ଆଜି ମହାଷଷ୍ଠୀ ! ଧରାବତରଣ କରିବେ ମା ଜଗତଜନନୀ, ପୂଜା ପାଇଁ ଚଳଚଂଚଳ ବିଭିନ୍ନ ପୂଜାମଣ୍ଡପ

143

କନକ ବ୍ୟୁରୋ : ଆଜି ମହାଷଷ୍ଠୀ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା । ମାଙ୍କ ଆଗମନ ପାଇଁ ଚଳଚଂଚଳ ଦୈବୀ ପୀଠ ଓ ପୂଜା ମଣ୍ଡପ । ବିଭିନ୍ନ ଦେବୀ ପୀଠରେ ଆଜି ମହା ସପ୍ତମୀ ପୂଜା । ସେହିଭଳି ପୂଜା ମଣ୍ଡପରେ ମାଙ୍କ ମହାଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ସେଥିପାଇଁ ଚଳଚଂଚଳ ଗାଁ ଠୁ ସହର । ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତି ଶେଷ ହୋଇଛି । ମୃଣ୍ମୟୀ ମୂର୍ତ୍ତି ଓ ତୋରଣ ସାଜସଜ୍ଜକୁ ନେଇ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଦଶହରା ପର୍ବ ହିନ୍ଦୁ ମାନଙ୍କ ବଡ ପର୍ବ । ଭାରତରେ ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜାକୁ ବେଶ ଧୁମ ଧାମରେ ପାଳନ କରାଯାଏ । ଆକର୍ଷଣୀୟ ପୂଜା ପେଣ୍ଡାଲ୍ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ଦୁର୍ଗାପୂଜାକୁ ସ୍ୱତନ୍ତ୍ର କରାଇଥାଏ ।

ବିଶେଷ କରି ପଶ୍ଚିମ ବଙ୍ଗର ଦୁର୍ଗାପୂଜା ସାରା ବିଶ୍ୱରେ ଲୋକପ୍ରିୟ । ତେବେ ଏଥର ପଶ୍ଚିମ ବଙ୍ଗରେ ପୂଜା ପାଇଁ ଖାସ ପ୍ରସ୍ତୁତି ହୋଇଛି । ରାଜଧାନୀରେ ଏଥର ବାହୁବଳୀ ଷ୍ଟାଇଲ୍ ଦଶହରା ଦେଖିବାକୁ ମିଳିବ । କାରଣ କୋଲକତାରେ ତିଆରି ହୋଇଛି ମାହିଷ୍ମାତି ପୂଜା ପେଣ୍ଡାଲ୍ । ସୁପରହିଟ୍ ସିନେମା ବାହୁବଳୀର ମାହିଷ୍ମାତି ସାମ୍ରାଜ୍ୟକୁ ନେଇ ଅବିକଳ ନକଲ କରାଯାଇଛି ଏହି ପେଣ୍ଡାଲରେ । ଆଉ ଏହି ବିଶାଳ ପୂଜା ପେଣ୍ଡାଲ ବନାଇବା ପାଇଁ ବ୍ୟୟ କରାଯାଇଛି ୧୦ କୋଟି ଟଙ୍କା । ବାହୁବଳୀ ଥିମ ବିଶିଷ୍ଟ ଏହି ବିଶାଳ ପୂଜା ପେଣ୍ଡାଲ୍କୁ ଦେଖିବା ପାଇଁ ଏବେ ଠାରୁ ଗହଳି ଦେଖିବାକୁ ମିଳୁଛି ।