ମନ୍ତ୍ରୀଙ୍କ ପୁଅ ବାହାଘର ଖର୍ଚ୍ଚ ନେଇ ଚର୍ଚ୍ଚା : ବିଜେପି ବିଧାୟକଙ୍କ ପ୍ରଶ୍ନ, କୀଟନାଶକ କଂପାନୀ ଟଙ୍କାରେ ନିର୍ମାଣ ହୋଇଥିଲା କି ପୂର୍ବତନ କୃଷିମନ୍ତ୍ରୀଙ୍କ ପୁଅ ବାହାଘର ତୋରଣ

54

କନକ ବ୍ୟୁରୋ :  ଚର୍ଚ୍ଚାରେ ମନ୍ତ୍ରୀ ପୁଅଙ୍କ ବାହାଘର । ଚକମକ ଆଲୁଅ ସାଙ୍ଗକୁ ଆଖି ଝଲସାଇ ଦେଲା ଭଳି ତୋରଣ । ଯେମିତି ଚମକି ଉଠୁଥିଲା ରାଜଧାନୀର ବରମୁଣ୍ଡା ପଡିଆ । ବେଶ୍ ଧୁମଧାମରେ ହୋଇଥିଲା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ବାହାଘର । ସେଲିବ୍ରିଟିଠୁ ଆରମ୍ଭ କରି, ଫିଲ୍ମ ଷ୍ଟାର, ରାଜନେତା, ହାଇପ୍ରୋଫାଇଲ ଅଫିସର ଆଉ କେତେ କଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ମହାରଥୀଙ୍କ ପୁଅ ବାହାଘର ଭୋଜିରେ ଯୋଗ ଦେଇଥିଲେ ।

ପାଖାପାଖି ସାଢେ ୩ ହଜାର ଲୋକଙ୍କୁ ଭୋଜିରେ ନିମନ୍ତ୍ରଣ କରାଯାଇଥିଲା । ଆଉ ସବୁଠାରୁ ଆକର୍ଷଣ ଥିଲା ଆଖି ଝଲସି ଗଲା ଭଳି ତୋରଣ । ବିରୋଧୀଙ୍କ ଅଭିଯୋଗ ଏହି ତୋରଣରେ ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଟଙ୍କା । ଜଣେ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ କୀଟନାଶକ କମ୍ପାନି ଟଙ୍କାରେ ମନ୍ତ୍ରୀ ଏହି ବ୍ୟୟବହୁଳ ବାହାଘର କରାଇଥିବା ବିଧାନସଭାରେ ଅଭିଯୋଗ କରିଛନ୍ତି ବିରୋଧୀ ।

ତେବେ ବିରୋଧୀ ବାହାଘର ଖର୍ଚ୍ଚ ହିସାବ ମାଗିଥିବାବେଳେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଛନ୍ତି ତାଙ୍କ ଯାତ୍ରା ପାର୍ଟିର ଖର୍ଚ୍ଚ ହିସାବ । ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପୁଅ ବାହାଘର ଏବେ ସବୁ ଚର୍ଚ୍ଚା ସାଉଁଟି ନେଇଛି ।