ଧରାପଡିଲେ ମହିମାନନ୍ଦ ମିଶ୍ର : ଥାଇଲାଣ୍ଡରେ ଅଟକ ରଖିଛି ଇମିଗ୍ରେସନ୍ ପୁଲିସ୍, କାଲି ଅଣାଯିବ ଭାରତ

44

କନକ ବ୍ୟୁରୋ : ଶେଷରେ ଧରାପଡିଲେ ମହିମା ମିଶ୍ର । ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି । ମହିମାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ କେବି ସିଂ । ଥାଇଲାଣ୍ଡର ଇମିଗ୍ରେସନ ସେଂଟରରେ ତାଙ୍କୁ ଅଟକ ରଖିଛିି ଇମିଗ୍ରେସନ ପୁଲିସ୍ ।

ତାଂକୁ ଭାରତ ଆଣିବାକୁ ପାରାଦୀପର ୬ ଜଣିଆ ପୁଲିସ୍ ଟିମ୍ ଥାଇଲାଣ୍ଡ ଯାଇଛି । ଆସନ୍ତାକାଲି ତାଂକୁ ପ୍ରଥମେ ଭାରତ ଅଣାଯିବ । ସେଠାରୁ ଭୁବନେଶ୍ୱର ଆଣିବାକୁ ଯୋଜନା କରିଛି ଓଡିଶା ପୁଲିସ୍ । ଇଂଟରପୋଲର ସୂଚନା ଆଧାରରେ ଥାଇଲାଣ୍ଡ ପୁଲିସ୍ ତାଙ୍କୁ ଅଟକ କରିଛି । ୧୫ ଦିନିଆ ଟୁରିଷ୍ଟ ଭିସାରେ ମହିମା ଏବଂ ବସନ୍ତ ବଳ ପ୍ରଥମେ ଦିଲ୍ଲୀରୁ ନେପାଳ ଏବଂ ପରେ ଥାଇଲାଣ୍ଡ ଯାଇଥିଲେ ।

ତାଙ୍କ ସହ ତାଙ୍କ ପରିବାରର କିଛି ସଦସ୍ୟ ଓ ୬ ରୁ ୭ ଜଣ ଅଙ୍ଗରକ୍ଷୀ ଥିବାର ସୂଚନା ମିଳିଛି । ଥାଇଲାଣ୍ଡ ପୁଲିସର ଲେଫ୍ଟନାଂଟ୍ ଜେନେରାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ମହିମାଙ୍କୁ ଅଟକ ରଖିବା ନେଇ ସୂଚନା ଦେଇଛନ୍ତି । ଥାଇଲାଣ୍ଡରେ ମହିମା ମିଶ୍ର ଏକ ଫାଇଭ୍ ଷ୍ଟାର ହୋଟେଲରେ ବିଳାସ ବ୍ୟାସନରେ ରହୁଥିଲେ । ଯାହାର ଦିନକୁ ଭଡା ୧ ଲକ୍ଷ ଟଂକା । ପୋଲିସ ଡିଜି କହିଛନ୍ତି, ଓଡିଶା ଅଣାଯିବା ପରେ ତାଂକୁ ରିମାଣ୍ଡରେ ଅଣାଯିବ ।

ପାରାଦୀପ ସିୱେଜ୍ ସିପିଂ କଂପାନୀର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ମହିମା ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ମହିମାଙ୍କୁ ଗିରଫ କରିବାକୁ ପ୍ରଥମେ ଲୁକ୍ ଆଉଟ୍ ସର୍କୁଲାର୍ ଏବଂ ପରେ ଏନବିଡବ୍ଲୁ ଜାରି ହୋଇଥିିଲା । ମହିମାଙ୍କ ପାରାଦୀପସ୍ଥିତ କାର୍ଯ୍ୟାଳୟ ଓ ଭୁବନେଶ୍ୱରସ୍ଥିତ ବାସଭବନରେ ଏକାଧିକ ଥର ଚଢାଉ କରିଥିଲା ପୁଲିସ୍ । ମହେନ୍ଦ୍ରଙ୍କ ସୁପାରି କିଲର ରାକେଶ ଚୌବେଙ୍କୁ ଗିରଫ ପରେ ଜେରା ବେଳେ ମହିମାଙ୍କ ନାଁ ପଦାକୁ ଆସିଥିଲା ।

ଏହା ପରେ ମହିମାଙ୍କୁ ଖୋଜୁଥିଲା ପୁଲିସ୍ । ତେବେ ସେ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍ ଦିଲ୍ଲୀରୁ ସୁଶାନ୍ତ ସେଠୀଙ୍କୁ ଗିରଫ କରିଛି । ଗତକାଲି ତାଙ୍କୁ ପଚରାଉଚରା ପାଇଁ ପାରାଦୀପ ଅଣାଯାଇଛି । ଘଟଣାରେ ପୂର୍ବରୁ ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ଗିରଫ କରିସାରିଛି ପୁଲିସ୍ ।