ଭାରତର ଏକ ବିରଳ ସ୍କୁଲ : ଯେଉଁଠି ଶିକ୍ଷକ ବି ଜଣେ ଆଉ ଛାତ୍ର ମଧ୍ୟ ଜଣେ,ଦୈନିକ ୫୦ କିମି ରାସ୍ତା ଅତିକ୍ରମ କରି ପଢ଼ାଇବା ପାଇଁ ଯାଆନ୍ତି ଶିକ୍ଷକ

42

ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେଲେ, ରାଜ୍ୟ ତଥା ଦେଶର ବିକାଶ ସମ୍ଭବ । କିନ୍ତୁ ଏବେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ସମୟରେ ପ୍ରଶବାଚୀ ସୃଷ୍ଟି ହେଉଛି । ବର୍ତ୍ତମାନ ସମୟରେ ଦେଖାଯାଉଛି କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶିକ୍ଷକ ଥାଇ ପିଲା ପାଠ ପଢ଼ିଯାଉନାହାନ୍ତି । ଏପରି ଅବ୍ୟବସ୍ଥାରେ ଗଢ଼ାହେଉଛି ଦେଶର ଭବିଷ୍ୟତ । ତେବେ ଏହାର ଆଉ ଏକ ପ୍ରମୁଖ କାରଣ ହେଲା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ।  ଆଜିକା ସମୟରେ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ପାଇଁ ଚାହୁଁ ନାହାନ୍ତି ଅଭିଭାବକ । ସେଥିପାଇଁ ମଧ୍ୟ ଶିକ୍ଷା ବ୍ୟବସ୍ଥା ଅନେକ ପ୍ରଭାବ ପଢ଼ୁଛି ।

ତେବେ ଶିକ୍ଷା ବ୍ୟବସ୍ଥାରେ ଗୁୁରୁଦାୟିତ୍ୱ ବହନ କରନ୍ତି ଶିକ୍ଷକ । ଶିକ୍ଷକଙ୍କ ହାତରେ ଥାଏ ଦେଶର ଭବିଷ୍ୟତ । ସେମାନେ ଯେପରି ଗଢ଼ନ୍ତି, ଛାତ୍ରଛାତ୍ରୀ ସେମିତି ଗଢ଼ିହୁଅନ୍ତି । ତେବେ ଏପରି ଜଣେ ଶିକ୍ଷକ ଅଛନ୍ତି ଯିଏ ଜଣେ ପିଲାଙ୍କୁ ପଢ଼ାଇବା ପାଇଁ ୫୦ କିମି ଅତିକ୍ରମ କରନ୍ତି । ଏପରି ଘଟଣା ବିଲକୁଲ ବିରଳ ଅଟେ । ବିଦ୍ୟାଳୟରେ ପାଠ ପଢ଼ାଇବା ସହ ବାହାରକୁ ଯାଇ ପାଠ ପଢ଼ାଇବା ଅତି ସାଧାରଣ କଥା । କିନ୍ତୁ ମାତ୍ର ଗୋଟିଏ ପିଲା ପାଇଁ ୫୦ କିମି ଅତିକ୍ରମ କରି ପାଠପଢ଼ାଇବା ପାଇଁ ଯିବା ବିଲକୁଲ ବିରଳ ଘଟଣା ।

ପୁନେରୁ ୧୦୦ କିମି ଦୂରରେ ଅବସ୍ଥିତ ଚନ୍ଦର ଗାଁ । ଯେଉଁଠି ମୋଟ୍ ୬୦ ଜଣ ଲୋକ ରହୁଛନ୍ତି । ବିଗତ ଆଠ ବର୍ଷ ଧରି ଜଣେ ଶିକ୍ଷକ ସେଠାକୁ ୫୦ କିମି ରାସ୍ତା ଅତିକ୍ରମ କରି ଜଣେ ମାତ୍ର ଛାତ୍ରକୁ ପଢ଼ାଇବା ପାଇଁ ଯାଆନ୍ତି । ପ୍ରତିଦିନ ୫୦ କିମି ଯାତ୍ରା କରିବା ପାଇଁ ଶିକ୍ଷକଙ୍କୁ ଅନେକ କଷ୍ଟ ସହିବା ପାଇଁ ପଡ଼େ । ଅନେକ ଦୁର୍ଗନ୍ଧମୟ ଅଂଚଳ ତଥା ଛୋଟ ବଡ଼ ପାହାଡ଼ ଦେଇ ସେ ପାଠ ପଢ଼଼ାଇବା ପାଇଁ ଯାଉଛନ୍ତି । ଏହି ଶିକ୍ଷକଙ୍କ ନାମ ହେଲା ରଜନୀକାନ୍ତ ମେଂଢ଼େ । ସେ ଜଣେ ସରକାରୀ ଶିକ୍ଷକ । ପ୍ରତିଦିନ ଅନେକ କଷ୍ଟ କରିବା ପରେ ସେ ସ୍କୁଲରେ ପହଞ୍ଚନ୍ତି । ସେଠାରେ ପଢ଼ୁଥିବା ଛାତ୍ର ଜଣଙ୍କ ନାମ ହେଲା ଯୁବରାଜ ।

୮ ବର୍ଷ ପୂର୍ବରୁ ରଜନୀକାନ୍ତ ଚନ୍ଦର ଗାଁ ରେ ପଢ଼ାଇବା ଆରମ୍ଭ କରିିଲେ । ସେତେବେଳେ ସ୍କୁଲରେ ଥିଲେ ୧୧ ଜଣ ପିଲା । କିନ୍ତୁ ଧୀରେ ଧୀରେ ପିଲା ସଂଖ୍ୟା କମି ଏବେ ୧ରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ ୧୯୮୫ରେ ତିଆରି ହୋଇଥିଲା ଏହି ସ୍କୁଲ । ଆଉ ସେତେବେଳ ଏହି ସ୍କୁଲ ଠିକଠାକ ଚାଲିଥିଲା । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସବୁ ବଦଳିଗଲା । ତେବେ ମେଣ୍ଟେଙ୍କ ଚେଷ୍ଟା ଯୋଗୁଁ ଏବେ ସେଠାରେ ସୁଧାର ଆସିଛି । ଶିକ୍ଷକ ରଜନୀକାନ୍ତ ନିଜେ ଚେଷ୍ଟା କରି ଏକ ଛୋଟ ଟିଭି ସେଟ୍ ସାହାଯ୍ୟରେ ଇ-ଲର୍ଣ୍ଣିଂ ସୁବିଧା ପ୍ରସ୍ତୁତ କରୁଛନ୍ତିି । ସେଠାରେ ପଢ଼ୁଥିବା ଯୁବରାଜଙ୍କ ବାହାର ଦୁନିଆ ବିଷୟରେ ଜାଣିବା ପାଇଁ ବେଶ୍ ଭଲଲାଗେ । ଆଉ ଏଥିପାଇଁ ରଜନୀକାନ୍ତ ସବୁବେଳେ ଧ୍ୟାନ ରଖନ୍ତି । ସୂଚନା ଅନୁସାରେ ଉକ୍ତ ଗାଁରେ କୌଣସି ମୌଳିକ ସୁବିଧା ନାହିଁ । ଆଜିଯାଏଁ ଗାଁକୁ ବିଜୁଳି ସଂଯୋଗ ହୋଇପାରି ନାହିଁ ।