ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ । ଶିବସେନା ସହ ମିଶି ସରକାର ଗଢିବାକୁ ମନାକଲା ଏନସିପ, ବିରୋଧୀ ଦଳ ଭୂମିକା ନିଭାଇବାକୁ ସ୍ପଷ୍ଟ କଲେ ଶରଦ ପାୱାର

1,005

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ । କହିବାକୁ ଗଲେ ଘଡିକେ ଘୋଡା ଛୁଟୁଛି । ବିଜେପିକୁ ବାଦ୍ ଦେଇ ସରକାର ଗଠନ ପାଇଁ ଶିବସେନା କରିଥିବା ଉଦ୍ୟମ ବିଫଳ ରହିଛି । ୫୦-୫୦ କ୍ଷମତା ଭାଗବଂଟା ନେଇ ଶିବସେନା ନିଜ ଜିଦରେ ଅଟଳ ଥିବା ବେଳେ ଅଢ଼େଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ଥିଓରୀକୁ ମାନିବାକୁ ନାରାଜ ବିଜେପି । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତରେ ଏପସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତ । ତେବେ ଶିବସେନା ସହିତ ମିଶି ସରକାର ଗଠନ ପ୍ରସ୍ତାବକୁ ଏଡାଇ ଯାଇଛି ଏନସିପି । ଏହାକୁ ନେଇ ଏନସିପିରେ କେହି ସହମତ ନଥିବା ଦଳ ସୂଚନା ଦେବା ସହିତ ଏନସିପି ପକ୍ଷରୁ କୁହାଯାଇଛି ଯେ ମହାରାଷ୍ଟ୍ରରେ ଦଳ ବିରୋଧି ଭୂମିକା ତୁଲାଇବ ।

ଏଥିପାଇଁ ନିର୍ବାଚନରେ ଜନାଦେଶ ମିଳିଛି । ସେପଟେ ଶିବସେନାର ବିଧାୟକ ଦଳ ବୈଠକରେ ଆଦିତ୍ୟ ଠାକରେଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଏହାପରେ ଆଦିତ୍ୟ ଠାକରେ, ଏକନାଥ ସିନ୍ଦେଙ୍କ ସମେତ ଶିବସେନାର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ସେପଟେ ଆଦିତ୍ୟ ସ୍ପଷ୍ଟ କରିଛନ୍ତି ସରକାର ଗଠନ ନେଇ ଚୂଡାନ୍ତ ନିଷ୍ପତି ନେବେ ଶିବସେନା ମୁଖ୍ୟ । ଏକନାଥ ସିନ୍ଦେ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶିବସେନାର ପ୍ରଥମ ଦାବି କାମ କରିନଥିବା ଅନୁମାନ କରାଯାଉଛି । ଦଳ ବିଜେପି ମେଂଟକୁ ଅସ୍ୱୀକାର କରିନଥିବା ବେଳେ ଚୂଡାନ୍ତ ନିଷ୍ପତି ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ଛାଡିଛି ।