ପାଇକ ବିଦ୍ରୋହକୁ ନେଇ ଜାତୀୟ ସ୍ତରରେ ଏକ ଆଲୋଚନା ଚକ୍ରର ଆବଶ୍ୟକତା ରହିଛି : ମହେଶ୍ୱର ମହାନ୍ତି

39

କନକ ବ୍ୟୁରୋ : ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର । ଏନେଇ କ୍ୟାବିନେଟ୍ ବୈଠକରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ୧୦ଟି ତଥ୍ୟ ରଖି ଏହାକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବା ଉଚିତ ବୋଲି ପ୍ରସ୍ତାବ ରଖିଥିଲେ । ଏହାକୁ କ୍ୟାବିନେଟ ମଂଜୁରୀ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରି ଚିଠି ଲେଖିଛନ୍ତି ।

କିନ୍ତୁ ରାଜ୍ୟ ଭିତରେ ମଧ୍ୟ ଏହି ଦାବିକୁ ନେଇ ଐତିହାସିକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ତେଣୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତି । ଜାତୀୟ ସ୍ତରରେ ଏକ ଆଲୋଚନା ଚକ୍ରର ଆବଶ୍ୟକତା ରହିଛି । କିନ୍ତୁ ତାପୂର୍ବରୁ ଏଠାରେ ଆମେ ସମସ୍ତେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଆରପଟେ କେନ୍ଦ୍ରକୁ ଦାବି କରି ଦେଇ ଯେମିତି କାମ ସାରିଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ।