ଦଶପଲ୍ଲାରେ ବିଧାୟକଙ୍କ ବିରୋଧୀ ସମାବେଶ : ବିଧାୟକଙ୍କୁ ହଟାଇବାକୁ ଦାବୀ

21

କନକ ବ୍ୟୁରୋ : ଦଶପଲ୍ଲାରେ ବିଜେଡି ବିରୁଦ୍ଧରେ ଲଢିଲା ବିଜେଡି । ବିଧାୟକ ପର୍ଣ୍ଣ ଚନ୍ଦ୍ର ନାୟକଙ୍କ ବିରୁଦ୍ଧରେ ମେଳି ବାନ୍ଧିଲେ ହଜାର ହଜାର କର୍ମୀ ଆଉ ଛାମୁଆ ନେତା । ଦଶପଲ୍ଲା ବଂଚାଅ ମହାସମାବେଶ ନାଁରେ ବିଧାୟକଙ୍କୁ ହଟାଇବାକୁ ଦାବୀ କରିଛନ୍ତି ଅସନ୍ତୁଷ୍ଟ । ପୂର୍ବ ପ୍ରସ୍ତୁତି ମୁତାବକ ପୂର୍ବତନ ବ୍ଳକ ଚେୟାରମ୍ୟାନ ଉପେନ୍ଦ୍ର ସାହୁଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ମହାବୀର ମନ୍ଦିର ନିକଟରୁ ରାଲିରେ ବାହାରି ହାଟ ପଡିଆ ଠାରେ ଏକାଠି ହୋଇଛନ୍ତି।

ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ମନମୁଖୀ ଶାସନ , ସଂଗଠନକୁ ବିଗାଡିବା , ଦଳର ଛାମୁଆ କର୍ମୀଙ୍କୁ ସାଙ୍ଗରେ ନ ନେବା ଇତ୍ୟାଦି ପ୍ରସଙ୍ଗରେ କଟୁ ସମାଲୋଚନା ସହ ସହ ତୁରନ୍ତ ବିଧାୟକଙ୍କୁ ବହିଷ୍କାର ପାଇଁ ଦାବୀ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିକଟରେ ମଧ୍ୟ ଦାବୀ ରଖାଯାଇଛି । ସେପଟେ ବିଧାୟକଙ୍କ ବିରୁଦ୍ଧରେ ମହାସମାବେଶକୁ ନାପସନ୍ଦ କରିଛନ୍ତି ଜିଲ୍ଲା ସଭାପତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବରେ ଅନେକ ସଂଗଠନ ମଧ୍ୟ ଆସ୍ଥା ପ୍ରକଟ କରିଛନ୍ତି । ତେଣୁ ବିଜୁ ଜନତାଦଳ ପାଇଁ ଯେ କେହି ସମାବେଶ କରିବାରେ ଆପତ୍ତି ନାହିଁ । କିନ୍ତୁ ଯାହାବି କାର୍ଯ୍ୟକ୍ରମ ହେଉଛି ତାହା ଦଳୀୟ ଫୋରମରେ ହେବାର ଆବଶ୍ୟକତା ରହିଥିବା ଜିଲ୍ଲା ସଭାପତି ରବି ମହାପାତ୍ର କହିଛନ୍ତି । ତେବେ ଦଶପଲ୍ଲାରେ ବିଧାୟକଙ୍କ ବିରୋଧୀ ସମାବେଶ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଗତ କରାଯିବ ବୋଲି ସେ କହିଛନ୍ତି ।