ତିରେ ସରକାରୀ ସ୍ଥରରେ ପରିବର୍ତ୍ତନ ଏକ ନିୟମିତ ପ୍ରକ୍ରିୟା । ହେଲେ ଯେଉଁଭଳି ଢଙ୍ଗରେ କେ. ବି.ସିଂଙ୍କୁ ବଦଳି କରାଗଲା, ତାହା ଅନେକ ପ୍ରଶ୍ନବାଚୀ ତିଆରି କରିଛି । ଯେତବେେଳେ ସମ୍ବଲପୁରରେ ପୋଲିସ ଡିଜି ଭାବେ ସେ ମାଓଦମନ ରଣନୀତି ତିଆରି କରୁଥିଲେ, ଠିକ ସେହି ସମୟରେ ବଦଳି କରାଗଲା ତାଙ୍କୁ । ଅର୍ଥାତ୍, ବୈଠକ ଆଗରୁ ସେ ଥିଲେ ପୋଲିସ ଡିଜି, ଆଉ ବୈ÷ଠକ ଶେଷ ବେଳକୁ ସେ ହୋଇଗଲେ ଓଏସଆରଟିସି ସିଏମଡି । ପୋଲିସ ଡିଜି ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇ ଓଏସଆରଟିସି ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି ।

କନୱର ବ୍ରଜେଶ ସିଂ । ୧୯୮୫ ବ୍ୟାଚର ଏହି ଆଇପିଏସ ନଭେମ୍ବର ୮, ୨୦୧୫ରେ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତକ୍ରାଳୀନ ପୋଲିସ ଡିଜି ସଂଜୀବ ମାରିକ ବିବାଦ ଘେରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେ. ବି. ସିଙ୍କୁ ଦାୟିତ୍ୱ ଦେଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି ତାଙ୍କୁ ବିବେଚନା କରାଯାଉଥିଲା । ଏପରିକି ପ୍ରକାଶ ମିଶ୍ର ମାମଲାରେ ତାଙ୍କ କାର୍ଯ୍ୟଶେଳୀ ଓ ହାଇକୋର୍ଟଙ୍କ ଦ୍ୱାରା ଭର୍ସିତ ହେବା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ହୋଇ ରହିଥିଲା । ସେତେବେଳେ ଅତ୍ୟନ୍ତ ବିଶ୍ୱସ୍ତ ଥିବା କେ. ବି. ସିଂ ହଠାତ କେଉଁଭଳି ଆଜି ନବୀନଙ୍କ ପାଇଁ ଅଲୋଡା ହୋଇଗଲେ, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟ ପରିବର୍ତ୍ତନ
bk-sharmaପୋଲିସର ଶୀର୍ଷ ସ୍ତରରେ ହୋଇଥିବା ଅଦଳବଦଳ ମଧ୍ୟ ଅନେକ ଚର୍ଚ୍ଚାର ଦିଗକୁ ସାମ୍ନାକୁ ଆଣିଛି । କ୍ରାଇମବ୍ରାଂଚ ଡିଜି ବିଜୟ ଶର୍ମାଙ୍କୁ ମଧ୍ୟ ବଦଳି କରାଯାଇଛି । ୧୯୮୬ ବ୍ୟାଚର ଏହି ଆଇପିଏସଙ୍କୁ ଡିଜି ପ୍ରିଜନ୍ ଭାବେ ଦାୟିତ୍ୱ ଦିଆଯାଇଛି । ପାୱାର କରିଡର ସହ ବେଶ ଭଲ ସଂପର୍କରେ ସର୍ବଦା ରହୁଥିବା ବିଜୟ ଶର୍ମାଙ୍କ ଏଭଳି ବଦଳି ମଧ୍ୟ ଅନେକଙ୍କୁ ଚକିତ କରିଛି । କାରଣ ଅତୀତରେ ଅନେକ ନଜିର ରହିଛି, ଯେତେବେଳେ ଗୁରୁତ୍ୱପୁର୍ଣ୍ଣ ମାମଲାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଉଥିଲା । ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଥିବା ଅନେକ ପ୍ରସଙ୍ଗର ତଦନ୍ତ ଭାର ଆସିଥିଲା ବିଜୟ ଶର୍ମାଙ୍କ ହାତକୁ । ହେଲେ ଏହି ଅଦଳବଦଳରେ ତାଙ୍କୁ ଡିଜି ପ୍ରିଜନ ଦାୟିତ୍ୱ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଶୀର୍ଷ ସ୍ତରରେ ହୋଇଥିବା ଅଦଳବଦଳରେ, ଅରୁଣ ରାୟଙ୍କୁ ଆଡିସନାଲ ଡିଜି ହେଡକ୍ୱାର୍ଟର ଦାୟିତ୍ୱ ମିଳିଛି । ତେବେ ବଡ କଥା ହେଉଛି, ରାଜ୍ୟ ପୋଲିସର ଆଉ ଦୁଇଟି ବଡ ପଦବୀକୁ ରାଜ୍ୟ ସରକାର ଖାଲି ରଖିଛନ୍ତି । ଉଭୟ କ୍ରାଇମବ୍ରାଂଚ ଓ ଭିଜିଲାନସ ଡିଜି କିଏ ହେବ, ତାକୁ ନେଇ ମଧ୍ୟ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ୧୯୯୧ ବ୍ୟାଚର ଆଇପିଏସ ଦେବାଶିଷ ପାଣିଗ୍ରାହୀ, ଏଡିଜି ଭିଜିଲାନସ ଭାବେ ଦାୟିତ୍ୱ ତୁଲାଇବେ । ତେଣୁ ଆଗାମୀ ଦିନରେ କ୍ରାଇମବ୍ରାଂଚ ଡିଜି ଓ ଭିଜିଲାନସ ଡିଜି କିଏ ହେବ, ତାହା ମଧ୍ୟ ପାୱାର କରିଡରରେ ବଡ ପ୍ରଶ୍ନବାଚୀ ତିଆରି କରୁଛି ।

ଡିଜିଙ୍କ ବିବାଦୀୟ ବିଦାୟ
କେ. ବି. ସିଂଙ୍କ ବଦଳି ଖାଲି ବିବାଦୀୟ ହୋଇଛି ତାହା ନୁହେଁ । ପୂର୍ବରୁ ଅନେକ ଡିଜିଙ୍କ ବଦଳି ମଧ୍ୟ ବିବାଦୀୟ ହୋଇଛି । ପ୍ରକାଶ ମିଶ୍ର ୨୦୧୪ ନିର୍ବାଚନ ସମୟରେ ଡିଜି ଥିବା ବେଳେ, ନିର୍ବାଚନ ବେଳେ ବିପୁଳ ଟଙ୍କା ଜବତ କରିବା ତାଙ୍କ ପାଇଁ ମହଙ୍ଗା ପଡିଥିଲା । ଏପରିକି ଖୋଲାଖୋଲି ସେ ଗଣମାଧ୍ୟମରେ ବୟାନ ମଧ୍ୟ ରଖିଥିଲେ । ଆଉ ଏହାପରେ ତାଙ୍କୁ ବିବାଦୀୟ ଢଙ୍ଗରେ ପୋଲିସ ଡିଜି ପଦରୁ ହଟାଇ ଦିଆଯାଇଥିଲା । ଓଏସଆରଟିସି ସିଏମଡି ଭାବେ ତାଙ୍କୁ ବଦଳି କରାଯିବା ସହ ତାଙ୍କ ବିରୋଧରେ ପୁରୁଣା ମାମଲା ଖୋଲାଯାଇଥିଲା । ସେତେବେଳେ ଭିଜିଲାନସ ଦାୟିତ୍ୱରେ ଥିବା କେ. ବି ସିଂ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ । ଯାହାକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ହାଇକୋର୍ଟ କେ. ବି. ସିଂଙ୍କୁ ଭର୍ସନା ମଧ୍ୟ କରିଥିଲେ ।

sanjeev marikପ୍ରକାଶ ମିଶ୍ରଙ୍କ ପରେ ପୋଲିସ ଡିଜି ହୋଇଥିଲେ ସଂଜୀବ ମାରିକ । ହେଲେ ମାରିକଙ୍କୁ ମଧ୍ୟ ଅପମାନଜନକ ଭାବେ ପୋଲିସ ଡିଜି ପଦରୁ ହଟାଇ ଦିଆଯାଇଥିଲା । ନବକଳେବର ସମୟରେ ଦଇତାପତିଙ୍କ ପାଦ ଛୁଇଁ ବିବାଦୀୟ ହୋଇଥିଲେ ସଂଜୀବ ମାରିକ । ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମୁହାଁମୁହିଁ ହୋଇଥିଲେ । ଯେତେବେଳେ ୪୭ ଜଣ ଅଧିକାରୀଙ୍କ ବଦଳି ନେଇ ସ୍ଥିତି ବିବାଦୀୟ ହୋଇଥିଲା । ତୁରନ୍ତ ସଂଜୀବ ମାରିକଙ୍କୁ ଛୁଟିରେ ଯିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଓଏସଆରଟିସି ସିଏମଡି ଭାବେ ଦାୟିତ୍ୱ ଦେଇଥିଲେ । ସଂଜୀବ ମାରିକଙ୍କ ପରେ କେ. ବି. ସିଂଙ୍କୁ ମିଳିଥିଲା ପୋଲିସ ଡିଜି ପଦ ।

କେ. ବି. ସିଂଙ୍କୁ ଦାୟିତ୍ୱରୁ ହଟାଇବା ମଧ୍ୟ ବେଶ ବିବାଦୀୟ ହୋଇପଡିଛି । ସମ୍ବଲପୁରରେ ମାଓ ବିରୋଧୀ ରଣନୀତି ନେଇ ଯେତେବେଳେ ସେ ବୈଠକ ନେଉଥିଲେ, ସେତେବେଳେ ବଦଳି ନେଇ ଅର୍ଡର ବାହାରିଛି । କେ. ବି. ସିଂଙ୍କୁ ମଧ୍ୟ ଓଏସଆରଟିସି ସିଏମଡି ଭାବେ ବଦଳି କରାଯାଇଛି । ଗତ କିଛି ଦିନର ଘଟଣାକ୍ରମକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ, ଯାହାକୁ ପୋଲିସ ଡିଜି ପଦରୁ ହଟାଯାଉଛି, ତାଙ୍କୁ ଓଏସଆରଟିସି ସିଏମଡି ଭାବେ ଅପସ୍ଥାପିତ କରାଯାଉଛି । ତେବେ ରାଜ୍ୟ ସରକାରଙ୍କ ପାଇଁ ଅତି ବିଶ୍ୱସ୍ତ ଭାବେ କାମ କରୁଥିବା ଅଫିସରଙ୍କୁ ଏଭଳି ଅବ୍ୟାହତି ଦେବା ସବୁ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଭିନ୍ନ ମହଲରେ ପ୍ରତିକ୍ରିୟା

ତେବେ ଏହି ବଦଳିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର । କହିଛନ୍ତି, ବଦଳି ଏକ ପ୍ରକ୍ରିୟା । କାହାକୁ ଅପମାନ ଦେଇ ସରକାର କେବେ ବଦଳି କରନ୍ତିନାହିଁ । ଯେତେବେଳି ଯିଏ ବଦଳନ୍ତି, ସେତେବେଳେ ସେ ଦାୟିତ୍ୱରେ ଥାଆନ୍ତି । ଯଦି ଏହାକୁ ଅପମାନ ବୋଲି ଧରାଯିବ, ତେବେ କିଛି ବି ଅଦଳବଦଳ ହୋଇପାରିବ ନାହିଁ ।

ସେହିଭଳି ବିଜେଡି ନେତା ସୁବାସ ସିଂ କହିଛନ୍ତି, ପାଖାପାଖି ୨ ବର୍ଷ ଡିଜି ପୋଲିସ ଭାବେ ଦାୟିତ୍ୱରେ ରହିଲେ କେ. ବି ସିଂ । ବଦଳି ଏକ ପ୍ରକ୍ରିୟା । ସରକାର କ୍ରିୟାଶୀଳ ହେବାକୁ ସବୁବେଳେ ପଦକ୍ଷେପ ନିଅନ୍ତି, ଆଉ ସବୁ ନିଷ୍ପତ୍ତିି ସେଦିଗରେ ହୋଇଥାଏ । ଆର. ପି. ଶର୍ମା ଜଣେ ଦକ୍ଷ ଅଫିସର ଓ ତାଙ୍କୁ ଦାୟିତ୍ୱ ଦେଇ ସରକାର ଏକ ଭଲି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ତେବେ ନିର୍ବାଚନକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯିବାକୁ ସେ ଖଣ୍ଡନ କରିଛନ୍ତି ।

ତେବେ ଗତ କିଛି ଦିନର ପୋଲିସ ମୁଖିଆଙ୍କ ବଦଳି ବା ତାଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଗୋଟିଏ କଥାକୁ ସ୍ପଷ୍ଟ କରୁଛି, ପୋଲିସ ବିଭାଗର ମୁଖିଆ ପଦବୀ ସବୁବେଳେ କଂଟକିତ । ତେବେ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ ମଧ୍ୟ ଅଦଳ ବଦଳ ହେବାର ଯଥେଷ୍ଟ ସମ୍ଭାବନା ରହୁଛି ।