ମହାସୁଆରଙ୍କ ବିରୋଧରେ ମହାଅଭିଯୋଗ : ଗିରଫ ହେବେ କି ଦାମୋଦର ?

31

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଅପରାହ୍ନରେ ନୋଟିସ୍ ମାରି ଆହ୍ୱାନ ଦେଲେ । କହିଲେ ତାକତ ଅଛି ତ ଅଟକାଅ । ଆଉ ରାତିରେ ନିଜ ଝିଅକୁ ବେଧଡକ ରଥ ଉପରକୁ ଚଢାଇଲେ । ଏ ନିଳାଦ୍ରୀ ବିଜେ ସମୟର ନିନ୍ଦନୀୟ ଘଟଣା । ବିଧିବ୍ୟବସ୍ଥା, ଆଇନକାନୁନକୁ ପାଦରେ ଦଳି ସେବାୟତ ରଥ ଉପରକୁ ନେଇଛନ୍ତି ନିଜ ଝିଅକୁ । ଆଉ ରଥ ତଳେ ରହି ଆଇନ୍ ଉଲଘଂନର ଏ କଳଙ୍କିତ ଅଧ୍ୟାୟର ସାକ୍ଷୀ ସାଜିଛନ୍ତି ଆଇନମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ , ଜିଲ୍ଲା ପ୍ରଶାସକ ଓ ବରିଷ୍ଠ ପୁଲିସ୍ ଅଧିକାରୀ । ମହାସୁଆରଙ୍କ ନାଲି ଆଖି ଆଗରେ ସମସ୍ତେ ଚୁପ୍ । ହେଲେ ରଥରୁ ଓହ୍ଲାଇବା ବେଳେ ଗଣମାଧ୍ୟମ ପ୍ରତିନିଧି ଏନେଇ ପଚାରୁ ପଚାରୁ ଆରମ୍ଭ ହୋଇଥିଲା ମହାଭାରତ । ସେବାୟତ ଭୂଲି ଗଲେ ନୀତି ନୈତିକତାର କଥା । ହଠାତ୍ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିଲେ । ନୀଳାଦ୍ରି ବିଜେର ନୀତି ବିଶୃଙ୍ଖଳିତ ହେଲା । ହେଲେ ମହାସୁଆରଙ୍କ ଦାଦାଗିରି କମି ନଥିଲା । ପ୍ରଶାସନକୁ ଚ୍ୟାଲେଂଜ ଦେଇଥିବା ଦାମୋଦର ମହାସୁଆର ଏଥର ମହାପ୍ରସାଦନ ବନ୍ଦ କରି ଜଗନ୍ନାଥଙ୍କୁ ଓପାସ ରଖିବାକୁ ଚ୍ୟାଲେଂଜ ଦେଇଥିଲେ । ରାତିରେ ସାମ୍ବାଦିକଙ୍କ ଏତଲା ଆଉ ଦିନରେ ଜିଲ୍ଲା ପ୍ରଶାସନର ମାମଲା । ବିଶୃଙ୍ଖଳାକାରୀ ସେବାୟତଙ୍କୁ ବାନ୍ଧିବାକୁ ପୁଲିସ୍ ଆଗେଇ ଆସିଲା । ଜଣେ ସେବାୟତଙ୍କୁ ଗିରଫ କରିବା ସହ ଦୁଇଜଣଙ୍କୁ ଅଟକ ରଖିଲା ।

ତେବେ କୁଆଡେ ଗଲେ ଆକ୍ରମଣକାରୀ ମହାସୁଆର ଦାମୋଦର । ଗତକାଲି ଖୋଲା ଚ୍ୟାଲେଂଜ ଦେଉଥିବା ଦାମୋଦର ଗିରଫ ଭୟରେ ଫେରାର୍ ହୋଇଗଲେ କି । ସେପଟେ ଆକ୍ରମଣର ପ୍ରତିବାଦରେ ଦିନ ତମାମ କାର୍ଯ୍ୟରତ ସାମ୍ବାଦିକମାନେ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।