କୁଆଡେ ଗଲେ ମହିମା ? ଭୁବନେଶ୍ୱର ଉଆସରେ ପୋଲିସର ରେଡ୍

37

କନକ ବ୍ୟୁରୋ : ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ବଢିଲା ମହିମା ମିଶ୍ରଙ୍କ ଅଡୁଆ । ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଘରେ ପୁଣି ପାରାଦୀପ ପୋଲିସର ଚଢାଉ । ପ୍ରାୟ ୨ ଘଂଟା ଧରି ଘରେ ଖାନତଲାସ କରିଛି ପୋଲିସ । ମହିମାଙ୍କ ପତ୍ମୀ ମାଲା ମିଶ୍ରଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛି । ତଦନ୍ତରେ ସହାୟକ ହେଲାଭଳି ଅନେକ ତଥ୍ୟ ପାଇଥିବା ପାରାଦୀପ ପୋଲିସ କହିଛି ।

ଏହା ପୂର୍ବରୁ ମଧ୍ୟ ମହିମା ମିଶ୍ରଙ୍କ ବରମୁଣ୍ଡା ଘରେ ଡିସେମ୍ବର ୭ ତାରିଖରେ ହଠାତ୍ ଚଢାଉ କରିଥିଲା ପାରାଦ୍ୱୀପ ପୋଲିସ୍ । କିନ୍ତୁ ମିହିମାଙ୍କୁ ଘରେ ନପାଇ ନିରାଶ ହୋଇ ଫେରିଯାଇଥିଲା । ଭୁବନେଶ୍ୱର ସ୍ଥିତ ହୋଟେଲ ଏମ୍ପାୟାର ଓ ନିଶ୍ଚିନ୍ତକୋଇଲିରେ ଥିବା ଫାର୍ମ ହାଉସରେ ବି ଚଢାଉ କରିଥିଲା । ସି-ୱେଜ ସିପିଂ କମ୍ପାନି ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କ ନାଁରେ ଲୁକ୍ ଆଉଟ୍ ସରକୁଲାର ଜାରି କରିଛି ପୋଲିସ । ଗିରଫଦାରି ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ ମଧ୍ୟ ମହିମା ମିଶ୍ରଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଥିଲେ କୋର୍ଟ ।

ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡରେ ମହିମା ମିଶ୍ରଙ୍କ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ସଂପୃକ୍ତି ଥିବା ନେଇ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ରାଂଚଳ ଆଇଜି । ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ରାକେଶ୍ ଚୈାବେଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି । ରାକେଶଙ୍କ ବୟାନ ଆଧାରରେ କଂଗ୍ରେସ ନେତା ବାପି ସରର୍ଖେଲଙ୍କୁ ମଧ୍ୟ ଆଗରୁ ଗିରଫ କରିଥିଲା ପୋଲିସ୍ । ତେବେ ଏହି ହତ୍ୟାକାଣ୍ଡରେ ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କ କଣ ସଂପୃକ୍ତି ରହିଛି ସେନେଇ ସାଧାରଣରେ ଉତ୍ସୁକତା ବଢିବାରେ ଲାଗିଛି ।