ପାଣିବୋତଲକୁ ‘ନା’ ! ମହାରାଷ୍ଟ୍ରକୁ ପ୍ଲାଷ୍ଟିକ ମୁକ୍ତ ରାଜ୍ୟ ପାଇଁ ସରକାରଙ୍କ ନୂଆ ଯୋଜନା

110

କନକ ବ୍ୟୁରୋ : ମହାରାଷ୍ଟ ସରକାରଙ୍କ ନୂଆ ଯୋଜନା । ପ୍ଲାଷ୍ଟିକ ମୁକ୍ତ ରାଜ୍ୟ ପାଇଁ ସରକାର ଅଂଟା ଭିଡିଛନ୍ତି । ଏଥିପାଇଁ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ପରିବେଶ ମନ୍ତ୍ରୀ ରାମଦାସ କଦମ କହିଛନ୍ତି, ଦେଶରେ ପ୍ଲାଷ୍ଟିକ ମୁକ୍ତ ମାନ୍ୟତା ପାଇଥିବା ଛଅଟି ରାଜ୍ୟ ଅଛି। ଘରୋଇ କାର୍ଯ୍ୟାଳୟଗୁଡିକରେ ପ୍ଲାଷ୍ଟିକ ବୋତଲରେ ଆସୁଥିବା ପାଣି ନିଷିଦ୍ଧ କରିବା ପୂର୍ବରୁ ସରକାର ପ୍ରଥମେ ତାହାକୁ ମନ୍ତ୍ରାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟଗୁଡିକରେ ନିଷିଦ୍ଧ କରିବାକୁ ଚାହୁଁଛନ୍ତି। ଆମେ ପ୍ରଥମେ ମନ୍ତ୍ରାଳୟରୁ ଆରମ୍ଭ କରିବୁ, ଏଠାରେ ନିଷିଦ୍ଧ କରି ସାରିବା ପରେ, ଏହାକୁ ଅନୁସରଣ କରିବାକୁ ଆମେ ଅନ୍ୟମାନଙ୍କୁ କହିପାରିବୁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ପ୍ରତି ଅମଲାତନ୍ତ୍ର କାର୍ଯ୍ୟାଳୟରେ ଏବଂ ମନ୍ତ୍ରୀମାନେ ଅତିଥିମାନଙ୍କୁ ‘ପେଟ୍’ ବୋତଲରେ ପାଣି ଦେଉଛନ୍ତି, ପ୍ରତି ସଭାରେ ଟେବୁଲ୍ ଉପରେ ରଖାଯାଉଛି ପ୍ୟାକେଜଡ ପାଣି ବୋତଲ ଏବଂ ହଜାର ହଜାର ଲୋକେ ପ୍ଲାଷ୍ଟିକ ପାଣି ବୋତଲ ଧରି ଯିବା ଆସିବା କରୁଛନ୍ତି।ଏପରି ନିଷ୍ପତ୍ତିକୁ ଗ୍ରହଣ କରି ଆବଶ୍ୟକ ପରିବର୍ତ୍ତନ କରିବାକୁ ଆମେ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କୁ ସମୟ ଦେବାକୁ ଆମେ ଆଗ୍ରହୀ । ଏକଥା ପ୍ରଘଟ କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି। ଆସନ୍ତା କେତେ ସପ୍ତାହ ମଧ୍ୟରେ ବେଭରେଜ ନିର୍ମାତା ଓ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମହାରାଷ୍ଟ୍ର ସରକାର ।

ସଚେତନତା କରାଇବା ସହ ଲୋକଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ସରକାର ଜିଲ୍ଲା ଯୋଜନା ଏବଂ ବିକାଶ କମିଟି ଅଧୀନରେ ଥିବା ପାଣ୍ଠି ବ୍ୟବହାର କରିବେ । କପଡ଼ା ଏବଂ ଝୋଟ ବ୍ୟାଗକୁ ବ୍ୟବହାର ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବାକୁ ସିଏସଆର ଫଣ୍ଡର ବ୍ୟବହାର କରାଯିବ ବୋଲି ସେ ଅଧିକାରୀ ଜଣକ କହିଛନ୍ତି। ୨୦୦୫ ବନ୍ୟା ଯୋଗୁଁ ମୁମ୍ବାଇ ଏବଂ ନିକଟସ୍ଥ ଅଂଚଳରେ ଲୋକଙ୍କର ମୃତ୍ୟୁ ହୋଇଥିବାରୁ ୫୦ମାଇକ୍ରୋନରୁ କମ ମୋଟେଇର ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ନିଷିଦ୍ଧ କରାଯାଇଛି। କିନ୍ତୁ, ତାହା କଡ଼ାକଡ଼ି ଭାବେ ପାଳିତ ହେଉ ନ ଥିବା ଅଧିକାରୀମାନେ ସ୍ୱୀକାର କରିଛନ୍ତି। ସାମାଜିକ କର୍ମୀମାନେ କହନ୍ତି: ଏଭଳି ନିଷ୍ପତ୍ତିରେ ନିଷିଦ୍ଧାଦେଶ ପ୍ରବର୍ତ୍ତନ କରିବା ହିଁ ବଡ଼ କଥା।

‘ଏଆଇପିଏମ୍ଏ’ (ଅଲ୍ ଇଣ୍ଡିଆ ପ୍ଲାଷ୍ଟିକ୍ ମ୍ୟାନୁଫ୍ୟାକ୍ଚରର୍ସ ଆସୋସିଏସନ୍) ଅନୁସାରେ, ଭାରତରେ ଦୈନିକ ୧୫୦୦ ଟନର ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହେଉଛି। ଏହା ସମୁଦାୟ ଆବର୍ଜନାର ୧୫ପ୍ରତିଶତ । ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ କରିବା ଆବର୍ଜନା ସମସ୍ୟାର ସମାଧାନ ନୁହେଁ। ଯଦିବା ସରକାର ପ୍ଲାଷ୍ଟିକ ନିଷିଦ୍ଧ କରନ୍ତି, କାଚ ବୋତଲ ଏବଂ କପଡ଼ା ବ୍ୟାଗ ଭଳି ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ରାସ୍ତାରେ ପଡ଼ିବ ।
ଭାରତ ବାର୍ଷିକ ପ୍ରାୟ ୪୩ ମିଲିୟନ ଟନ ଆବର୍ଜନା ତିଆରି କରୁଛି। ସେଥିରୁ ମାତ୍ର ୨୮% ପ୍ରୋସେସଡ ଓ ଟ୍ରିଟେଡ ହୋଇପାରୁଛି। ରାସ୍ତା ନିର୍ମାଣରେ ବ୍ୟବହାର କରି, ଜାଳେଣିରେ ପରିଣତ କରି, ସେମିତି ଅନ୍ୟ କିଛି ଉପାୟ ମାଧ୍ୟମରେ ପ୍ଲାଷ୍ଟିକ ଆବର୍ଜନାର ପରିଚାଳନା କରାଯାଇ ପାରିବ।