ବିନା ନୋଟରେ ଗାନ୍ଧି ବି ଜିତି ପାରିବେନି ନିର୍ବାଚନ ! ମହେଶ୍ୱରଙ୍କ ବିବାଦୀୟ ବୟାନ ପରେ ବଢିଲା ଚର୍ଚ୍ଚା

48

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନରେ ବିପୁଳ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଯେତେବେଳେ ବ୍ୟାପକ ଚର୍ଚ୍ଚା ହେଉଛି । ଠିକ୍ ସେମିତି ବେଳେ ପ୍ରଶ୍ନ ଉଠୁଛି- ଟଙ୍କା ନହେଲେ ନିର୍ବାଚନ ଜିତିବା ସମ୍ଭବ କି ନୁହେଁ । ଆଉ ଏହି ପ୍ରସଙ୍ଗରେ ମନ୍ତ୍ରୀ ମହେଶ୍ୱର ମହାନ୍ତି ରଖିଥିବା ମନ୍ତବ୍ୟ, ପୁଣି ଥରେ ଏହି ଚର୍ଚ୍ଚାକୁ ସରଗରମ କରିଦେଇଛି । ମହେଶ୍ୱର କହିଛନ୍ତି- ଟଙ୍କା ନଥିଲେ ଆଜିର ଦିନରେ ମହାତ୍ମାଗାନ୍ଧୀ ବି ନିର୍ବାଚନ ଜିତି ପାରିନଥାନ୍ତେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ନିର୍ବାଚନରେ ଟଙ୍କା କାରବାର ହେଉଥିବା କଥାକୁ ସ୍ୱୀକାର କରିଛନ୍ତି ।

ବିଜେପୁର ଉପ-ନିର୍ବାଚନର ଫଳାଫଳକୁ ନେଇ ଅଙ୍କକଷା ଭିତରେ ଏବେ ଜୋରଧରିଛି, ଭୋଟ୍ ପାଇଁ ନୋଟ୍ ବିତର୍କ । ଟଙ୍କା ନହେଲେ ନିର୍ବାଚନ ଜିତିବା ସଂଭବ ନୁହେଁ-ଏହି ଯୁକ୍ତିକୁ ପ୍ରମାଣିତ କରିବାକୁ ଯାଇ ମନ୍ତ୍ରୀ ମହେଶ୍ୱର ମହାନ୍ତି ଯେଉଁ ମନ୍ତବ୍ୟ ରଖିଛନ୍ତି ତାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ମନ୍ତ୍ରୀ କହୁୁଛନ୍ତି-ଟଙ୍କା ନଥିଲେ ଜାତିର ମହାତ୍ମା ଗାନ୍ଧୀ ବି ନିର୍ବାଚନ ହାରି ଯାଇଥାନ୍ତେ । ମନ୍ତ୍ରୀ ବୋଧେ-ନିର୍ବାଚନ ଖର୍ଚ୍ଚର ବ୍ୟୟବହୁଳତା ପ୍ରସଙ୍ଗରେ ଏଭଳି ଏକ ଯୁକ୍ତି ରଖିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ।ନିର୍ବାଚନରେ କ’ଣ ଗୁରୁତ୍ୱପୂର୍ଣ୍ଣ ? ଟଙ୍କା ନା ପ୍ରସଙ୍ଗ ?

ଲୋକଙ୍କ ସମସ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ-ଟଙ୍କା ଜରିଆରେ ଲୋକଙ୍କୁ ପ୍ରଭାବିତ କରିବା ବୋଧେ ଯେମିତି ରାଜନୈତିକ ଦଳଗୁଡ଼ିକର ପ୍ରମୁଖ ଲକ୍ଷ୍ୟ ପାଲଟି ଯାଇଛି । ଏହି ପ୍ରସଙ୍ଗରେ ବିଜେଡି ସହ ବିଜେପି ମଧ୍ୟ ସ୍ୱର ମିଳାଇଛି । ଭୃଗୁ ବକ୍ସିପାତ୍ର-ଗତ ବିଧାନସଭା ନିର୍ବାଚନର ସମୟର ଏକ ଉଦହାରଣ ରଖି-ଲୋକ ଟଙ୍କା ମାଗିବା କଥା କହିଛନ୍ତି ।

ବିରୋଧୀ ଦଳ ନେତାଙ୍କ ବି ସମାନ ଅଭିଯୋଗ । ବିଜେପୁର ନିର୍ବାଚନ ପ୍ରଚାର ସମୟରେ ଭୋଟ୍ ପିଛା ୫ ହଜାର ଟଙ୍କା ଲାଂଚ ଦିଆଯାଇଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ।କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି- ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରକୃତରେ କ’ଣ ବିନା ଟଙ୍କାରେ ନିର୍ବାଚନ ଲଢ଼ି ହେବ ନାହିଁ ? ଏହି ଉକ୍ତି କ’ଣ ସବୁ ରାଜନୈତିକ ଦଳ ଏବଂ ନେତାଙ୍କ ପାଇଁ ପ୍ରଯୁଜ୍ୟ ?