୨୦୨୦ ଟି-୨୦ ବିଶ୍ୱକପରେ ଧୋନିଙ୍କୁ ମିଳିବନି ଟିମରେ ସ୍ଥାନ! ଅବସର ନେଇ ଧୋନିଙ୍କ ସହ ଖୁବଶୀଘ୍ର କଥା ହୋଇପାରନ୍ତି ଚୟନ କମିଟି ମୁଖ୍ୟ, ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ।

2,357

ଟିମ ଇଣ୍ଡିଆରୁ ବିଦା ହେବେ କି ମହେନ୍ଦ୍ର ସିଂ ଧୋନି ? ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ପରଠାରୁ ଧୋନିଙ୍କ କ୍ରିକେଟ କ୍ୟାରିଅର ଅନ୍ତ ବୋଲି ଚର୍ଚ୍ଚା ହେଉଛି । ଏପରିକି ଧୋନି ନିଜେ ମଧ୍ୟ ଖୁବଶୀଘ୍ର ଅବସର ଘୋଷଣା କରିପାରନ୍ତି । ଆଉ ଯଦି ସେ ନିଜେ ଅବସର ନ ନିଅନ୍ତି, ତେବେ ତାଙ୍କୁ ଟିମରୁ ବାହାର କରିବାକୁ ଚୟନ କମିଟି ନିଷ୍ପତି ନେଇ ସାରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଏପରିକି ଅବସର ନିଷ୍ପତି ନେଇ ଧୋନିଙ୍କ ସହ ଆଲୋଚନା କରିବେ ଚିଫ୍ ସିଲେକ୍ଟର ଏମଏସକେ ପ୍ରସାଦ । ଯଦି ନିଜ ଅବସର ନେଇ ଏମଏସକେ ପ୍ରସାଦଙ୍କୁ ଧୋନି ଆଗୁଆ କୌଣସି ସୂଚନା ନ ଦେଲେ ପ୍ରସାଦ ନିଜ ଆଡୁ ଧୋନିଙ୍କୁ ଭେଟି ଏ ବାବଦରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରିଷଭ ପନ୍ତଙ୍କ ଭଳି ଯୁବ ଖେଳାଳି ଟିମରେ ସ୍ଥାନ ପକ୍କା କରିବାକୁ ନିଜ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି ।

ଅନ୍ୟପଟେ ଧୋନି ପୂର୍ବଭଳି ଆଉ ମ୍ୟାଚ ଫିନିସର ଲାଗୁ ନାହାନ୍ତି । ଛଅ, ସାତ ନମ୍ବରରେ ବ୍ୟାଟିଂ କଲାବେଳେ ଧୋନି ସହଜ ଅପେକ୍ଷା ଅଧିକ ସଂଘର୍ଷ କରୁଛନ୍ତି । ତେଣୁ ୨୦୨୦ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିମ ପାଇଁ ସିଲେକ୍ଟର୍ସ କମିଟିଙ୍କ ପ୍ଲାନରେ ଧୋନିଙ୍କ ରଖାଯାଇ ନାହିଁ ବୋଲି ସୂଚନା ମିଳିଛି । ନିଜ ନାମ ଗୋପନ ରଖି ଜଣେ ପୂର୍ବତନ କ୍ରିକେଟର କହିଛନ୍ତି ବିଶ୍ୱକପ ପୂର୍ବରୁ ଧୋନିଙ୍କ ସହ କ୍ରିକେଟରୁ ଅବସର ନେଇ କୌଣସି ଆଲୋଚନା କରାଯାଇନଥିଲା । କାରଣ ଧୋନିଙ୍କ ଏକାଗ୍ରତା ବିଶ୍ୱକପରୁ ଉପରେ ରହୁ ବୋଲି ସିଲେକ୍ଟର୍ସ କମିଟି ଚାହୁଁଥିଲେ ବୋଲି କ୍ରିକେଟର ଜଣକ କହିଛନ୍ତି ।

ଧୋନି ଏହାପୂର୍ବରୁ ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ମ୍ୟାଚରେ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । କିନ୍ତୁ ଏବେ ଦିନିକିଆ ଓ ଟି-୨୦ ଫର୍ମାଟରୁ ଅବସର ନେବା ପାଇଁ ଧୋନିଙ୍କ ଉପରେ ବିଭିନ୍ନ ଆଡୁ ଏକପ୍ରକାର ଚାପ ପଡୁଥିବା ଚର୍ଚ୍ଚା ହେଉଛି । ଧୋନି ଏକମାତ୍ର ଅଧିନାୟକ ଭାବେ ଭାରତକୁ ସବୁ ଫର୍ମାଟରେ ବିଶ୍ୱବିଜୟୀ କରିଛନ୍ତି । ସେହିପରି ବିରାଟ କୋହଲି ଅଧିନାୟକ ରହିବେ ନା ନାହିଁ ସେ ଉପରେ ମଧ୍ୟ ବିଚାର ବିମର୍ଶ ଚାଲିଥିବା ସୂଚନା ମିଳିଛି ।