ମୋଦିଙ୍କ ପ୍ରଂଶସା, ମହାରଥୀଙ୍କ ପ୍ରଶ୍ନ । ବାତ୍ୟା ପୁନରୁଦ୍ଧାର ନେଇ ବଡ ଅଭିଯୋଗ ଆଣିଲେ ପିପିଲି ବିଧାୟକ, କହିଲେ ଘର ଭଙ୍ଗା ରିପୋର୍ଟରେ ହୋଇଛି ବ୍ୟତିକ୍ରମ ।

290

କନକ ବ୍ୟୁରୋ : ମହାବାତ୍ୟା ଫୋନିକୁ ନେଇ ଆଜି ରାଜ୍ୟ ବିଧାନସଭାରେ ଉଠିଛି ପ୍ରଶ୍ନ । ଯେଉଁ ବିଷୟକୁ ବିରୋଧୀ ବିଜେପି ମଧ୍ୟ ପ୍ରସଙ୍ଗ କରିନାହିଁ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାପାନରେ ପ୍ରଶଂସା କରିଛନ୍ତି, ଆଜି ସେହି ପ୍ରସଙ୍ଗରେ ଶାସକ ଦଳର ବରିଷ୍ଠ ସଦସ୍ୟ ପ୍ରଦୀପ ମହାରଥୀ, ସରକାରଙ୍କୁ ସମାଲୋଚନା କରିିଛନ୍ତି । କହିଛନ୍ତି, ବାତ୍ୟା ପରବର୍ତୀ ସ୍ଥିତିକୁ ଠିକ୍ ଭାବରେ ମୁକାବିଲା କରିପାରିନାହାଁନ୍ତି ରାଜ୍ୟ ସରକାର । ଶାସକ ଦଳର ବିଧାୟକଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ବିରୋଧୀ ବିଜେପି ଯେଉଁ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରକୁ ଘେରିବାକୁ ଉଦ୍ୟମ କରିଥିଲେ, ସେହି ଫୋନି ବାତ୍ୟାର ପୁନରୁଦ୍ଧାର ଓ ଥଇଥାନ ପ୍ରସଙ୍ଗରେ ସରକାରକୁ ଅଡୁଆ ସ୍ଥିତିରେ ପକାଇଛି ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀଙ୍କ ପ୍ରଶ୍ନବାଣ । ବାତ୍ୟା ପୁନରୁଦ୍ଧାର ପାଇଁ ଯେଉଁ ଘର ଭଙ୍ଗା ରିପୋର୍ଟ ପ୍ରସ୍ତୁତ ହୋଇଛି, ସେଥିରେ ଯୋଗ୍ୟ ହିତାଧିକାରୀ ବାଦ ପଡିଯାଇଥିବା ଅଭିଯୋଗ କରିଛନ୍ତି ମହାରଥୀ । ଆଉ ଏଥିରେ ତହସିଲଦାରମାନଙ୍କ ଭୂମିକା ପ୍ରଶ୍ନ ଘେରକୁ ଚାଲି ଆସିଛି । କାରଣ ଯେଉଁ ଅଧିକାରୀ ମାନେ ଘରଭଙ୍ଗା ରିପୋର୍ଟ ପ୍ରସ୍ତୁତ କରି ଦେଇଛ ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରଶ୍ନରେ ଚୁପ୍ ରହିବାକୁ ତହସିଲଦାର ଶ୍ରେୟସ୍କର ମଣିଥିବା କହିଛନ୍ତି ପ୍ରଦୀପ ।

ମହାରଥୀ ଅଭିଯୋଗ କରିଛନ୍ତି ଯେ, ପୁରୀ ଜିଲ୍ଲାର ଅନେକ ସ୍ଥାନରେ ଅକ୍ଷତ ଅବସ୍ଥାରେ ଥିବା କୋଠାଘରର ମାଲିକଙ୍କ ନାଁ ଏହି କ୍ଷତିପୂରଣ ତାଲିକାରେ ସାମିଲ କରାଯାଇଛି । ଆଉ ଏହାର ଜବାବରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି- ମୋଟାମୋଟି ଭାବରେ ତଦନ୍ତ ଠିକ୍ ଭାବରେ ହୋଇଛି ।

ଶାସକ ଦଳର ବିଧାୟକ ଉଠାଇଥିବା ପ୍ରଶ୍ନ, ସରକାରଙ୍କୁ ଘେରିବାକୁ ବିରୋଧୀ ବିଧାୟକ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି । ପ୍ରଦୀପଙ୍କ ସହ ସ୍ୱର ମିଳାଇଛନ୍ତି ବିରୋଧୀ । ବଡ କଥା ହେଉଛି, ବାତ୍ୟାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନବୀନ ସରକାରଙ୍କୁ ପ୍ରଶଂସାରେ ପୋତି ଦେଇଥିବା ବେଳେ ଖୋଦ୍ ସରକାରୀ ଦଳ ବିଧାୟକ ବାତ୍ୟା ପୁନରୁଦ୍ଧାର ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହାପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।