ପୂଜା ଋତୁରେ କାର ବଜାରରେ ଚଡ଼କ! କାର କିଣିବାକୁ ମଙ୍ଗୁ ନାହିଁନ୍ତି ଗ୍ରାହକ, ଚିନ୍ତାରେ ସୋରୁମ ମାଲିକ ।

571

କନକ ବ୍ୟୁରୋ : ଓଡିଶାର କାର ବଜାରରେ ପଡିଲା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ । ପୂଜା ସିଜିନରେ କାର ବଜାର ଫିକା ପଡିଯାଇଛି । ଓଡିଶାରେ ମହିନ୍ଦ୍ରାର ଜଣେ ଅଧିକାରୀ କହିଛନ୍ତି, କାର୍ ବିକ୍ରି ଯଥେଷ୍ଟ କମିଯାଇଛି । ଏପରିକି ପ୍ରତିମାସରେ ପ୍ରାୟ ୩ହଜାର ୮ଶହ ଲୋକ କାର୍ ପାଇଁ ଇନକ୍ୱାଏରୀ କରିବାକୁ ଆସନ୍ତି । ଏବେ ତାହା ୨୯ ଶହକୁ ଖସିଆସିଛି । ଇନକ୍ୱାଏରୀ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୧୧ ପ୍ରତିଶତ ଲୋକ କାର୍ କିଣୁଥିବା ବେଳେ ଏବେ ତାହା ୬ ପ୍ରତିଶତକୁ ଖସିଆସିଛି ।

ସରିଲା ଗଣେଶ ପୂଜା, ଆଉ ଦିନ କେଇଟା ପରେ ଦୂର୍ଗା ପୂଜା । ଏହି ପୂଜା ସିଜିନରେ ଗାଡି କିଣିବା ପାଇଁ ଲୋକମାନେ ଚାତକ ଭଳି ଚାହିଁ ରହିଥାନ୍ତି । ପୂଜା ବଜାର ଆସିବ ଏବଂ ନୂଆ ନୂଆ ଅଫର ସହ ଗାଡି କିଣିବେ । କିନ୍ତୁ ଚଳିତବର୍ଷର ସ୍ଥିତି ପୁରା ଓଲଟା । ଦ୍ୱନ୍ଦରେ ଗ୍ରାହକ ଏବଂ ଚିନ୍ତାରେ ସୋରୁମ ମାଲିକ । ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବରେ ଆଶନୁରୂପ ବିକ୍ରି ନେଇ ଆଶଙ୍କାରେ ବ୍ୟବସାୟୀ ।

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବରେ ସମଗ୍ର ଦେଶରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ୩୩ ପ୍ରତିଶତ କ୍ଷତିରେ ଚାଲିଛି । ଆର୍ଥିକ ମାନ୍ଦାବସ୍ଥା ସାଙ୍ଗକୁ ଜିଏସଟି ଓ ବିଏସ – ସିକ୍ସ ଦ୍ୱନ୍ଦ ଗ୍ରାହକମାନଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇଦେଇଛି । ଓଡିଶାରେ ମହିନ୍ଦ୍ରା ଗାଡି ବିକ୍ରିରେ ମଧ୍ୟ ମାନ୍ଦା ଦେଖାଯାଇଛି । ପୂର୍ବରୁ ମାସକୁ ୩ ହଜାର ୮୦୦ ଗ୍ରାହକ ଇନକ୍ୱାରୀ କରିବାକୁ ଆସୁଥିବାବେଳେ ଏବେ ଏହା ଖସି ୨୯୦୦କୁ ପହଂଚିଛି । ଅନୁରୁପ ଭାବେ ଇନକ୍ୱାରୀରୁ ଗାଡି କିଣୁଥିବା ଗ୍ରାହକଙ୍କ ପ୍ରତିଶତ ୧୧ରୁ ୬ ପ୍ରତିଶତକୁ ଖସିଆସିଛି ବୋଲି କହିଛନ୍ତି ଉକ୍ରଳ ଅଟୋମୋବାଇଲର ଜେନେରାଲ ମ୍ୟାନେଜର ।

ଗଲା ୧୦ମାସ ହେଲା ମାନ୍ଦାବସ୍ଥାର ଶିକାର ହୋଇ ଆସୁଛି ଭାରତର ଅଟୋମୋବାଇଲ ଇଣ୍ଡଷ୍ଟ୍ରି । ଏହାର ପ୍ରଭାବରେ ନୋ ପ୍ରଡକ୍ସନ ଡେ ଅର୍ଥାତ୍ ଉତ୍ପାଦନ ବନ୍ଦ ଦିବସ ପାଳନ କରିବ ମାରୁତି ସୁଜୁକି । ଆଗାମୀ ସାତ ଓ ନଅ ତାରିଖ, ଏହି ଦୁଇ ଦିନ ମାରୁତି ତାର ଉତ୍ପାଦନ ବନ୍ଦ ରଖିବ ବୋଲି ଘୋଷଣା କରିଛି ।