ଶିବ ଉଚ୍ଚାରଣରେ କମ୍ପିଲା ଏକାମ୍ର କ୍ଷେତ୍ର ! ନିର୍ଦ୍ଧାରିତ ସମୟର ଅଢେଇ ଘଂଟା ବିଳମ୍ବରେ ଲିଙ୍ଗରାଜରେ ଉଠିଲା ମହାଦୀପ

74

କନକ ବ୍ୟୁରୋ: ‘ଓଁ ନମଃ ଶିବାୟ’ ଉଚ୍ଚାରଣରେ କମ୍ପୁଥିଲା ଏକାମ୍ର କ୍ଷେତ୍ର । ମହାଶିବ ରାତ୍ରି ଅବସରରେ ଭୁବନେଶ୍ୱର ସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳିତ ହୋଇଛି ଏହି ପବିତ୍ର ଉତ୍ସବ । ଲକ୍ଷାଧିକ ଭକ୍ତଙ୍କ ସମାଗମ ଭିତରେ ରାତି ସାଢେ ୧୨ଟାରେ ଉଠିଥିଲା ମହାଦୀପ । ଶିବ ପଂଚାକ୍ଷରୀ ମନ୍ତ୍ରର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସାରା ଅଂଚଳ ।

ନିର୍ଦ୍ଧାରିତ ସମୟର ପ୍ରାୟ ଅଢେଇ ଘଂଟା ବିଳମ୍ବରେ ଉଠିଥିଲା ଏହି ମହାଦୀପ । ଏହା ସହ ଭକ୍ତ ଶେଷ କରିଥିଲେ ନିଜର ଜାଗର ଉପବାସ । ବ୍ରହ୍ମେଶ୍ୱର ମନ୍ଦିରରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଭଜନ ପରିବେଷଣ ଭକ୍ତଙ୍କ ମନ ମୋହିଥିଲା ।

ମହାଶିବରାତ୍ରିରେ ଦିନତମାମ ଏମିତି ଭକ୍ତିଭାବମୟ ହୋଇ ଉଠିଥିଲା ଶ୍ରୀଲିଙ୍ଗରାଜ ମନ୍ଦିରର ପରିବେଶ। ମହାଦୀପ ଦର୍ଶନର ମହାର୍ଘ୍ୟ ସୁଯୋଗ ଲଭିବା ପାଇଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତେ ଜାଗର ଜାଳି ସତୃଷ୍ଣ ନୟନରେ ଚାହିଁ ରହିଥିଲେ ମନ୍ଦିର ଚୂଡ଼ାକୁ । ଶେଷରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ହରିବୋଲ, ହୁଳହୁଳି ଓ ହରହର ମହାଦେବ ଧ୍ୱନି ମଧ୍ୟରେ ରାତି ସାଢ଼େ ୧୨ଟାରେ ସମର୍ଥା ସେବାୟତଗଣ ବେଢ଼ା ପରିକ୍ରମା ସାରି ମନ୍ଦିର ଉପରକୁ ଉଠାଇଥିଲେ ମହାଦୀପ ।