ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଫିଟୁଛି ବାଟ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଦ୍ଧବ ଠାକରେଙ୍କ ନାଁ ଉପରେ ଶରଦ ପାୱାରଙ୍କ ମୋହର, ଆଜି ପୁଣି ଶିବସେନା ସହ ବୈଠକ କରିବେ କଂଗ୍ରେସ ଓ ଏନସିପି

378

କନକ ବ୍ୟୁରୋ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଶୁକ୍ରବାର ବୈଠକରୁ ବାହାରିବା ପରେ ଘୋଷଣା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । କହିଲେ, ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଉଭୟ କଂଗ୍ରେସ ଓ ଏନସିପି ସହମତି ପ୍ରକାଶ କରିଛନ୍ତି । ସେହିପରି ବୈଠକରୁ ବାହାରିବା ପରେ ସବୁ ବିଷୟ ଉପରେ ଆଲୋଚନା ହୋଇଛି ବୋଲି କହିଛନ୍ତି ଉଦ୍ଧବ ଠାକରେ । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ପରଦା ହଠାଇଛନ୍ତି ଶରଦ ପାୱାର । ଆଜି ପୁଣି ଏନେଇ ବୈଠକ ବସୁଛି । ଏଥିରେ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ।

ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି-ଶିବସେନା ମେଂଟ ସରକାର ଗଢ଼ିବାକୁ ଯାଉଥିବାବେଳେ କଟାକ୍ଷ କରିଛନ୍ତି ବିଜେପିର ବରିଷ୍ଠ ନେତା ନୀତିନ ଗଡକାରୀ । ସମାଲୋଚନା କରି ଏହି ଦଳମାନଙ୍କୁ ସୁବିଧାବାଦୀ ଦଳ ବୋଲି କହିଛନ୍ତି ନୀତିନ । ଏହା ସହିତ କହିଛନ୍ତି ଯଦି ବି ତିନି ଦଳ ମିଶି ସରକାର ଗଠନ କରିବେ ତେବେ ଏହା ଅଧିକ ଦିନ ତିଷ୍ଠି ପାରିବ ନାହିଁ । ଏବଂ ଏକ ଅସ୍ଥିର ସରକାର ହେବ । ଏହାଦ୍ୱାରା ମହାରାଷ୍ଟ୍ରର ବ୍ୟାପକ କ୍ଷତି ହେବ । ଅନ୍ୟ ଏକ ଏକ ସାକ୍ଷାତକାରରେ କହିଛନ୍ତି ଭିନ୍ନ ଭିନ୍ନ ବିଚାରଧାରାର ଏହି ଦଳମାନେ କେବଳ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏଭଳି ମେଂଟ ଗଠନ କରିଛନ୍ତି । ସୁବିଧାବାଦ ସେମାନଙ୍କ ମେଂଟର ଏକମାତ୍ର ମୂଳଦୂଆ । ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ବୋଲି ଗଡ଼କରୀ କହିଛନ୍ତି ।