ପରକୀୟା ପ୍ରୀତି ସର୍ମ୍ପକ ରଖିବାକୁ ମନା କରିବାରୁ ବନ୍ଧୁଙ୍କ ପତ୍ନୀଙ୍କୁ ହତ୍ୟା କଲେ ମେଜର ହାଣ୍ଡା ! ପୋଲିସ ଆଗରେ କହିଲେ ପୂରା କାହାଣୀ

59

ସାଙ୍ଗ ସାଜିଲା ସୈତାନ। ଦିଲ୍ଲୀରେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାର ରହସ୍ୟ ଖୋଲିବାରେ ଲାଗିଛି । ଆଉ ଏହି ହତ୍ୟାକାଣ୍ଡରେ ମୁଖ୍ୟ ଖଳନାୟକ ଭାବେ ଉଭା ହୋଇଛନ୍ତି ମେଜର ନିଖିଲ ହାଣ୍ଡା । ଆଗକୁ ଆଉ ପରକୀୟା ପ୍ରୀତି ସମ୍ପର୍କ ଜାରି ରଖିବାକୁ ମନା କରିବାରୁ ବନ୍ଧୁ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅଭିଯୁକ୍ତ । ହତ୍ୟାକାରୀ ମେଜର ହାଣ୍ଡା ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଥିବା ସୂଚନା ଦେଇଛି ପୋଲିସ । ଦିଲ୍ଲୀ କ୍ୟାଂଟନମେଂଟ୍ ଅଂଚଳରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜା ଦ୍ୱିବେଦୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ମେଜର ନିଖିଲ ହାଣ୍ଡା ।

ମେଜର ଦ୍ୱିବେଦୀଙ୍କ ୩୦ ବର୍ଷୀୟ ପତ୍ନୀ ଶୈଲଜାଙ୍କ ସହ ମେଜର ହାଣ୍ଡାଙ୍କ ଅନୈତିକ ପ୍ରେମ ସମ୍ପର୍କ ରହିଥିଲା । ନାଗାଲାଣ୍ଡରେ ପୋଷ୍ଟିଂ ବେଳେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜାଙ୍କ ସହ ମେଜର ହାଣ୍ଡାଙ୍କ ପ୍ରେମ ହୋଇ ଯାଇଥିଲା । ଆଉ ମେଜର ହାଣ୍ଡା ଶୈଲଜାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ଏହି ସମୟରେ ମେଜର ଅମିତ ଦ୍ୱିବେଦୀଙ୍କ ଦିଲ୍ଲୀକୁ ବଦଳି ହେବାରୁ ଶୈଲଜାଙ୍କୁ ମଧ୍ୟ ସ୍ୱାମୀଙ୍କ ସହ ଦିଲ୍ଲୀ ଆସିବାକୁ ପଡିଥିଲା । ଆଉ ସେ ମେଜର ହାଣ୍ଡାଙ୍କ ସହ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲେ । କିନ୍ତୁ ଏଥିରେ କ୍ଷୁବ୍ଧ ହୋଇ ପଡିଥିଲେ ମେଜର ହାଣ୍ଡା । ଆଉ ସବୁଦିନ ପାଇଁ ଶେଷ କରିଦେବାକୁ ଚାହିଁଥିଲେ ଶୈଲଜାଙ୍କୁ ।

ଆଉ ଦିଲ୍ଲୀରେ ପହଂଚି ନିଜ ଯୋଜନାକୁ ସଫଳ କରିବାକୁ ଅପେକ୍ଷା କରିଥିଲେ ସୁଯୋଗକୁ । ଶୈଲଜା ଫିଜିଓଥେରାପି ପାଇଁ ଦିଲ୍ଲୀ କ୍ୟାଂଟନମେଂଟ ସ୍ଥିତ ସେନା ହସ୍ପିଟାଲକୁ ଯାଇଥିବା ବେଳେ ତାଙ୍କୁ ବୁଲାଇବାକୁ କହି ନିଜ ଗାଡିରେ ନେଇଯାଇଥିଲେ ମେଜର ହାଣ୍ଡା । ବାଟରେ ଶୈଳଜାଙ୍କୁ ଗଳାକାଟି ହତ୍ୟା କରିବା ପରେ ରାସ୍ତାରେ ଫିଙ୍ଗି ଗାଡି ଚଢାଇ ଦେଇଥିଲେ । ତେବେ ଶୈଳଜାଙ୍କ ଶେଷ ଫୋନକଲ ଆଧାରରେ ପୁଲିସ ମେଜର ନିଖିଲ ହାଣ୍ଡାଙ୍କ ଉପରେ ସନ୍ଦେହ କରିଥିଲା । ଆଉ ମେଜର ହାଣ୍ଡାଙ୍କୁ ଉତର ପ୍ରଦେଶ ମିରଟରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।