ୟୁଟ୍ୟୁବ୍ ଭିଡିଓରୁ ହତ୍ୟାର ଷଡ଼ଯନ୍ତ୍ର । କାଳ ହେଲା ଅଧ୍ୟାପିକାଙ୍କ ସହ ସମ୍ପର୍କ ।

ମାରିବା ପାଇଁ ବିହାରରୁ ବନ୍ଧୁକ ଆଣିଥିଲା ଅଭିଯୁକ୍ତ

250

କନକ ବ୍ୟୁରୋ: ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରର ହଷ୍ଟେଲ୍ ସୁପରଭାଇଜର ସୁନିଲ ରଞ୍ଜନ ସାହୁଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଜଣେ ଅଧ୍ୟାପିକାଙ୍କ ସହିତ ସଂପର୍କ ଯୋଗୁ ହିଁ ସୁନିଲଙ୍କ ଜୀବନ ନେଇଛି। ଗତକାଲି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବାରଙ୍ଗ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଲାଲବାଗ ଥାନା ଆଲମଚାନ୍ଦ ବଜାରଳର ନିରଂଜନ ବେହେରା(୨୫)। ଅଭିଯୁକ୍ତ ନିରଂଜନ ସଂପୃକ୍ତ ଅଧ୍ୟାପିକାଙ୍କ ସ୍କୁଲ ସାଂଗ ଥିଲା ବୋଲି ପୁଲିସ କହିଛି।। ପୁଲିସ ତା’ ନିକଟରୁ ସ୍କୁଟି, ୯ଏମଏମ୍ ପିସ୍ତଲ, ଦୁଇଟି ଖାଲି ମାଗାଜିନ୍, ଗୋଟିଏ ଖୋଲା କ୍ୟାଟ୍ରିଜ୍, ହେଲମେଟ୍,ଆସସ୍ ମୋବାଇଲ୍ ଫୋନ୍ ଜବତ କରିଛି। କେବଳ ସେତିକି ନୁହେଁ, ସୁନିଲଙ୍କୁ ମାରିବା ପାଇଁ ଅଭିଯୁକ୍ତ ନିରଂଜନ ୟୁ-ଟ୍ୟୁବରୁ ଭିଡିଓ ଦେଖି ବିହାରର ମୁଙ୍ଗେରରୁ ବଂଧୁକ କିଣିଥିଲା ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ହଷ୍ଟେଲ୍ ସୁପରଭାଇଜର ସୁନିଲ ରଞ୍ଜନ ସାହୁଙ୍କୁ ଗତ ନଭେମ୍ବର ୨୫ ତାରିଖରେ ହତ୍ୟା କରାଯାଇଥିଲା। ସୁନିଲ ଢେଙ୍କାନାଳର ଏକ ଘରୋଇ କଲେଜରେ ପ୍ରଶାସନିକ ଅଧିକାରୀ ଭାବେ କାର‌୍ୟ୍ୟ କରୁଥିବା ବେଳେ ଜଣେ ମହିଳା ଅଧ୍ୟାପିକାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଗୋଟିଏ କଲେଜରେ ଉଭୟ କାର‌୍ୟ୍ୟ କରୁଥିବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ତା ବଢ଼ିଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ସୁନିଲ ସେଠାରୁ ଚାକିରି ଛାଡ଼ି ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ହଷ୍ଟେଲ ସୁପର ଭାଇଜର୍ ଭାବେ କାର‌୍ୟ୍ୟରେ ଯୋଗ ଦେଇଥିଲେ। ଏହା ପରେ ବି ସମ୍ପୃକ୍ତ ଅଧ୍ୟାପିକାଙ୍କ ସହିତ ସେ ଯୋଗାଯୋଗ ରଖିବା ପାଇଁ ଚାହୁଁଥିଲେ।

କିନ୍ତୁ ଅଧ୍ୟାପିକା ଚାହୁଁନଥିଲେ। ଏଭଳି ସ୍ଥିତିରେ ସୁନିଲ ତାଙ୍କୁ ମାନସିକ ନିର‌୍ୟାତନା ଏବ˚ ହଇରାଣ କରୁଥିବା ସମ୍ପର୍କରେ ସଂପୃକ୍ତ ଅଧ୍ୟାପିକା ତାଙ୍କ ସ୍କୁଲ ବେଳର ସାଙ୍ଗ ନିରଞ୍ଜନଙ୍କୁ ଜଣାଇଥିଲେ। ଏକଥା ଶୁଣି ନିରଞ୍ଜନ ପ୍ରତିଶୋଧ ପରାୟଣ ହୋଇ ସୁନିଲକୁ ସବୁ ଦିନ ପାଇଁ ସଫା କରିଦେବାକୁ ଯୋଜନା କରିଥିଲା। କିଭଳି ମାରିବ, ସେଥିପାଇଁ ସୁନିଲ ୟୁଟ୍ୟୁବ୍ ଏବ˚ ଅନ୍ୟ ୱେବସାଇଟର ସହାୟତା ନେଇଥିଲା। ବିହାରର ମୁଙ୍ଗେରରେ ବନ୍ଧୁକ ବିକ୍ରି ହେଉଥିବା ଇଣ୍ଟରନେଟରରୁ ଜାଣିବା ପରେ ନିଜେ ସୁନିଲ ମୁଙ୍ଗେର ଯାଇଥିଲା। ସେଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଦୁଇଟି ମାଗାଜିନ୍, ୩ଟି ବୁଲେଟ କିଣିଥିଲା। ଓଡ଼ିଶା ଫେରିବା ପରେ ଗତ ଏକ ମାସ କାଳ ବାରଙ୍ଗରେ ସୁନିଲଙ୍କୁ ହତ୍ୟା କରିବାକୁ ପିଛା କରିଥିଲା ନିରଞ୍ଜନ।

ଗତ ୨୫ ତାରିଖରେ ନିରଞ୍ଜନ ଏକ ହୋଣ୍ତା ଡିଓ ସ୍କୁଟିରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟକୁ ଆସିଥିଲା। ସୁନିଲ ବିଶ୍ବବିଦ୍ୟାଳୟରୁ ବାହାରି ହନୁମାନ ଛକ ନିକଟରେ ଥିବା ନେତାଲ ବଜାର ନିକଟକୁ ଆସିଥିଲା। ପିଛା କରି ଆସୁଥିବା ନିରଞ୍ଜନ ତାଙ୍କ ନିକଟରେ ପହଞ୍ଚି ହଠାତ ଦୁଇ ରାଉଣ୍ତ ଗୁଳି ଫୁଟାଇଥିଲେ। ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ସୁନିଲ ଛଟପଟ ହେଉଥିବା ବେଳେ ନିରଞ୍ଜନ ବିଦ୍ୟାଧରପୁର ଦେଇ ଢେଙ୍କାନାଳ ପଳାଇଥିଲା। ପୁଲିସ ଘଟଣାର ତଦନ୍ତ କରି ତାକୁ ଲାଲବାଗରୁ ଗିରଫ କରିଛି। ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ସୁବେଦାର ଯାଦବଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ନିରଞ୍ଜନ ବିରୋଧରେ ଦଫା ୩୦୨ ଏବ˚ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।