ଫେଲ ମାରିବେ ଇରାନି, ହିଟ୍ ହେବେ ନବୀନ ! ମହାରଥୀଙ୍କ ଫିଲ୍ମ ଫନ୍ଦା

30

କନକ ବ୍ୟୁରୋ : ବିଜେପୁରରେ ଆସନ୍ତାକାଲି ବିଗଫାଇଟ ଦେଖିବାକୁ ମିଳିବ । ଲଢେଇ ହେବ ମୁଖ୍ୟମନ୍ତ୍ରୀ-ମୋଦିଙ୍କ ମନ୍ତ୍ରୀଙ୍କ ମଧ୍ୟରେ । ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ଓ ବିଜେପିର ଷ୍ଟାର ତଥା ଅଭିନେତ୍ରୀ ସ୍ମୃତି ଇରାନୀ । କୁହାଯାଉଛି ଆସନ୍ତାକାଲି ବିଜେପୁର ମୈଦାନରେ ନେତା-ଅଭିନେତାଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ । କିନ୍ତୁ ଆଜିଠାରୁ ଏହାର ତାତି ରାଜଧାନୀରେ ଦେଖିବାକୁ ମିଳିଛି । କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଆସନ୍ତାକାଲି ହେବାକୁ ଥିବା ବିଗଫାଇଟ ପୂର୍ବରୁ ଯାତ୍ରା ଷ୍ଟାଇଲରେ ବିଜେପିକୁ ଆଟାକ କରିଛନ୍ତି ।

bijepurମହାରଥୀ ଯାତ୍ରା ଷ୍ଟାଇଲରେ କହିଛନ୍ତି, ବିଜେଡି ସୁପ୍ରିମୋ ପ୍ରଚାର ପାଇଁ ବିଜେପୁର ଗଲେ ସର୍ମ୍ପକ ସଦୃଢ ହେବା ସହ ମତ ମଧ୍ୟ ଅଧିକ ବିଜେଡି ସପକ୍ଷରେ ରହିବ । ଏହାଛଡା ନବୀନଙ୍କୁ ହିରୋ ଭାବେ ଦର୍ଶାଇବାକୁ ଭୁଲି ନାହାନ୍ତି ମହାରଥୀ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହାରଥୀ କହିଛନ୍ତି, ଇଏ ହିରୋ(ନବୀନ ପଟ୍ଟନାୟକ) ଅଲଗା, ସେ ହିରୋଇନ(ସ୍ମୃତି ଇରାନୀ) ଅଲଗା । ଇଏ ସେ ହିରୋ ନୁହଁନ୍ତି ଯିଏ ହିରୋଇନଙ୍କୁ ଦେଖି ଯିବେ । ଇଏ ହିରୋ ହେଉଛନ୍ତି ଲୋକଙ୍କ ପାଇଁ ଏବଂ ଲୋକଙ୍କର ସେବା କରିବା ପାଇଁ ଓ ଲୋକଙ୍କର ମଙ୍ଗଳ କରିବା ପାଇଁ । ସେ ହିରୋଇନ୍ ଅଲଗା ଧରଣର । ଯାହା ଆପଣ ମାନେ ଜାଣିଛନ୍ତି ତେଣୁ ତାହା ଭିତରକୁ ମୋତେ ଭିଡିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ଏଭଳି କହି ପରୋକ୍ଷରେ ସ୍ମୃତି ଇରାନିଙ୍କୁ ଟାର୍ଗେଟ କରିଥିଲେ ମହାରଥୀ ।

ଓଡ଼ିଶାରେ ସ୍ମୃତି ଇରାନୀଙ୍କୁ କିଏ ଚିହ୍ନିଛି । ସେ ପ୍ରଚାର କଲେ ବିଜେପୁରରେ ଟିକିଏ ବି ପ୍ରଭାବ ପଡିବନି । ଯଦି ପ୍ରଭାବ କାହାର ପ୍ରଭାବ ପଡିବ ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । କାରଣ ସେ ହେଉଛନ୍ତି ଓଡ଼ିଶାର ଏକମାତ୍ର ହିରୋ । ଏତିକିରେ ମଧ୍ୟ ମହାରଥୀଙ୍କ ପାଟିରେ ବ୍ରେକ ଲାଗିନଥିଲା । ଅପରାଜିତା ବିଜେପିର ପ୍ରଚାର କରିବା ବିଜେଡି ଉପରେ ପ୍ରଭାବ ପକାଇବ କି ନାହିଁ ଏହାର ଉତ୍ତରରେ କହିଥିଲେ, ତାଙ୍କୁ କିଏ ଅଳ୍ପ କିଛି ଲୋକ ଚିହ୍ନିଛନ୍ତି । ତେଣୁ ତାଙ୍କ ପ୍ରଭାବ ବିଲକୁଲ ବି ବିଜେଡି ଉପରେ ପଡିବନି । ବିଜେପୁରରେ କେବଳ ବିଜେଡି ହିଁ ବିଜୟୀ ହେବ ।

bijepurଏହାପୂର୍ବରୁ ମଧ୍ୟ ମହାରଥୀ ବିଜେପୁରରେ ବିଜେଡିର ବିଜୟକୁ ନେଇ ବଡ ବୟାନ ଦେଇଥିଲେ । ଏପରିକି ବିଜେପୁରରେ ବିଜେଡି ନ ଜତିଲେ ସେ ରାଜନୀତି ଛାଡିଦେବେ ବୋଲି କହିଥିଲେ । ଯାତ୍ରା ଅନ୍ଦାଜରେ ମହାରଥୀ ଯେଉଁଭଳି ଭାବେ ବୟାନ ଦେଇଛନ୍ତି ଲାଗୁଛି ବିଜେପୁରରେ ବିଜେଡିର ବିଜୟକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ବିଜେଡି ସୁପ୍ରିମୋ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ମହାରଥୀ । ଏପରିକି ବିଜେପୁର ନିର୍ବାଚନକୁ ନେଇ ନିଜ ରାଜନୀତି କ୍ୟାରିୟରକୁ ବାଜିରେ ଲଗାଇଛନ୍ତି ମହାରଥୀ । ତେଣୁ ବିଜେଡି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱ ବହନ କରୁଛି ତାହାଠାରୁ ଅଧିକ ମହାରଥୀଙ୍କ ପାଇଁ ଗୁରୁତ୍ୱ ରଖୁଛି । ହିରୋ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାକି ସବୁ ଜିରୋ ହୋଇଯିବେ ବୋଲି ଜୋର ଦେଇ କହିଛନ୍ତି ମହାରଥୀ । କାରଣ ବିଜେଡି ପାଇଁ ନବୀନ ହିଁ ଏକମାତ୍ର ହିରୋ । ଏଭଳି ବୟାନ ଦେଇ ସେତେବେଳେ ଚର୍ଚ୍ଚାରେ ରହିଥିଲେ ମହାରଥୀ । ଆଉ ଆଜି ପୁଣି ସ୍ମୃତି ଇରାନୀଙ୍କୁ ନେଇ ମହାରଥୀ ଯେଉଁ ବୟାନ ଦେଇଛନ୍ତି ଲାଗୁଛି ବିଜେପିର ପରାଜୟ ନେଇ ନିଶ୍ଚିତ ହୋଇ ସାରିଛନ୍ତି ମହାରଥୀ ।