ଶୈଳଜା ହତ୍ୟା ମାମଲାରେ ରୋଚକ ତଥ୍ୟ : ଫେସବୁକରୁ ଆରମ୍ଭ ହୋଇଥିଲା ମେଜର୍ ହାଣ୍ଡାଙ୍କ ପ୍ରେମକାହାଣୀ

45

କନକ ବ୍ୟୁରୋ : ଦିଲ୍ଲୀ ଶୈଳଜା ହତ୍ୟା ମାମଲାରେ ମେଜର୍ ହାଣ୍ଡାଙ୍କୁ ଜେରା ପରେ ଏକାଧିକ ତଥ୍ୟ ସାମ୍ନାକୁ ଆସିଛି । ମେଜର୍ ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କ ବ୍ୟତୀତ ଏକାଧିକ ଝିଅଙ୍କ ସହ ହାଣ୍ଡାଙ୍କ ସମ୍ପର୍କ ଥିବା ଜଣାପଡ଼ିଛି । ଫେସବୁକ୍ ଜରିଆରେ ହାଣ୍ଡା ଯୁବତୀଙ୍କୁ ପ୍ରେମଜାଲରେ ଫସାଉଥିବା ପୁଲିସ୍ ଜାଣିବାକୁ ପାଇଛି । ଏପରିକି ଶୈଳଜାଙ୍କ ହତ୍ୟା ପରେ ପ୍ରଥମେ ନିଜର ଜଣେ ପ୍ରେମିକାଙ୍କୁ ହାଣ୍ଡା ଫୋନ୍ କରିଥିବା ଜଣାପଡ଼ିଛି । ଶୈଳଜା ଓ ହାଣ୍ଡାଙ୍କ ପରକୀୟା ସମ୍ପର୍କ ବିଷୟରେ ସ୍ୱାମୀ ଅମିତ ଦ୍ୱିବେଦୀ ଜାଣିବା ପରେ ଶୈଳଜା ହାଣ୍ଡାଙ୍କଠାରୁ ଦୂରେଇ ଯାଇଥିଲେ । ତେବେ ମେଜର୍ ହାଣ୍ଡା ଜାନୁଆରୀରୁ ଜୁନ୍ ମଧ୍ୟରେ ୩ ହଜାରରୁ ଅଧିକ ଥର ଶୈଳଜାଙ୍କୁ ଫୋନ୍ କରିଥିବା ଜଣାପଡ଼ିଛି । ଏପରିକି ଶୈଳଜା ହାଣ୍ଡାଙ୍କୁ କୋର୍ଟ ମାର୍ଶାଲର ଧମକ ମଧ୍ୟ ଦେଇଥିଲେ । ଶେଷକୁ ଶୈଳଜାଙ୍କୁ ହତ୍ୟା କରିଥିଲେ ମେଜର ନିଖିଲ ହାଣ୍ଡା ।

ସୂଚନାଯୋଗ୍ୟ ମେଜର ଦ୍ୱିବେଦୀଙ୍କ ୩୦ ବର୍ଷୀୟ ପତ୍ନୀ ଶୈଲଜାଙ୍କ ସହ ମେଜର ହାଣ୍ଡାଙ୍କ ଅନୈତିକ ପ୍ରେମ ସମ୍ପର୍କ ରହିଥିଲା । ନାଗାଲାଣ୍ଡରେ ପୋଷ୍ଟିଂ ବେଳେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜାଙ୍କ ସହ ମେଜର ହାଣ୍ଡାଙ୍କ ପ୍ରେମ ହୋଇ ଯାଇଥିଲା । ଆଉ ମେଜର ହାଣ୍ଡା ଶୈଲଜାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ଏହି ସମୟରେ ମେଜର ଅମିତ ଦ୍ୱିବେଦୀଙ୍କ ଦିଲ୍ଲୀକୁ ବଦଳି ହେବାରୁ ଶୈଲଜାଙ୍କୁ ମଧ୍ୟ ସ୍ୱାମୀଙ୍କ ସହ ଦିଲ୍ଲୀ ଆସିବାକୁ ପଡିଥିଲା । ଆଉ ସେ ମେଜର ହାଣ୍ଡାଙ୍କ ସହ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲେ । କିନ୍ତୁ ଏଥିରେ କ୍ଷୁବ୍ଧ ହୋଇ ପଡିଥିଲେ ମେଜର ହାଣ୍ଡା । ଆଉ ସବୁଦିନ ପାଇଁ ଶେଷ କରିଦେବାକୁ ଚାହିଁଥିଲେ ଶୈଲଜାଙ୍କୁ ।

ଆଉ ଦିଲ୍ଲୀରେ ପହଂଚି ନିଜ ଯୋଜନାକୁ ସଫଳ କରିବାକୁ ଅପେକ୍ଷା କରିଥିଲେ ସୁଯୋଗକୁ । ଶୈଲଜା ଫିଜିଓଥେରାପି ପାଇଁ ଦିଲ୍ଲୀ କ୍ୟାଂଟନମେଂଟ ସ୍ଥିତ ସେନା ହସ୍ପିଟାଲକୁ ଯାଇଥିବା ବେଳେ ତାଙ୍କୁ ବୁଲାଇବାକୁ କହି ନିଜ ଗାଡିରେ ନେଇଯାଇଥିଲେ ମେଜର ହାଣ୍ଡା । ବାଟରେ ଶୈଳଜାଙ୍କୁ ଗଳାକାଟି ହତ୍ୟା କରିବା ପରେ ରାସ୍ତାରେ ଫିଙ୍ଗି ଗାଡି ଚଢାଇ ଦେଇଥିଲେ । ତେବେ ଶୈଳଜାଙ୍କ ଶେଷ ଫୋନକଲ ଆଧାରରେ ପୁଲିସ ମେଜର ନିଖିଲ ହାଣ୍ଡାଙ୍କ ଉପରେ ସନ୍ଦେହ କରିଥିଲା । ଆଉ ମେଜର ହାଣ୍ଡାଙ୍କୁ ଉତର ପ୍ରଦେଶ ମିରଟରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।