ସହାୟକ ମୂଲ୍ୟବୃଦ୍ଧି ପ୍ରତିଶ୍ରୁତି ପୂରଣରେ ମୋଦି ବିଫଳ ! ଏନଡିଏରୁ ସମର୍ଥନ ପ୍ରତ୍ୟାହାର କଲା ସେତକରି ସ୍ୱାଭିମାନୀ ସଂଗଠନ

49

କନକ ବ୍ୟୁରୋ: ରାଜୁ ସେଟ୍ଟି ଜଣେ କୃଷକ ନେତା । ସେତକରି ସ୍ୱାଭିମାନୀ ସଂଗଠନର ସେ ପ୍ରତିନିଧିତ୍ୱ କରନ୍ତି । ମହାରାଷ୍ଟ୍ରର ହଟକାନାଗଲ୍ ଆସନରୁ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଦୀର୍ଘ ୩ ବର୍ଷ ଧରି ସେ ଏନଡିଏକୁ ସମର୍ଥନ କରିବା ପରେ ଏବେ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଏନଡିଏରୁ ସମର୍ଥନ ପ୍ରତ୍ୟାହାରର କାରଣ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଦେଶର କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହୁଛନ୍ତି ବୋଲି ସେ ଦୋଷାରୋପ ମଧ୍ୟ କରିଛନ୍ତି ।

ଏନଡିଏରୁ ସମର୍ଥନ କାହିଁକି ପ୍ରତ୍ୟାହାର କରିଲେ ବୋଲି ପ୍ରଶ୍ନରେ ଶ୍ରୀ ସେଟ୍ଟି କହିଛନ୍ତି, ୨୦୧୪ ନିର୍ବାଚନ ପ୍ରଚାର ସମୟରେ ମୋଦି କୃଷକମାନଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ଦେବେ ବୋଲି କହିଥିଲେ । ଏହା କୃଷକମାନଙ୍କ ସମସ୍ୟାର ସବୁଦିନିଆ ସମାଧାନ ଆଣିଦେବ ବୋଲି ଆଶା କରାଯାଇଥିଲା । କିନ୍ତୁ ମୋଦି ସରକାର କୃଷକଙ୍କ ଏହି ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି । ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆମ ଦଳ ପକ୍ଷରୁ ତାଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସେ ଆମର ଦାବିକୁ ଗ୍ରହଣ କରିଥିଲେ ।

ତେବେ ଏ ନେଇ ସେ ଗତ ୩ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି କି ବୋଲି ପ୍ରଶ୍ନରେ ଶ୍ରୀ ସେଟ୍ଟି କହିଛନ୍ତି, ମୁଁ ତାଙ୍କୁ ଏ ନେଇ ଚିଠି ଲେଖିଛି ଏବଂ ଅନେକ ଥର ଭେଟିଛି ମଧ୍ୟ । ସଂସଦରେ ଏ ପ୍ରସଙ୍ଗ ଉଠାଇଛି । ଏକ ସଂକଳ୍ପନାମା ଆଣିଛି । ସେହି ସଂକଳ୍ପନାମାକୁ ୫୮ ଜଣ ଏମପି ସମର୍ଥନ କରିବା ସହିତ ତାହା ଉପରେ ବିତର୍କ କରିଛନ୍ତି । ଏପରିକି ଆମର ସମର୍ଥକମାନେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାଇଛନ୍ତି । କିନ୍ତୁ ସୁପ୍ରିମକୋର୍ଟରେ ସରକାର ଏହି ପଦକ୍ଷେପ ନେବା ନେଇ ନିଜର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି । ମୋଦି କ’ଣ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ କି ବୋଲି ପ୍ରଶ୍ନ ହେବାରୁ ଶ୍ରୀ ସେଟ୍ଟି କୁହନ୍ତି ଏହାର ଦୁଇଟି କାରଣ ହୋଇପାରେ ।

ଗୋଟିଏ ହେଲା ^ଯେଉଁ ବ୍ୟକ୍ତି ୧୩ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କର ହୁଏତ ଭାରତର କୃଷି ଏବଂ କୃଷକମାନଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ସମ୍ପର୍କରେ କିଛି ଜ୍ଞାନ ନାହିଁ । ଏହା ନ ହୋଇଥିଲେ ସେ କୃଷକମାନଙ୍କୁ ସହାୟକ ମୂଲ୍ୟ ବୃଦ୍ଧି ନେଇ ମିଥ୍ୟା ପ୍ରତିଶ୍ରୁତି ଦେଇ ନଥାନ୍ତେ । ଦ୍ୱିତୀୟ କାରଣ ଏହା ବି ହୋଇପାରେ ପ୍ରତିଶ୍ରୁତି ପୂରଣ କରାଯାଇ ପାରିବ ନାହିଁ ବୋଲି ଜାଣି ମଧ୍ୟ ସେ କୃଷକମାନଙ୍କ ଠାରୁ ଭୋଟ ହାତେଇବା ଲାଗି ମିଥ୍ୟା ପ୍ରତିଶ୍ରୁତି ଦେଇଥାଇପାରନ୍ତି ବୋଲି ଶ୍ରୀ ସେଟ୍ଟି କହିଛନ୍ତି ।