ଗାନ୍ଧିଙ୍କୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ ! କଟକରେ ହୋଇଥିଲା ଗାନ୍ଧୀଙ୍କ ସଭା, ମଞ୍ଚ ଉପରକୁ କୁଲା ଫୋପାଡିଥିଲେ ଲୋକେ । 

289
କନକ ବ୍ୟୁରୋ : ଲିଟେରାରୀ ଫେଷ୍ଟିଭାଲରେ ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନାରେ ଆଜି ଏମିତି କିଛି ତଥ୍ୟ ସାମନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗାନ୍ଧୀଙ୍କ ଭଳି ରାଷ୍ଟ୍ରନେତା ମଧ୍ୟ ବିରୋଧ ଓ ପ୍ରତିବାଦର ସାମନା କରୁଥିଲେ । ଆଜି ନେତାଙ୍କୁ ବିରୋଧ କରିବା ପାଇଁ ଅଣ୍ଡା ଓ ଟମାଟୋ ଫିଙ୍ଗାଯାଉଛି, ସେତେବେଳେ କୁଲା ଫିଙ୍ଗି ଗାନ୍ଧୀଙ୍କ ନୀତିର ବିରୋଧ କରିଥିଲେ କିଛି ଲୋକ । ପ୍ରଥମ ଥର ଗାନ୍ଧୀ ଓଡ଼ିଶା ଆସିଥିବା ବେଳେ ଦେଖାଦେଇଥିଲା ଏଭଳି ପ୍ରତିବାଦ ।
ଗାନ୍ଧୀଙ୍କ କଟକ ସଭାରେ ହୋଇଥିଲା ପ୍ରତିବାଦ । ସଭା ମଂଚ ଉପରକୁ କୁଲା ଫୋପାଡିଥିଲେ ଲୋକେ । ୧୯୨୧ ମସିହାରେ ପ୍ରଥମ ଥର ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ  । କଟକ କାଠଯୋଡ଼ି ନଦୀ ପଠାରେ ସଭା ହୋଇଥିଲା । ପାଖରେ ଥିଲେ ଉକ୍ରଳମଣି ଗୋପବନ୍ଧୁ ଦାଶ ଓ ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀ ଓ ଅନ୍ୟମାନେ । ଗାନ୍ଧୀଙ୍କ ସଭା ଚାଲିଥାଏ, ସେତିକିବେଳେ ସଭା ଉପରକୁ କୁଲା ଫିଙ୍ଗିଥିଲେ କିଛି ଲୋକ । ଅସହଯୋଗ ଆନ୍ଦୋଳନକୁ ବିରୋଧ କରୁଥିବା ବ୍ୟକ୍ତି ଏଭଳି ଢଙ୍ଗରେ କରିଥିଲେ ପ୍ରତିବାଦ । ଆଉ ସେହି କୁଲାକୁ ନିଲାମ କରିଥିଲେ ଗୋପବନ୍ଧୁ । ଏମିତି କିଛି ରୋଚକ କଥା ଆଜି ଟାଟା ଲିଟରାରୀ ଫେଷ୍ଟିଭାଲ୍ ମିଟରେ ପଦାକୁ ଆସିଛି ।
ଆଜି ନେତାଙ୍କୁ ବିରୋଧ କଲା ବେଳେ ଅଣ୍ଡା-ଟମାଟୋ ମାଡ଼ ନିତିଦିନିଆ ଘଟଣା ହୋଇଥିଲା ବେଳେ ପାଖାପାଖି ଶହେ ବର୍ଷ ତଳେ ଗାନ୍ଧୀଙ୍କ ସଭାରେ ହୋଇଥିବା ବିରୋଧ, ରାଜନୀତିର ଏହି ଦିଗ କେତେ ପୁରୁଣା ତାହା ସୂଚାଉଛି । ତେବେ ସେତେବେଳେ ଗାନ୍ଧୀ କେତେ ଲୋକପ୍ରିୟ ଥିଲେ, ଏକଥା ମଧ୍ୟ କହିଥିଲେ ଆଲୋଚକ । ସଭା ସାରି ମହାତ୍ମା ଗାନ୍ଧୀ ଫେରିଗଲା ପରେ କାଠଯୋଡ଼ିର ବାଲିକୁ ପବିତ୍ର କହି କିଛି ଲୋକ ବିକ୍ରି ମଧ୍ୟ କରିଥିଲେ । ୧୯୨୧ରୁ ୪୬ ମଧ୍ୟରେ ୮ ଥର ଓଡ଼ିଶା ଆସି ପ୍ରାୟ ୭୦ ଦିନ ବିଭିନ୍ନ ଅଂଚଳ ବୁଲିଥିଲେ ଗାନ୍ଧୀ  । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଟାଟା ଲିଟେରାରୀ ଫେଷ୍ଟିଭାଲରେ ହୋଇଥିଲା ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନା । ଦେଶ ଓ ବିଶ୍ୱର ଅନେକ ସମସ୍ୟା ଆଜି ବି ଗାନ୍ଧୀ ବିଚାର ଦ୍ୱାରା ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।