ଆଜି ମହାଶିବରାତ୍ରୀ ! ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

121

କନକ ବ୍ୟୁରୋ: ଆଜି ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇ ଉଠିଲାଣି ଏକାମ୍ର କ୍ଷେତ୍ରର ସମସ୍ତ ଶୈବପୀଠ। ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ଆଜି ଦିନରେ ଶିବଙ୍କ ଆରାଧନା କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ବିଶେଷ କରି ଆଜି ରାତ୍ରି ଉଜାଗର ରହି ଜାଗର ଜାଳିଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବିଭିନ୍ନ ଶୈବପୀଠରେ ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଛି ।

ବିଶେଷକରି ଶ୍ରୀଲିଙ୍ଗରାଜ ପୀଠରେ ନୀତିନିର୍ଘଂଟ ଚୂଡାନ୍ତ ହୋଇଛି । ଭୋର ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ କରାଯିବ । ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁ ସାହାଣନେଲା ଦର୍ଶନ ହେବ । ଅପରାହ୍ନ ୪ଟାରୁ ୫ଟା ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ରାତି ୧୦ଟାରେ ଉଠିବ ମହାଦୀପ । ରାତି ୧୦ଟାରେ ମହାଦୀପ ଉଠିବା ପରେ ରାତି ୧୦ଟାରୁ ୧୧ଟା ଯାଏଁ ପୁଣି ସାହାଣମେଲା ଦର୍ଶନ ହେବ । ଶିବରାତ୍ରୀ ପାଇଁ ଲିଙ୍ଗରାଜ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ନୀତିକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଲାଗିଲା ବିଶାଳ ଚାନ୍ଦୁଆ

ଶିବରାତ୍ରି ପାଇଁ ମନ୍ଦିର ଗର୍ଭଗୃହରେ ଲାଗିଛି ଏକ ବିଶାଳ ଚାନ୍ଦୁଆ। ୨୨ଫୁଟ୍ ଚଡ଼ଡା ୨୨ଫୁଟ୍ ଲମ୍ବ ବିଶିଷ୍ଟ ଏହି ଚାନ୍ଦୁଆକୁ ଜଣେ ଭକ୍ତ ଦାନ କରିଛନ୍ତି । ମନ୍ଦିର ପ୍ରଶାସନ ସହଯୋଗରେ ଏଏସଆଇ ପକ୍ଷରୁ ଏହାକୁ ଲଗାଯାଇଛି । ସେହିପରି ଗର୍ଭଗୃହକୁ ଏଏସଆଇ ପକ୍ଷରୁ ରଙ୍ଗ କାର୍ଯ୍ୟ ସରିଛି ।

ରାତି ଅଧରେ ଷଣ୍ଢଧରା

ପ୍ରତିବର୍ଷ ମହାଶିବରାତ୍ରିରେ ଭକ୍ତଙ୍କ ଭିଡ଼ ମଧ୍ୟରେ ଷଣ୍ଢମାନେ ସମସ୍ୟା ସୃଷ୍ଟି କରିଥାନ୍ତି । ଚଳିତ ବର୍ଷ ଏହି ସମସ୍ୟା ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଷଣ୍ଢଗୁଡ଼ିକୁ କାଞ୍ଜିଆହୁଦାକୁ ନେବା ଲାଗି ରାତି ଅଧରେ ଷଣ୍ଢ ଧରା କାର୍ଯ୍ୟ ଚାଲିଛି। କେତେକ ଷଣ୍ଢକୁ ଧରି ବିଏମସି ପକ୍ଷରୁ ୟୁନିଟ୍ ୩ କାଞ୍ଜିଆହୁଦାରେ ଛାଡ଼ିଛି । ତେବେ ବହୁ ଷଣ୍ଡ ଏବେ ବି ବୁଲୁଥିବା ଦେଖିବାକୁ ମିଳିଛି ।

ମହାଦୀପ ନେବେ ୫ ସମର୍ଥା

ମହାଶିବରାତ୍ରିରେ ମହାଦୀପକୁ ୫ଜଣ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ନେବେ ବୋଲି ସମର୍ଥା ନିଯୋଗ ପକ୍ଷରୁ କୁହାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ଜଣ ଯିବା ପାଇଁ କୁହାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୫ଜଣ ମନ୍ଦିର ଚୂଡ଼ାକୁ ଯିବେ ବୋଲି ସ୍ଥିର ହୋଇଛି । ସେମାନେ ହେଲେ ସମର୍ଥା ସେବାୟତ ଯୋଗେନ୍ଦ୍ର, ଲିଙ୍ଗା, ମିଟୁ, ମୋହନ ଓ ଦୀପୁ। ତେବେ ମହାଦୀପ ସହିତ କୌଣସି ସେବାୟତ ସେଲ୍ଫି ଉଠାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଚଳାଚଳ କରୁଛି ଅଧିକ ସିଟିବସ୍

ଶିବରାତ୍ରିରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଆଖିରେ ରଖି ପୁରୁଣା ଭୁବନେଶ୍ୱରକୁ ଅଧିକ ଟାଉନ୍ ବସ୍ ଓ ସିଟି ବସ୍ ଚାଲିବା ଆରମ୍ଭ ହୋଇଛି । ଏହାଛଡ଼ା ବିଭିନ୍ନ ଗାଡି ମଟର ରଖିବା ପାଇଁ ବିଏମ୍ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ଓ ନୂତନ ମାର୍କେଟ ନିକଟରେ ସ୍ଥାନ ନିରୂପଣ କରାଯାଇଛି । ସେହିପରି ମନ୍ଦିର ପରିସରରେ ଓ ବାହାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ପ୍ରଦାନ ଲାଗି ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ଏକ ଟିମ୍ ନିୟୋଜିତ କରାଯାଇଛି । ସେହିପରି ଜନସାଵସ୍ଥ୍ୟ ବିଭାଗ ପକ୍ଷରୁ ବଢ଼େଇବାଙ୍କ ଛକ, ହାଟ, ଥାନା ପରିସର, ଲିଙ୍ଗରାଜ ମାର୍କେଟ, ଇଲେକ୍ଟ୍ରିକ୍ ଅଫିସ୍ ଛକଠାରେ ପାଣିଟାଙ୍କି ରଖା ଯାଇଛି ।

ବାଲୁଗାଁ କିଆ ଫୁଲ ଗୋଟାକୁ ୩୦

ମହାଶିବରାତ୍ରିରେ ଶହ ଶହ ଭକ୍ତ ଠାକୁରଙ୍କୁ ଲାଗି କରିବେ କିଆ ଓ କେତକୀ ଫୁଲ । ଏଥିପାଇଁ ଚିଲିକା ନିକଟ ବାଲୁଗାଁ ନିକଟରୁ ଆସିଛନ୍ତି ୩୦ ଜଣ ଫୁଲ ବିକ୍ରେତା । ସେମାନେ ମନ୍ଦିର ଚାରିପଟେ ଆଜିଠୁ ପଶରା ମେଲାଇ ବସିଛନ୍ତି । କିଆ ଗୋଟାକୁ ୩୦ଟଙ୍କାରେ ବିକ୍ରି ହେଉଛି । କାଳେ ଆଜି ନ ମିଳିବ ଏଥିପାଇଁ କିଛି ଶ୍ରଦ୍ଧାଳୁ ଆଜିଠାରୁ ଏହାକୁ କିଣୁଥିବା ଦେଖିବାକୁ ମିଳିଛି ।

ନିଜେ ନିୟମ କଲେ ନିଜେ ଭାଙ୍ଗିଲେ

ଏକାମ୍ର କ୍ଷେତ୍ରର ବିନ୍ଦୁସାଗରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ କୌଣସି ବ୍ୟାନର୍ ଲାଗିବ ନାହିଁ ବୋଲି ପର୍ଯ୍ୟଟନ ଓ ସଂସ୍କତି ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ସୋମବାର ରାତିରୁ ପ୍ରଥମେ ଦେଖିବାକୁ ମିଳିଲା ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟାନର୍। ଏହା ପରେ ଗତକାଲି ଭଜନ ମଣ୍ଡପଠାରେ ବିଭିନ୍ନ ଦଳର ବ୍ୟାନର୍ ଛାଇ ଯାଇଛି।