ହତ୍ୟା ମାମଲାରେ କେମିତି ଛନ୍ଦି ହେଲେ ମହିମା ମିଶ୍ର ! ଦେଖନ୍ତୁ କର୍ପୋରେଟ୍ ୱାରର ପୁରା କାହାଣୀ

72

କନକ ବ୍ୟୁରୋ : କାହିଁକି ହେଲା ମହେନ୍ଦ୍ର ସ୍ୱାଇଁଙ୍କ ମର୍ଡର । କେମିତି ଛନ୍ଦି ହେଲେ ଓଏସଏଲ୍ ମୁଖ୍ୟ ମହିମାନନ୍ଦ ମିଶ୍ର । କୁହାଯାଉଛି, ଏ ହେଉଛି ପାରାଦୀପ କର୍ପୋରେଟ୍ ୱାରର ପରିଣତି । ଷ୍ଟିଭେଡରିଂକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା । ସିୱେଜ୍ କଂପାନୀକୁ ପାରାଦୀପ ପୋର୍ଟ ଷ୍ଟିଭେଡରିଂର ଟେଣ୍ଡର ଦେବା ପରେ ଓଏସଏଲ୍ ଅସନ୍ତୋଷ ବଢିଥିଲା । ଆଉ ଏହି ବିବାଦରେ ସିୱେଜ ତଳିଆର ଅଧିକାରୀଙ୍କ ମୁଣ୍ଡ ଗଡିଥିଲା । ଦେଖନ୍ତୁ କର୍ପୋରେଟ୍ ୱାରର ପୁରା କାହାଣୀ ।

ଓଡିଶାର କିଛି ଧନୀ ଶିଳ୍ପପତିଙ୍କ ନାଁ ଆସିଲେ ଚର୍ଚ୍ଚାକୁ ଆସନ୍ତି ମହିମା ମିଶ୍ର । ଓଡିଶା ଷ୍ଟିଭେଡର୍ସ ଲିମିଟେଡର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ର । ବାଲି ବ୍ୟବସାୟୀରୁ କାର୍ଗୋ ବ୍ୟବସାୟୀ । ୧୯୭୮ରେ ପାରାଦୀପରେ ପ୍ରତିଷ୍ଠା କରନ୍ତି ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ । ମାତ୍ର କିଛିଦିନ ଭିତରେ ଜାହାଜରୁ ମାଲ୍ ଅନଲୋଡିଂ କରି ବନି ଯାଆନ୍ତି ଷ୍ଟିଭେଡରିଂ ବାଦଶାହ । ପ୍ରତିଷ୍ଠା କରନ୍ତି ନିଜ ସାମ୍ରାଜ୍ୟ । ଟ୍ରକ୍, ଡମ୍ପର୍ ଓ ଶ୍ରମିକ । ସବୁ ୟୁନିୟନ୍ ଚାଲେ ମହିମାଙ୍କ ଇଙ୍ଗିତରେ । ଆଉ ପାରାଦୀପ ବନ୍ଦରରେ ଆରମ୍ଭ ହୁଏ ମହିମାଙ୍କ ଯୁଗ ।

ହେଲେ ୨୦୧୫ରେ ବଦଳିଯାଏ ଷ୍ଟିଭେଡରିଂ ଚିତ୍ର । ଯେତେବେଳେ ସିୱେଜ୍ ନାମକ ଏକ ବାହାର ସଂସ୍ଥା ପାରାଦୀପକୁ ପ୍ରବେଶ କରେ । କୁହାଯାଉଛି ଏ ସଂସ୍ଥା ହେଉଛି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକାରୀଙ୍କ ସଂପର୍କୀୟଙ୍କର । ଟେଣ୍ଡର ହୁଏ ଷ୍ଟିଭେଡରିଂ ପାଇଁ । ଆଉ ଓଏସଏଲ୍ ହାତରୁ ଟେଣ୍ଡର୍ ଚାଲିଯାଏ ସିୱେଜ୍ ପାଖକୁ । ତୃତୀୟ ପାର୍ଟି ଭାବେ ସିୱେଜର କାମକୁ ହାତକୁ ନିଏ ଜିନ୍ଦଲ୍ କଂମ୍ପାନୀ । ନୀତିନ୍ ଗଡକାରୀଙ୍କ ପରେ ଉଭା ହୁଅନ୍ତି ଆଉ ଏକ ଟାଣୁଆ ଶିଳ୍ପପତି ନବୀନ୍ ଜିନ୍ଦଲ୍ ।

ଗୋଟିଏ ପଟେ ନୀତିନ୍ ଗଡକାରୀ ଓ ନବୀନ୍ ଜିନ୍ଦଲ୍ ଅନ୍ୟପଟେ ଏହି ଓଡିଆ ଶିଳ୍ପପତି ମହିମା ମିଶ୍ର । ଆରମ୍ଭ ହୋଇଯାଏ କର୍ପୋରେଟ୍ ୱାର୍ । ପାରାଦୀପରେ ଚାଲେ ଛକାପଞ୍ଝା । କେତେବେଳେ ଆନ୍ଦୋଳନ ତ କେତେବେଳେ ଆତଙ୍କ । ଆଉ ଏସବୁ ଭିତରେ ସିୱେଜର ଜିଏମ୍ ମହେନ୍ଦ୍ର ସ୍ୱାଇଁଙ୍କ ମୁଣ୍ଡ ଗଡେ । ତେବେ ଏହି ହତ୍ୟା ମାମଲାରେ କେମିତି ଛନ୍ଦି ହେଲେ ଓଏସଏଲ୍ ମୁଖ୍ୟ ମହିମା ମିଶ୍ର । ସେ ଦୋଷୀ ଦା ନିର୍ଦ୍ଦୋଷ । ଏ ପ୍ରଶ୍ନର ଉତ୍ତର ମିଳିବ , କୋର୍ଟଙ୍କ ବିଚାର ପରେ ।